ଦିଦିଙ୍କୁ ବହୁତ ଗରମ, ବହିରେ ବିଞ୍ଚି ବିଞ୍ଚି ହାଲିଆ ଛାତ୍ରୀ

ଗଜପତି: ଛାତ୍ରଛାତ୍ରୀ ମାନେ ଦେଶର ଭବିଷ୍ୟତ। ଭବିଷ୍ୟତ ଅବହେଳା ନ ହେଇଯାଉ, ସେଥିପାଇଁ ସରକାର ବିଭିନ୍ନ ଯୋଜନା ସହ ଅନେକ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି । ସେଥିରେ ପୁଣି ଝିଅ ପିଲାଟିଏ ହୋଇଥିଲେ ଶିକ୍ଷା ପାଇଁ ମିଳୁଛି ଅଧିକା ସୁବିଧା । ସେଥିପାଇଁ ତ ସ୍କୁଲ ଗୁଡିକୁ ଦଣ୍ଡ ମୁକ୍ତ ଅଞ୍ଚଳ ଘୋଷଣା ସହ ସରକାର ଟୋଲ ଫ୍ରୀ ନମ୍ବର ମଧ୍ୟ ଜାରି କରିଛନ୍ତି ।

ତେବେ ସରକାର ବିଭିନ୍ନ ସୁବିଧା ସହ ବିଭିନ୍ନ ନିୟମ ଜାରି କଲେ ଏଥିପାଇଁ କି, ଯେମିତି ଶିକ୍ଷା ଗ୍ରହଣ କରିବାକୁ ଆସୁଥିବା ପିଲାମାନେ ଉଚିତ୍ ଶିକ୍ଷା ଗ୍ରହଣ କରିପାରିବେ । ଏପଟେ ସ୍କୁଲରେ ଝାଡୁ ମାରିବା, ସ୍କୁଲ ସଫା ସୁତୁରା କାମ କରିବା ଓ ଜଙ୍ଗଲରୁ କାଠ ଆଣିବା ଭଳି ଚିତ୍ର ବାରମ୍ବାର ଦେଖାଦେବାରୁ ସରକାର ଶିକ୍ଷା କ୍ଷେତ୍ରରେ ଆହୁରୀ ତତ୍ପର ହେଲେ ଏବଂ ହାତପାଆନ୍ତାରେ ସୁବିଧା ଯୋଗାଇଦେଲେ । କିନ୍ତୁ କଥାରେ ଅଛି ଯେତେ ମାଠିବୁ ମାଠ୍ ମୁଁ ସେହି ଦରପୋଡା କାଠ୍ ।

ଏହା ଆମେ କହିବାର କାରଣ  ମୋବାଇଲରୁ ମୋବାଇଲ ଘୂରି ବୁଲୁଥିବା ଏକ ଭିଡିଓ । ଯାହା ଗଜପତି ଜିଲ୍ଲା ରାୟଗଡ ବ୍ଲକର ପେଗଡା ସରକାରୀ ପ୍ରାଥମୀକ ବିଦ୍ୟାଳୟର । ଜଣେ ଶିକ୍ଷୟତ୍ରୀ ବିଚିତ୍ର ମୁଦ୍ରାରେ ବସିଛନ୍ତି ଆଉ ସ୍କୁଲର ଜଣେ କୁନି ଛାତ୍ରୀଟିଏ ବହିରେ ବିଞ୍ଚୁଛି । ଛାତ୍ରୀଟି ବିଞ୍ଚିବା ବେଳେ ତା ହାତ କାଟୁଛି ବୋଧେ ହୁଏ, ତଥାପି ଶୀକ୍ଷୟତ୍ରୀ ଜଣକ ଝିଅଟିକୁ ବିଞ୍ଚିବାକୁ କହୁଛନ୍ତି । ଶିକ୍ଷୟତ୍ରୀ ଜଣଙ୍କ ଚେୟାରେ ଉପରେ ଗୋଡ ହାତ ଟେକି ପୁରା ଆରାମ ମାରି ପାଠ ପଢାଉଛନ୍ତି କିଛି ଛାତ୍ରୀଙ୍କୁ । ଆଉ ପାଠ ଛାଡି ବିଞ୍ଚୁଛି ଜଣେ ଛାତ୍ରୀ । କି ବିଚିତ୍ର ଏହି ଶିକ୍ଷୟତ୍ରୀଙ୍କ ମନୋଭାବ । ତେବେ ଏହି ଭିଡିଓରେ ଜଳ ଜଳ ହୋଇ ଦିଶୁଛି ଶିକ୍ଷୟତ୍ରୀଙ୍କ ମହାରାଣୀ ଠାଣି ।

ତେବେ ସରକାରୀ ଚାକିରିଟିଏ ପାଇଗଲେ ଏମାନଙ୍କ ଗର୍ବ ନକହିବା ଭଲ ହେଲେ ନିଜ ଦାୟିତ୍ବ ତୁଲାଇବା କଥା ଆସିଲେ ଯେମିତି ଭୁଲି ଯାଆନ୍ତି । ଆଜିର ଭଳି ସମୟରେ ଜଣେ ଛାତ୍ରୀଙ୍କୁ ଏମିତି ବ୍ୟବହାର କରିବା ସଭ୍ୟ ସମାଜରେ କେତେ ଗ୍ରହଣୀୟ ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ଗଜପତି ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ଉପରେ ।

ଯଦି ଶିକ୍ଷୟତ୍ରୀ ଜଣକୁ ଏତେ ଗରମ ହେଉଛି ଛୁଟି ନେଇଯିବା କଥା ନଚେତ ଚାକିରୀ ଛାଡିଦେବା କଥା । କିନ୍ତୁ କୁନି କୁନି ପିଲାଙ୍କ ଭବିଷ୍ୟତ ସହ ଖେଳିବା, ପିଲାଙ୍କୁ ଏଭଳି ମାନସିକ ଓ ଶାରୀରିକ ପୀଡା ଦେବା କେତେ ଦୁର ଠିକ୍ । ସେପଟେ ସରକାର ମଧ୍ୟାହ୍ନ ଭୋଜନରୁ ଆରମ୍ଭ କରି ପୋଷାକ ଭଳି କେତେ କଣ ଯୋଜନା କରୁଛନ୍ତି । କିନ୍ତୁ ଏମିତିଆ ଶିକ୍ଷୟତ୍ରୀ ସରକାରଙ୍କ ମହତ ଉଦ୍ଦେଶ୍ୟକୁ ପଣ୍ଡ କରିବାରେ ଲାଗିଛନ୍ତି । କିନ୍ତୁ ଘଟଣାକୁ ନେଇ ଗଜପତି ଜିଲ୍ଲା ଶିକ୍ଷାଅଧିକାରୀ ମାୟାଧର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ଏହି ଭିଡିଓ ଦେଖିଲି ଯଦି ଏହା ସତ ହୋଇଥାଏ ତେବେ ଉକ୍ତ ଶିକ୍ଷୟତ୍ରୀଙ୍କ ନାମରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଯଦି ଜଣେ ପିଲାଟିଏ ଶିକ୍ଷା ଗ୍ରହଣ କରିବା ପାଇଁ ସ୍କୁଲକୁ ଆସୁଛି ଆଉ ଅଭିଭାବକ ନିଜ ପିଲାଙ୍କୁ କେତେ ଆଶା ଭରଷାରେ ବିଦ୍ୟାଳୟକୁ ପାଠ ଦି ଅକ୍ଷର ପଢାଇବା ପାଇଁ ପଠାଉଛନ୍ତି, ତେବେ ସେମାନଙ୍କ ଅଜାଣତରେ ଏମିତି ଘୃଣ୍ୟକାଣ୍ଡ ଭିଆଇବା କେତେ ଦୁର ଯୁକ୍ତିଯୁକ୍ତ । ତେବେ ଏଭଳି ଶିକ୍ଷୟତ୍ରୀ ସମଗ୍ର ଶିକ୍ଷୟତ୍ରୀ ଓ ଶିକ୍ଷକ ସମାଜ ପାଇଁ କଳଙ୍କ କହିଲେ ଭୁଲ ହେବ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like