ସେ ଦିନରୁ ଶୁଖିନି ପରିବାର ଆଖିରୁ ଲୁହ: ଅନୁକମ୍ପା ରାଶି ବୃଦ୍ଧି ସହ ସାହସିକତା ପୁରସ୍କାର ପାଇଁ ଯୋର ଧରିଲାଣି ଦାବି

ଯାଜପୁର ଟାଉନ/ଯାଜପୁର ରୋଡ : ସେ ଦିନରୁ ଶୁଖିନି ମାଆ, ଜେଜେମାଆଙ୍କ, ଆଖିରୁ ଲୁହ । ନୀଳମାଧବଙ୍କୁ ହରାଇ ଭାଙ୍ଗିପଡିଛି ସାରା ପରିବାର । ଏଇ ନିକଟରେ ବାପା, ଜେଜେବାପାଙ୍କୁ ହରାଇ ଥିଲେ ନୀଳମାଧବ । ଆଉ ଆଜି ନିଜେ ଶୋଇଗଲେ ଚୀରଦିନ ପାଇଁ । ଆଉ ଏପଟେ ସ୍ୱାମୀଙ୍କୁ ହରାଇ ମ୍ରିୟମାଣ ସୁନୀଲ୍ ଙ୍କ ପତ୍ନୀ । ଏଇତ ଦୁହେଁ ମିଣି ସୁଖର ସଂସାର ଆରମ୍ଭ କରିଥିଲେ । ସାତ ଜନ୍ମ ପାଇଁ ଜୀବନ ପଥରେ ଏକାଠି ହାତ ଧରାଧରି ହୋଇ ଚାଲିବେ ବୋଲି କଥା ଦେଇଥିଲେ । ହେଲେ ସବୁ ଦିନ ପାଇଁ ପର କରି ଚାଲିଗଲେ ସୁନୀଲ୍ । ଦେଢ ବର୍ଷର ଝିଅକୁ ଏବେ କେମିତି ମଣିଷ କରିବେ ସେଇ ଚିନ୍ତାରେ ସୁନୀଲ୍ ଙ୍କ ବିଧବା ପତ୍ନୀ ।

ଘଟଣା ଗତ ୪ ତାରିଖ । ଯାଜପୁର ପାଣିକୋଇଲିରେ ଘଟିଥିବା ଅଳଙ୍କାର ଲୁଟ୍ ଓ ଗୁଳିକାଣ୍ଡ ଘଟଣା ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଘଟଣାରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଏବେବି ଖୋଜୁଛି ପୋଲିସ୍ । ହେଲେ ଗୁଳିକାଣ୍ଡ ଘଟଣାରେ ମୃତ୍ୟୁବରଣ କରିଥିବା ପରିବାର ଆଖିରୁ ଲୁହ ଥମିବାର ନ ଧାରୁନି । ଘଟଣା ଦିନ ପୋଲିସ୍ ଅବହେଳା ଯୋଗୁଁ ଦୁଇ ନିରୀହ ଯୁବକଙ୍କ ଜୀବନ ଯାଇଥିବାରୁ ମୃତକଙ୍କ ପରିବାରକୁ ଅଧିକ ଅନୁକମ୍ପା ରାଶି ଓ ସାହସିକତା ପୁରସ୍କାର ପାଇଁ ଦାବି ଜୋର୍ ଉଠିଲାଣି । ଡକାୟତଙ୍କୁ କାବୁ କରିବାକୁ ଯାଇ ମୃତ୍ୟୁବରଣ କରିଥିବା ଏହି ଦୁଇ ଯୁବକଙ୍କ ସାହସିକତାର ଚର୍ଚ୍ଚା ଏବେ ଗଳି କନ୍ଦିରେ । ତେଣୁ ଏନେଇ ପ୍ରଶାସନ ପକ୍ଷରୁ ସାହସିକତା ପୁରସ୍କାର ପ୍ରଦାନ ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ସୂଚନା ମିଳିଛି ।

ଏପଟେ ଘଟଣା ଦିନ ପୋଲିସକୁ ବାରମ୍ବାର ଖବର ଦେବା ପରେ ମଧ୍ୟ କେହି ଘଟଣାସ୍ଥଳରେ ପହଞ୍ଚି ନଥିଲେ । ଯାହାଫଳରେ ସୁନୀଲ ରାୟ ଏବଂ ନୀଳମାଧବ ପଣ୍ଡା ଭଳି ଦୁଇ ଜଣ ନିରୀହ ଯୁବକଙ୍କ ମୃତ୍ୟୁ ଘଟିଲା । ଅନ୍ୟ ଜଣେ ଯୁବକ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ରାଜ୍ୟରେ ଦିନ ଦ୍ଵିପ୍ରହରରେ ଡକାୟତି କରି ଅପରାଧୀ ମାନେ ଫେରାର ହୋଇଯାଉଥିବା ବେଳେ ଏହି ଘଟଣାରେ କିନ୍ତୁ ସ୍ଥାନୀୟ ଲୋକେ ଡକାୟତଙ୍କୁ କାବୁ କରିଛନ୍ତି । ତେଣୁ ଏଭଳି ଏକ ପରିସ୍ଥିତିରେ ଦୁଇ ମୃତକଙ୍କ ପରିବାରର ଥଇଥାନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ସହ ସାହସିକତା ପୁରସ୍କାର ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ସୂଚନା ମିଳିଛି ।

ତେବେ ଏତେ ବଡ ଅଘଟର ପରେ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଆର୍ଥିକ ଅନୁକମ୍ପା ରାଶି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ତେବେ ଠିକ୍ ସମୟରେ ପୋଲିସ୍ ନ ପହଞ୍ଚିବା ଆଉ ଏଭଳି ସମୟରେ ନିଜ ଜୀବନକୁ ବାଜି ଲଗାଇ ଉଭୟ ସୁନୀଲ ଏବଂ ନୀଳମାଧବ ସାହସିକତା ଦେଖାଇବା କଣ ଏତେ ଛୋଟ କଥା । ତେଣୁ ଉଭୟଙ୍କୁ ଯଥାଶୀଘ୍ର ସାହସିକତା ପୁରସ୍କାର ପ୍ରଦାନ କରିବା ସହ ଅନୁକମ୍ପା ରାଶିକୁ ବୃଦ୍ଧି କରିବାକୁ ସାଧାରଣରେ ଦାବି ଜୋର ଧରିଥିବା ବେଳେ ରାଜ୍ୟ ସରକାର ଓ ପ୍ରଶାସନର ଏ ଦିଗରେ କି ପଦକ୍ଷେପ ଗ୍ରହଣ କରୁଛି ତାହା ସମସ୍ତଙ୍କ ନଜର ।