ଷ୍ଟେସନରୁ ନିଖୋଜ ଯୁବତୀଙ୍କ ସହ କିଏ କରିଛି ନିର୍ଭୟାକାଣ୍ଡ ? ପୋଲିସ୍ କରୁଛି ତନାଘନା

ଏମିତି ଘଟଣା… ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ । ଲୋମ ଟାଙ୍କୁରି ଯିବ । ରାଗରେ ଲାଲ ପଡ଼ିଯିବେ ଆପଣ । ଆଉ ନିଜ ଝିଅକୁ ଘର ବାହାରକୁ ଛାଡ଼ିବାକୁ ଭୟ କରିବେ । କଣ ବା ଭୁଲ୍ ଥିଲା ଏ ନିରୀହ ଝିଅର ? ଷ୍ଟେସନ୍ ଯିବା ପାଇଁ ଅଟୋରେ ବସିବା ? ନାଁ ଅଟୋବାଲା ୨୫୦ ଟଙ୍କା ବଦଳରେ ୧୫୦ ଟଙ୍କା କାହିଁକି କହିଲା ତା ପଛରେ ଥିବା ମନ୍ଦ ଉଦ୍ଦେଶ୍ୟକୁ ବୁଝିବା ? ଯେଉଁ ସ୍ଥାନକୁ ଯିବା ପାଇଁ ସବୁ ଅଟୋବାଲା ୨୫୦ ଟଙ୍କାରୁ ଟଙ୍କାଟିଏ କମ୍ କରନ୍ତି ନାହିଁ ସେଠି ନିରୀହଗରିବ ଝିଅଟି କାହିଁକି ବା ଭାବିବ ଅଟୋବାଲା ଏତେ କମ୍ ପଇସା କାହିଁକି କହିଲା ବୋଲି ? ଭୁଲ୍ କେଉଁଠି ରହିଗଲା ଯେଉଥି ପାଇଁ ଆଜି ତା ସହ ଏମିତି କିଛି ଭୟଙ୍କର ଘଟଣା ଘଟିଗଲା । ଖରାପ କାମ କରି ପେଟ୍ରୋଲ ଢାଳି ପୋଡ଼ି ଜୀବନରୁ ମାରି ଦେଲେ ।

ବାହାରେ ଚାକିରି କରି ବାପା ଭାଇଙ୍କ ପାଖକୁ ଟଙ୍କା ପଠାଉଥିଲା ପରିବାର ଚଳାଉଥିଲା ଝିଅ । ବାପା ଭାଇଙ୍କ କାନ୍ଧରେ କାନ୍ଧ ମିଶାଇ ତାଙ୍କ ଦୁଃଖ ସୁଖରେ ସାଥୀ ହେଉଥିଲା । କିନ୍ତୁ ଆଜି ତାର ମଲା ମୁହଁ ବି ଦେଖିବାକୁ ପାଇଲେନି ପରିବାର ଲୋକେ । ଶୂନଶାନ ପଡ଼ିଆରେ ସବୁକିଛି ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଆଉ ରହି ଯାଇଛି ଦୁଷ୍କର୍ମ ସମୟରେ ଗଛ ଉପରେ ଫିଙ୍ଗାଯାଇଥିବା ଅନ୍ତବସ୍ତ୍ର । ଯାହାକୁ ଦେଖିବା ପରେ ପରିବାର ଲୋକଙ୍କ ଛାତିରେ ଛୁରୀ ଭୁସି ହୋଇଯାଉଛି ।

ହଁ ଆଜ୍ଞା, ଏ ଘଟଣା କୌଣସି ବାହାର ରାଜ୍ୟର ନୁହେଁ ବରଂ ଏହି ଆମ ଓଡ଼ିଶା ତାଳଚେର ଅଞ୍ଚଳର । କିଛି ଦିନ ତଳେ ଯୋଉ ପରିବାର ଝିଅ ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ । ଶେଷରେ ଝିଅ ତାଙ୍କୁ ଏପରି ଅବସ୍ଥାରେ ମିଳିଛି । ଯାହାକୁ ଦେଖିବା ପରେ ଧୈର୍ଯ୍ୟ ରହୁନି କାହାର । ଆମେ କହୁଛୁ ତାଳଚେର ଷ୍ଟେସନରୁ ଯୁବତୀ ନିଖୋଜ ଘଟଣା ସମ୍ପର୍କରେ । ବଅଁରପାଳ ଥାନା ଅନ୍ତର୍ଗତ ଭୋଗବେରେନି ପଞ୍ଚାୟତ କେନ୍ଦୁପଲି ଗାଁ ନିକଟ ବିଲରୁ ମିଳିଛି ନିଖୋଜ ଯୁବତୀଙ୍କ ମୃତଦେହ । ଦୁଷ୍କର୍ମ ପରେ ପୋଡି ମାରି ଦେଇଥିବା ଜଣାପଡ଼ିଛି । ଅଟୋରେ ତାଳଚେର ଷ୍ଟେସନରୁ ତାଳଚେର ରୋଡ଼କୁ ଯାଇଥିବା ବେଳେ ହୋଇଥିଲା ଅପହରଣ । ଘଟଣା ସ୍ଥଳରେ ବଅଁରପାଳ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିଲେ ।

ଗତ ୨୬ ତାରିଖ ଦିନ କଣିହାଁ ଥାନା ଅନ୍ତର୍ଗତ ଏକ ଗାଁର ଝିଅଟି ଭୁବନେଶ୍ୱର ଯିବା ପାଇଁ ତାଳଚେର ଷ୍ଟେସନ ଆସିଥିବା ବେଳେ ଟ୍ରେନ ବାତିଲ ହୋଇ ଯାଇଥିଲା । ତେଣୁ ଏକ ଅଟୋରେ ସେ ତାଳଚେର ରୋଡ଼ ଷ୍ଟେସନକୁ ଆସିଥିଲେ । ପରବର୍ତ୍ତୀ ସମୟରେ ଯେତେବେଳେ ଘର ଲୋକ ତାଙ୍କୁ ଫୋନ୍ କଲେ ତାଙ୍କ ମୋବାଇଲ ସ୍ୱିଚଅଫ ଆସିଲା । ବାରମ୍ବାର ଫୋନ୍ ପରେ କିଛି ଖବର ନପାଇ ପରିବାର ଲୋକେ ତାଳଚେର ରେଳବାଇ ଫାଣ୍ଡିରେ ଝିଅ ନିଖୋଜ ହେବା ନେଇ ଏକ ଲିଖିତ ଅଭିଯୋଗ କରିଥିଲେ । ଆଉ ସପ୍ତାହେ ପରେ ଏବେ ତାଙ୍କ ମୃତଦେହ ତାଳଚେର ରୋଡ଼ ଷ୍ଟେସନ ପାଖାପାଖି ଭୋଗବେରେନି ପଞ୍ଚାୟତ କେନ୍ଦୁପଲ୍ଲୀ ଗାଁ ନିକଟ ବିଲରୁ ଉଦ୍ଧାର ହୋଇଛି । ରେଳବାଇ ପୋଲିସ ଅଟୋକୁ ଜବତ କରିଥିବା ବେଳେ ଅଟୋ ଡ୍ରାଇଭର ଫେରାର ଥିବା ଜଣା ପଡ଼ିଛି । ଘଟଣା ସ୍ଥଳରେ ବଅଁରପାଳ ପୋଲିସ ସନ୍ଧାନି କୁକୁର ନେଇ ତଦନ୍ତ କରିଛି । ଘଟଣାରେ ଦୁଇଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

ସୂଚନା ଅନୁଯାୟୀ ଫେରାର ଥିବା ଅଟୋ ଚାଳକ ନାଁ ହେଉଛି ବିଶ୍ବଜିତ ଗୋଚ୍ଛାୟତ । ସେ ଷ୍ଟେସନ୍ ପାଖରେ ରହେ । ଜବତ ହୋଇଥିବା ଅଟୋଟି ତା ନିଜର । ତେବେ ଅଟୋର କୌଣସି କାଗଜପତ୍ର ନଥିବା ଜଣାପଡ଼ିଛି । ଏପ୍ରିଲ ୨୬ ତାରିଖ ଘଟଣା ପରେ ରେଳବାଇ ପୋଲିସ୍ ଅଟୋକୁ ଜବତ କରିଥିଲା । ସେଥିରୁ ପୀଡ଼ିତାଙ୍କ ବ୍ୟାଗ୍ ଓ ଜିନିଷପତ୍ର ମଧ୍ୟ ଉଦ୍ଧାର କରାଯାଇଥିଲା ।…. ଏହି ଦୁଷ୍କର୍ମ ଓ ହତ୍ୟା କାଣ୍ଡରେ ଏକାଧିକ ସାମିଲ ଥିବା ସନ୍ଦେହ କରାଯାଉଛି ।

Also Read:ନୂଆପଡ଼ାରେ ଫାୟାରିଂ, ଯୁବକଙ୍କ ଉପରକୁ ଗୁଳିମାଡ଼ କଲେ ୩ ଦୁର୍ବୃତ୍ତ