ମାରାତ୍ମକ କ୍ୟାନ୍ସରରେ ପୀଡ଼ିତ ଗୋପାଳ, ସାହାଯ୍ୟ ପାଇଁ ଅନୁରୋଧ କରୁଛି ପରିବାର

ବିଛଣାରେ ପଡି ଜୀବନ ମରଣ ସହ ସଙ୍ଘର୍ଷ କରୁଛନ୍ତି ମାରାତ୍ମକ କ୍ୟାନ୍ସରରେ ପୀଡ଼ିତ ଜଣେ ବ୍ୟକ୍ତି । ଅର୍ଥାଭାବ ଯୋଗୁ ସ୍ବାମୀଙ୍କ ଚିକିତ୍ସା କରିବା ତ ଦୂର ର କଥା ପେଟକୁ ମୁଠାଏ ଦାନା ଯୋଗାଡ କରିବା ପାଇଁ ଅସହାୟ ହୋଇ ପଡିଛି ସ୍ତ୍ରୀ । ଦିନେ ହସ ଖୁସିରେ ଚାଲିଥିବା ସଂସାର ଆଜି ଲୁହ ଦରିଆରେ ଭାସୁଛି । ସେଦିନ ସ୍ୱାମୀ ରୋଜଗାର କରୁଥିଲେ ସେଥିରେ ପରିବାର ଚଳୁଥିଲା । ହେଲେ ଆଜି ସ୍ତ୍ରୀ ଉପରେ ନିର୍ଭର କରୁଛି ସାରା ପରିବାର । ସ୍ୱାମୀଙ୍କୁ ମାରାତ୍ମକ କ୍ୟାନ୍ସର ହେବା ପରେ ପରିବାର ପାଇଁ ଏହା ଏବେ କାଳ ପାଲଟିଛି । ପର ଘରେ ମୂଲ ଲାଗି ଚାରି ପ୍ରାଣୀଙ୍କ ପେଟରେ ଦାନା ଯୋଗାଉଥିବା ସ୍ତ୍ରୀ ସବିତା ଏବେ ଥକି ପଡିଛନ୍ତି । ନା ପିଲାଙ୍କୁ ଦେଖିବେ ନା ସ୍ୱାମୀଙ୍କୁ ଚିକିତ୍ସା କରାଇବେ । ସ୍ୱାମୀର ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି ।

ଗୋପାଳ ଏବେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କଣ୍ଠାଳିଆ ଗାଁର ବାସିନ୍ଦା ହେଉଛନ୍ତି ଗୋପାଳ ବିଶ୍ବାଳ । ସ୍ତ୍ରୀ ପିଲା ଛୁଆ ଧରି ସୁଖରେ ଚଳୁଥିଲେ । କେଉଁଠି କାମ ଧନ୍ଦା କରି ଦି ପଇସା ଆଣିଲେ ପରିବାରର ଗୁଜୁରାଣ ମେଣ୍ଟୁଥିଲା । ହେଲେ ଆଜି ନା କାମକୁ ଯାଇ ପାରୁଛନ୍ତି ନା ଘରେ ଶାନ୍ତିରେ ନିଶ୍ୱାସ ନେଇପାରୁଛନ୍ତି । ମାରାତ୍ମକ କ୍ୟାନ୍ସରରେ ପୀଡିତ ହେବାରୁ ଦୀର୍ଘ ଏକ ବର୍ଷ ହେବ ଶଯ୍ୟାଶାୟୀ ହୋଇ ଘରେ ପଡ଼ି ରହିଛନ୍ତି । ତାଙ୍କ ସେବା କରିବାରେ ଦିନ ରାତି ଏକ କରି ଦେଉଛନ୍ତି ସ୍ତ୍ରୀ ଏବଂ ପିଲା ।  ସ୍ୱାମୀଙ୍କୁ ଭଲ କରିବା ପାଇଁ ଯାହା ସମ୍ପତି ଥିଲା ତାହା ମଧ୍ୟ ବିକି ଦେଇଛନ୍ତି ସ୍ତ୍ରୀ ।

ରାଜ୍ୟରେ ବିଭିନ୍ନ ଘରୋଇ କ୍ୟାନ୍ସର ହସ୍ପିଟାଲରେ ଚିକିତ୍ସା କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରି ନଥିଲା । ଏବେ କଟକର ଏକ କ୍ୟାନ୍ସର ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ । ସେଠାରେ BSKY କାର୍ଡରେ ମାଗଣାରେ ଅପରେସନ ହେବ ସତ କିନ୍ତୁ ଅପରେସନ ପରେ ମାସକୁ ମେଡିସିନ ଓ ଅନ୍ୟାନ୍ୟ ଚିକିତ୍ସା ପାଇଁ ଯେଉଁ ଟଙ୍କା ଖର୍ଚ୍ଚ ହେବ ସେଥିପାଇଁ ଅର୍ଥ ନାହିଁ । ତେଣୁ ଅପରେସନ ମଧ୍ୟ ହୋଇ ପାରୁନି । ବାହାର ରାଜ୍ୟର ହସ୍ପିଟାଲରେ ଉନ୍ନତ୍ତ ମାନର ଚିକିତ୍ସା ପାଇଁ ୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଆବଶ୍ୟକ ବୋଲି ଡାକ୍ତର କହୁଛନ୍ତି । ଯାହା ଶୁଣିବା ପରେ ଅସହାୟ ପରିବାରର ପାଦ ତଳୁ ମାଟି ଖସି ଯାଇଛି ।

ଦୀର୍ଘ ୭ ବର୍ଷ ଧରି ଗୁଜୁରାଟରେ ଏକ ଘରୋଇ କମ୍ପାନୀରେ ଦାଦନ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ ଗୋପାଳ । ଯାହା କିଛି ରୋଜଗାର ହେଉଥିଲା ସେଥିରେ କଷ୍ଟେ ମଷ୍ଟେ ସଂସାର ଚଳି ଯାଉଥିଲା । ମାତ୍ର ଏକ ବର୍ଷ ପୂର୍ବରୁ ପାଟିରେ ଯନ୍ତ୍ରଣା ହେବାରୁ ସେ ଗାଁକୁ ଫେରିଆସି ଥିଲେ । ଡାକ୍ତର ଦେଖାଇବା ପରେ ଗୋପାଳ କ୍ୟାନ୍ସରରେ ଆକ୍ରାନ୍ତ ଥିବା ଜଣା ପଡିଥିଲା । ରୋଜଗାରିଆ ସ୍ବାମୀର ଏପରି ଅବସ୍ଥା ହେବା ପରେ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ସ୍ତ୍ରୀ ସବିତା ଘରୁ ଗୋଡ଼ କାଢ଼ିଛନ୍ତି । କେଉଁଠି ଦିନ ମଜୁରିଆ ଭାବେ କାମ କରୁଛନ୍ତି ତ କେଉଁଠି ବିଲରେ ମୁଲ ଲାଗୁଛନ୍ତି । ଆଉ ସେଥିରେ ଯେତିକି ଟଙ୍କା ମିଳୁଛି ନା ସ୍ବାମୀଙ୍କ ଔଷଧ ଖର୍ଚ୍ଚ ହେଉଛି ନା ପରିବାରକୁ ଅଣ୍ଟୁଛି । ସରକାରୀ ସହାୟତା କହିଲେ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ରାସନ କାର୍ଡରେ ମିଳୁଛି କେବଳ ୨୦ କେଜି ଚାଉଳ ।

ସ୍ୱାମୀର ଚିକିତ୍ସା ପାଇଁ ସ୍ତ୍ରୀ ପାଖରେ ଅର୍ଥ ନଥିବାରୁ ଘରର ଚାରି କାନ୍ଥ ଭିତରେ ଗୋପାଳଙ୍କୁ ରଖିଛନ୍ତି । ଦି ଓଳି ଦିମୁଠା ଖାଇବାକୁ ଦେବା ଛଡା ତାଙ୍କ ପାଖରେ ଆଉ କୌଣସି ରାସ୍ତା ନାହିଁ । ସରକାରଙ୍କୁ ଗୁହାରି କରିଛନ୍ତି ଯଦି କିଛି ଆର୍ଥିକ ସହାୟତା ମିଳି ପାରିବ ତାହାଲେ ସ୍ୱାମୀକୁ ଚିକିତ୍ସା କରାଇ ପାରିବେ । ଏବେ ସ୍ୱାମୀ ଓ କୁନି କୁନି ପୁଅ ଝିଅଙ୍କୁ ଚଳାଇବା ସବିତାଙ୍କ ପକ୍ଷେ କଷ୍ଟ ସାଧ୍ୟ ହୋଇ ପଡିଛି । ସେପଟେ ଖେଳକୁଦ ବୟସର କୁନି ଝିଅ ବାପାଙ୍କୁ ଖୁଆଇବା ସହ ଘର କାମରେ ମା’କୁ ସାହାଯ୍ୟ କରୁଛି । ଏହି ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦା ଉକ୍ତ ପରିବାରକୁ ସରକାରୀ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି  । ତେବେ ଏ ବାବଦରେ ଭୋଗରାଇ ବିଡିଓଙ୍କ ପଚାରିବାରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ତରୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି । ତେବେ ଏହି ଅସହାୟ ପରିବାରର ଏଭଳି ସମୟରେ ଯଦି କୌଣସି ସହୃଦୟ ବ୍ୟକ୍ତି ଏହି ପରିବାରକୁ ସାହାଯ୍ୟ କରିବେ ତେବେ ଏମାନଙ୍କ ଦୁଃଖ ଅଳ୍ପ ବହୁତେ ଦୂର ହୋଇପାରିବ ।