ଗାଁ ପଛ ପଟ ରାସ୍ତାରେ ଛକି ବସିଥିଲେ ୫ ଦୁର୍ବୃତ୍ତ, ସୁଯୋଗ ପାଇ ସୁନା ବେପାରୀଙ୍କୁ ମାଡ଼ି ବସିଲେ

ବାଲୁଗାଁ: ସମ୍ଭାଳି ପାରିଲେନି ଲୋଭ । ଟଙ୍କା ଓ ସୁନା ଲୋଭରେ ବାଇଆ ହୋଇ ସୁନା ବ୍ୟବସାୟୀଙ୍କୁ କଲେ ମରଣାନ୍ତକ ଆକ୍ରମଣ । ଲହୁଲୁହାଣ କରି ଲୁଟି ନେଲେ ୧୫ କିଲୋ ରୂପା ଅଳଙ୍କାର । ସକାଳୁ ସକାଳୁ  ସୁନା ବ୍ୟବସାୟୀଙ୍କୁ ଗୁଳିମାଡ଼ କରି ଏଭଳି ଲୁଟ କରିଛନ୍ତି ଦୁର୍ବୃତ୍ତ । ବାଲୁଗାଁ ଥାନା ଅନ୍ତର୍ଗତ ନିମିକ୍ଷେତା ଗାଁ ପଛ ପଟ ରାସ୍ତାରେ ଗୁଳି ମାଡ଼ କରିଛନ୍ତି ୫ ଦୁର୍ବୃତ୍ତ । ଦୁଇଟି କଳା ପଲସରରେ ୫ ଜଣ ଦୁର୍ବୃତ୍ତ ଆସି ଗୁଳି ମାଡ଼ କରି ଲକ୍ଷାଧିକ ଟଙ୍କାର ସୁନା ରୂପା ଅଳଙ୍କାର ଲୁଟି ନେଇଛନ୍ତି । ୨ ରାଉଣ୍ଡ ଗୁଳି ମାଡ଼ ହୋଇଥିବା ବେଳେ, ସୁନା ବେପାରୀଙ୍କ ଡାହାଣ ଛାତି ଓ ହାତରେ ବାଜିଛି ଗୁଳି  ।

ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଉମାକାନ୍ତପୁରର ଦୈନିକ ସୁନା ବ୍ୟବସାୟୀ ପ୍ରହଲ୍ଲାଦ ନାୟକ ଆଜି ସକାଳେ ନିଜ ବାଇକରେ ଅଳଙ୍କାର ନେଇ ବେପାର କରିବାକୁ ବାହାରିଥିଲେ । କିନ୍ତୁ ସେ ଆଜି ଏକ ବଡ଼ ବିପଦକୁ ସାମ୍ନା କରିବେ କେବେ ବି ଭାବି ନଥିଲେ । ପାଖାପାଖି ୫ ଦୁର୍ବୃତ୍ତ ପ୍ରହଲ୍ଲାଦଙ୍କୁ ଛକି ବସିଥିଲେ । ପ୍ରହଲ୍ଲାଦ ବାଲୁଗାଁ ବାଣପୁର ଅଭିମୁଖେ ଯାଉଥିବା ବେଳେ ନିମିକ୍ଷେତା ଗାଁ ପଛ ପଟ ରାସ୍ତାରେ ୨ଟି କଳା ପଲସରରେ ୫ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଅଟକାଇ ଥିଲେ । ପ୍ରଥମେ ପ୍ରହଲ୍ଲାଦ ଓ ଦୁର୍ବୃତ୍ତଙ୍କ ମଧ୍ୟରେ ହାତାହାତି ହେଲା ପରେ ଦୁଇ ରାଉଣ୍ଡ ଗୁଳି ମାଡ଼ କରି ବାଇକର ଡିକି ଭାଙ୍ଗି ପ୍ରାୟ ୧୫ କିଲୋରୁ ଉର୍ଦ୍ଧ ରୂପା ଅଳଙ୍କାର ଲୁଟି ନେଇ ଘଟଣା ସ୍ଥଳରୁ ଫେରାର ମାରିଥିଲେ ଦୁର୍ବୃତ୍ତ ।  ଗୁଳି ମାଡ ଫଳରେ ପ୍ରହଲ୍ଲାଦ ଗୁରୁତର ଭାବେ ଆହତ ହୋଇ ତଳେ ପଡିଯାଇଥିଲେ । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ବ୍ୟବସାୟୀଙ୍କୁ ଉଦ୍ଧାର କରି ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଇଥିଲେ । ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଖବର ପାଇ ସଙ୍ଗେସଙ୍ଗେ ବାଲୁଗାଁ ପୋଲିସ  ଘଟଣା ସ୍ଥଳରେ  ପହଞ୍ଚି ତଦନ୍ତ ଆରମ୍ଭ କରିଛି  । ଘଟଣା ସ୍ଥଳରେ ପ୍ରହଲ୍ଲାଦଙ୍କ ବାଇକ ପଡ଼ିଥିବା ବେଳେ, ବୁଲେଟ ଓ ଖାଲି ଖୋକା ପଡ଼ିରହିଥିବା ଦେଖିବାକୁ ମିଳିଛି  ।

ବାଲୁଗାଁ ଅଞ୍ଚଳରେ ବଢ଼ିବାକୁ ଲାଗିଛି ଚୋରି ଓ ରାହାଜାନି ଖବର । ରାତି କଣ ଲୋକ ସକାଳେ ବି ଘରୁ ବାହାରିବାକୁ ଭୟ କଲେଣି । ଛକ ଛକରେ କାୟା ବିସ୍ତାର କରି ରହିଛନ୍ତି ଲୁଟେରା । ପୋଲିସ ପାଟ୍ରୋଲିଂ ହେଉଥିଲେ ବି ଚୋରଙ୍କ ପ୍ରାଦୁର୍ଭାବ କମିବାର ନାଁ ନେଉନି । ତେଣୁ ଘଟଣାକୁ ଗୁରୁତର ସହ ନେଇ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଗଲେ ହିଁ ଚୋରଙ୍କ ମନରେ ଡର ପଶିବ । ଆଉ ଏମିତି ଚୋରି ଭଳି ଅପରାଧ କରିବା ଠାରୁ ଦୂରେଇ ରହିବେ ଚୋର ।

Also Read: ଦୋକାନ ବନ୍ଦ କରି ଘରକୁ ଯାଉଥିଲେ, ବନ୍ଧୁକ ଦେଖାଇ ସୁନା ବ୍ୟବସାୟୀଙ୍କଠୁ ଲୁଟିନେଲେ