ମାଡ଼ି ଆସୁଛି ସମୁଦ୍ର, ସମୁଦ୍ର ଆଁ ଭିତରେ ଚାଲିଯିବ ବଡ଼ ବଡ଼ ସହର

କେନ୍ୟୁଜ୍(ବ୍ୟୁରୋ):  ବଦଳୁଛି ଜଳବାୟୁ । ସନ୍ତୁଳନ ହରାଉଛି ପରିବେଶ । କୂଳ ଲଂଘୁଛି ସମୁଦ୍ର । ଜଳପତ୍ତନ ବଢୁଛି । ବିଶ୍ୱର ଉପକୂଳକୁ ଘନଉଛି ବିପଦ । ୩୦ ବର୍ଷ ପରେ ଉପକୂଳରେ ଜଳ ପ୍ରଳୟ ଆସିବ । ୨୦୫୦ ସୁଦ୍ଧା ବୁଡ଼ିଯିବ ବିଭିନ୍ନ ଦେଶର ଉପକୂଳରେ ଥିବା ବହୁ ସହର । ପାଣି ଭିତରେ ଲୁଚିଯିବ ବଡ଼ ବଡ଼ ଅଟ୍ଟାଳିକା, ପ୍ରାଚୀନ କିର୍ତ୍ତୀରାଜି । ଏମିତି ଆକଳନ କରିଛି ଜଳବାୟୁ ବିଜ୍ଞାନ ଉପରେ କାର୍ଯ୍ୟ କରୁଥିବା କ୍ଲାଇମେଟ୍‌ ସେଣ୍ଟ୍ରାଲ୍‌ । ରିପୋର୍ଟରେ ଉଲ୍ଲେଖ ରହିଛି, ୨୦୫୦ ସୁଦ୍ଧା ଉପକୂଳ ଜଳମଗ୍ନ ହେଲେ ପ୍ରଭାବିତ ହେବେ ୩୦ କୋଟି ଲୋକ । ପୂର୍ବରୁ ପ୍ରାୟ ୮ କୋଟି କ୍ଷତିଗ୍ରସ୍ତ ନେଇ ଆଶଙ୍କା କରାଯାଉଥିଲା ।

ବର୍ତ୍ତମାନର ଆକଳନ ଅନୁସାରେ ୩ ଗୁଣାରୁ ଅଧିକ । ବିଶେଷ କରି ୬ଟି ଦେଶ ଚୀନ୍‌, ବାଂଲାଦେଶ, ଭାରତ, ଭିଏତନାମ, ଇଣ୍ଡୋନେସିଆ ଓ ଥାଇଲାଣ୍ଡ ଉପକୂଳକୁ ବୁଡ଼ାଇ ଦେବ ସମୁଦ୍ର । ଚୀନର ୯ କୋଟି ୩୦ଲକ୍ଷ, ବାଂଲାଦେଶର ୪କୋଟି ୨୦ଲକ୍ଷ, ଭାରତର ୩କୋଟି ୬୦ ଲକ୍ଷ ଲୋକ ପ୍ରଭାବିତ ହେବ । ଭିଏତନାମରେ ୩କୋଟି ୧୦ ଲକ୍ଷ, ଇଣ୍ଡୋନେସିଆର ୨କୋଟି ୩୦ଲକ୍ଷ, ଥାଇଲାଣ୍ଡରେ ପ୍ରଭାବିତ ହେବେ କୋଟିଏ ୧୦ ଲକ୍ଷ ଲୋକ । ଏହି ୬ଟି ଦେଶରେ ଉପକୂଳର ୭୫ ପ୍ରତିଶତ ସମୁଦ୍ର ଗର୍ଭରେ ଲୀନ ହୋଇଯାଇପାରେ ।

ଭାରତ ଉପକୂଳର ବହୁ ସହର ପ୍ରତି ବିପଦ ବଢୁଛି । ପୂର୍ବ ଉପକୂଳରେ ବେଶୀ କ୍ଷତିଗ୍ରସ୍ତ ହୋଇପାରେ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳ । କ୍ଲାଇମେଟ୍‌ ସେଣ୍ଟ୍ରାଲ୍‌ ତଥ୍ୟ ଅନୁସାରେ ଓଡ଼ିଶା ଉପକୂଳର ଚିଲିକା, କୋଣାର୍କ, ସାତପଡ଼ା, ବ୍ରହ୍ମଗିରି, କାକଟପୁର, ପାରାଦୀପ, କେନ୍ଦ୍ରାପଡ଼ା, ପଟ୍ଟମୁଣ୍ଡାଇ, ଆଳି, ଚାନ୍ଦବାଲି, ବାସୁଦେବପୁର, ଚାନ୍ଦିପୁର, ବାଲିଆପାଳ ଆଦି ଉପକୂଳିଆ ଅଞ୍ଚଳକୁ ବୁଡ଼ାଇ ଦେବ ସମୁଦ୍ର ପାଣି । ପଶ୍ଚିମବଙ୍ଗର ସୁନ୍ଦରବନ, ହଳଦିଆ, ଦୀଘା ଆଦି ଉପକୂଳ ବୁଡ଼ିଯିବ ।  ସେହିପରି ପଶ୍ଚିମ ଉପକୂଳରେ ନଭି ମୁମ୍ବାଇ, ଗୁଜରାଟର ଉପକୂଳ ପ୍ରତି ବିପଦ ରହିଛି ।

 ସହରଗୁଡ଼ିକ ଗ୍ଲୋବାଲ ୱାର୍ମିଂର ହଟସ୍ପଟ ପାଲଟିଛି । ବିଶେଷକରି କାର୍ବନ ଡାଇଅକ୍ସାଇଡ ଗ୍ୟାସ ଓ ଗ୍ରୀନ ହାଉସ ଗ୍ୟାସ୍‌ ଅଧିକ ନିର୍ଗମନ ଯୋଗୁ ତାପମାତ୍ରା ବୃଦ୍ଧି ଦ୍ରୁତ ଜଳବାୟୁ ପରିବର୍ତ୍ତନର କାରଣ ପାଲଟିଛି । ଏଥିଯୋଗୁ ୨୦୪୦ ସୁଦ୍ଧା ବିଶ୍ୱରେ ତାପମାତ୍ରା ୧.୫ ଡିଗ୍ରି ସେଲସିୟସ ବଢ଼ିବାର ଆଶଙ୍କା ରହିଛି । ସେହିପରି ଏକବିଂଶ ଶତାବ୍ଦୀରେ ସମୁଦ୍ରର ଜଳପତ୍ତନ ୨ରୁ ୭ ଫୁଟ୍‌ କିମ୍ବା ତାଠୁ ଅଧିକ ବଢ଼ିବା ଆଶଙ୍କା ରହିଛି । କ୍ଲାଇମେଟ୍‌ ସେଣ୍ଟ୍ରାଲର ଚମକାଇ ଦେଲା ଭଳି ଆକଳନ ବିଶ୍ୱ ପ୍ରତି ନୂଆ ଚ୍ୟାଲେଞ୍ଜ ସୃଷ୍ଚି କରିଛି । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.