ସୁନା କିଣିବାକୁ ଡରିଲେଣି ଗ୍ରାହକ, ଲକ୍ଷେ ହେବାକୁ ଆଉ କେତେ ଦିନ ?

ମୁଣ୍ଡ ଉପରେ ଝିଅ ପୁଅଙ୍କ ବାହାଘର । ଚିନ୍ତା ବଢ଼ାଉଛି ଏ ସୁନା ଦର । ହୁ ହୁ ହୋଇ ବଢ଼ି ଚାଲିଛି, ଭାଙ୍ଗୁଛି ରେକର୍ଡ଼ । ଆକାଶ ଛୁଆଁ ଦର ହୋଇଗଲାଣି ସୁନା । ସୁନା କିଣିବାକୁ ଡରିଲେଣି ଗ୍ରାହକ । ୨୨ ହେଉ କି ୨୪ କ୍ୟାରେଟ ଉଭୟ ଦର ଲକ୍ଷେ ପାଖାପାଖି ହେଲାଣି । ଗତ ବର୍ଷ ତୁଳନାରେ ଏହି ମୂଲ୍ୟବାନ ଧାତୁର ଦାମ୍ ବଢ଼ିଛି । ଲକ୍ଷେ ହେବାକୁ ଆଉ ବା କେତେ ଦିନ ?
ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ପାଖାପାଖି ୮୫ହଜାର ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ପାଖାପାଖି ୯୨ହଜାର ଟଙ୍କା ରହିଛି । ସପ୍ତାହକ ମଧ୍ୟରେ ୨୨ କ୍ୟାରେଟ୍ ସୁନା ୩ ହଜାରରୁ ଅଧିକ ମହଙ୍ଗା ହୋଇଥିବା ବେଳେ ୨୪ କ୍ୟାରେଟ୍ ସୁନା ୨,୫୧୦ ଟଙ୍କା ମହଙ୍ଗା ହୋଇଛି । ଆଗକୁ ବିବାହ ଋତୁ ଥିବାରୁ ଗ୍ରାହକଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । କେମିତି ଏତେ ଦରରେ କିଣିବେ ସୁନା ଆଉ ବଢ଼ିଲା ପୁଅ ଝିଅର କରିବେ ବାହାଘର ।
ମାସକ ତଳେ ଅର୍ଥାତ୍ ମାର୍ଚ୍ଚ ୧ ରେ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦାମ ୧୦ ଗ୍ରାମ ପିଛା ୭୯ ହଜାର ୪୦୦ ଟଙ୍କାରେ ବିକ୍ରି ହେଉଥିଲା । ହେଲେ ମାସକ ଭିତରେ ଏହା ୫ ହଜାର ୭୦୦ ଟଙ୍କା ବଢ଼ି ଆଜି ୮୫ ହଜାର ୧୦୦ ଟଙ୍କାରେ ପହଞ୍ଚିଛି । କେବଳ ସୁନା ନୁହେଁ, ରୁପା ଦାମ୍ ମଧ୍ୟ ବଢ଼ିଛି । ଏକ କିଲୋ ରୁପାର ଦାମ୍ ଏବେ ୧ଲକ୍ଷ ୧୩ହଜାର ଟଙ୍କା ରହିଛି । ଗତ ମାର୍ଚ୍ଚ ୧ରେ ଭୁବନେଶ୍ବରରେ ରୁପା କିଲୋ ୧ ଲକ୍ଷ ୫ ହଜାର ଟଙ୍କା ଥିବାବେଳେ ମାସକ ଭିତରେ ଏହା ୯ ହଜାର ଟଙ୍କା ବଢ଼ି ୧ ଲକ୍ଷ ୧୪ ହଜାର ଟଙ୍କାରେ ପହଞ୍ଚିଲାଣି । ଗତବର୍ଷ ତୁଳନାରେ ଚଳିତ ବର୍ଷ ଭାରତରେ ସୁନା ଦାମ୍ ୩୮ ପ୍ରତିଶତ ଓ ରୁପା ୩୬ ପ୍ରତିଶତ ବଢ଼ିଛି ।
ତେବେ ସୁନା ଦର ଏପରି ବଢ଼ୁଥିବା ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠିଛି । ଆମ ଦେଶରେ କାହିଁକି ବଢ଼ୁଛି ସୁନାଦର ? ଆଉ କେତେ ଦିନ ଲାଗି ରହିବ ଏଭଳି ସ୍ଥିତି ? ବଜାର ବିଶେଷଜ୍ଞଙ୍କ ମତ ଅନୁସାରେ ସୁନା ଦରବୃଦ୍ଧି ପଛରେ ରହିଛି ଅନେକ କାରଣ ।
ଆମ ଦେଶ ସୁନା ପାଇଁ ଆନ୍ତର୍ଜାତିକ ବଜାର ଉପରେ ନିର୍ଭର କରିଥାଏ । ଯେହେତୁ ଆନ୍ତର୍ଜାତିକ ବଜାରରେ ସୁନା ଦାମ୍ ବଢ଼ିବାରେ ଲାଗିଛି । ସେଥିପାଇଁ ଭାରତରେ ବି ତାହାର ପ୍ରଭାବ ଦେଖିବାକୁ ମିଳୁଛି । ସେପଟେ ଆମେରିକାର ଟ୍ରମ୍ପ୍ ପ୍ରଶାସନର କଟକଣା ନିଷ୍ପତ୍ତି ଷ୍ଟକ୍ ବଜାରକୁ ପ୍ରଭାବିତ କରୁଛି । ତେଣୁ ନିବେଶକମାନେ ଷ୍ଟକ୍ ମାର୍କେଟ୍ ବଦଳରେ ସୁନାରେ ପୁଞ୍ଜିନିବେଶକୁ ଅଧିକ ସୁରକ୍ଷିତ ମଣୁଛନ୍ତି ।
ସେହିପରି ଭାରତ ସମେତ ବହୁ ବଡ଼ ରାଷ୍ଟ୍ରର କେନ୍ଦ୍ରୀୟ ବ୍ୟାଙ୍କ ସୁନା କିଣି ମହଜୁଦ ରଖୁଛନ୍ତି । ଏସବୁ କାରଣ ଯୋଗୁ ସୁନା ଦର ବଢ଼ିଚାଲିଛି । ତେବେ ଯଦି ଏଭଳି ସ୍ଥିତି ଲାଗି ରହିବ, ସୁନାଦର ଆଗାମୀ ମାସକ ଭିତରେ ୧ ଲକ୍ଷ ଟଙ୍କା ଟପିଯାଇପାରେ ବୋଲି ଅନୁମାନ କରାଯାଉଛି ।
Also Read:ଚଳିତ ମାସରେ ଲଞ୍ଚ ହେବ ଏହି ୩ଟି ଦମଦାର୍ କାର, ଇଲେକ୍ଟ୍ରିକ୍ ସ୍ପୋର୍ଟସ୍ କାର ମଧ୍ୟ ସାମିଲ