ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛି ସ୍ରଷ୍ଟା ଗୋପୀନାଥ ମହାନ୍ତିଙ୍କ ଘର, ସ୍ମାରକୀ କୁଟୀର ଭାବେ ନିର୍ମାଣ ପାଇଁ ଜୋର ଧରିଛି ଦାବି

୨୪ ଟି ଉପନ୍ୟାସ ଶତାଧିକ ଗଳ୍ପ ତଥା କଥା ସାହିତ୍ୟରେ ସେ ଥିଲେ ସ୍ରଷ୍ଟା । ୧୯୪୦ ଦଶକରେ ସୁଦୂର କଟକରୁ କୋରାପୁଟ ଆସିଥିଲେ ଜୀବନ ଜୀବିକାର ଯାତ୍ରାରେ । ଆମେ କହୁଚୁ ସ୍ବର୍ଗତ ଗୋପୀନାଥ ମହାନ୍ତି ତତ୍କାଳୀନ ରେଭିନ୍ୟୁ ଅଫିସରଙ୍କ କଥା । ଆଦିବାସୀ ଭାଷା ସଂସ୍କୃତି , ସରଳ ନିରୀହ ଆଦିବାସୀଙ୍କ ଜୀବନ ଜୀବିକାରେ ପ୍ରଭାବିତ ହୋଇଥିଲେ  ସେ । ବାସ୍ତବ ଅନୁଭୁତି ସହ ଉପାନ୍ତରେ ଜନଜାତିଙ୍କ ଜୀବନ ଶୈଳୀ ପ୍ରଭାବିତ କରିଥିଲା ଲେଖନୀ ଚଳେଇବାକୁ । ଆଉ ତାଙ୍କ ଲେଖାରେ ଥିଲା ଚର୍ଚ୍ଚିତ ଉପନ୍ୟାସ ପରଜା, ଦାନାପାଣି, ମାଟିମଟାଳ, ଦାଦାବୁଢା, ଅମୃତ ସନ୍ତାନ ଭଳି ପୁସ୍ତକ ଯାହା ତାଙ୍କୁ ପରିଚିତ କରେଇବା ସହ କୋରାପୁଟ ଭାଷା ସଂସ୍କୃତିକୁ ଆହୁରି ରୁଦ୍ଧିମନ୍ତ କରିଥିଲା ଚାଳିଶ ଦଶକରେ । ଏମିତି କି ଲେଖା ପାଇଁ ପ୍ରଥମ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ କରିଥିଲେ ସେ । ସେ ସମୟରେ ସ୍ୱର୍ଗତ ଗୋପୀନାଥ ମହାନ୍ତି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କରି ଉଭୟ ଜନ୍ମଭୁମି ଓ କର୍ମଭୂମି ପାଇଁ ଗୌରବ ଆଣିଥିଲେ l ଜିଲ୍ଲାର ଲକ୍ଷ୍ମୀପୁର, ଦଶମନ୍ତପୁର ଓ ସର୍ବାଧିକ ସମୟ କୋରାପୁଟର ଏଇ ବାସଭବନରେ  କଟିଥିଲା ତାଙ୍କ ଜୀବନ ଆଉ ଏଇ ଘରେ ହିଁ ସାହିତ୍ୟର ସର୍ଜନା ସୃଷ୍ଟି କରିଥିଲେ ସେ ।

ସେଦିନର ସର୍ଜନାର ସେହି ଘର କିନ୍ତୁ ଏବେ ଅବହେଳିତ ଓ ଏକପ୍ରକାର ପ୍ରକାର ଜବର ଦଖଲରେ ତାହା ବି ପୁଣି ସରକାରୀ ଦଖଲରେ l ଟେଲିକମ ବିଭାଗ ଅଧୀନରେ ଏଇ ଘର ଏକ ପ୍ରକାର ଜରାଜୀର୍ଣ୍ଣ  ଓ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି । ପ୍ରଶାସନର ନଜର ଆଢୁଆଳରେ ଥିବା ସାହିତ୍ୟ ସର୍ଜନାର ଏହି ଘର ସମସ୍ତ ସାହିତ୍ୟ ପ୍ରେମୀଙ୍କ ମନରେ ଏବେ କଷ୍ଟ ଦେଉଛି । ୪୦ ଦଶକର ସେହି ସ୍ରଷ୍ଟାଙ୍କ ଏଇ ଅବହେଳିତ ବାସଭବନର ଅକୁହା କୋହ ସତେ ଯେମିତି  ଓଡ଼ିଆ ଅସ୍ମିତାକୁ ପରିହାସ କରୁଛି ।

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ତଥା ପଦ୍ମଭୂଷଣ ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କୁ ଭୁଲି ଯାଇଛି କୋରାପୁଟ ଜିଲ୍ଲା ପ୍ରଶାସନ । ନିଜ ଉପନ୍ୟାସ ମାଧ୍ୟମରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସୀଙ୍କ ଜନଜୀବନ, ଚଳଣି ଓ ପରମ୍ପରାକୁ ଲୋକଲୋଚନ ଆଣିଥିଲେ ଗୋପୀନାଥ । କୋରାପୁଟର ଏଇ ଅବହେଳିତ ଘରକୁ ଏକ ସ୍ମାରକୀ କୁଟୀର ଭାବେ ନିର୍ମାଣ ପାଇଁ ଦୀର୍ଘ ବର୍ଷ ଧରି ଦାବି ହୋଇ ଆସୁଛି ।  କିଛିବର୍ଷ ତଳେ ଜିଲ୍ଲା ପ୍ରଶାସନ ଏ ଦିଗରେ ଉଦ୍ୟମ ଆରମ୍ଭ କରିଥିଲେ । ଆନ୍ତରିକତା ଓ ସମନ୍ବୟର ଅଭାବ ଯୋଗୁଁ ଚିତ୍ର ଯଥା ପୁର୍ବ° ତଥା ପର° । ଗୋପୀନାଥଙ୍କ ବାସଭବନ ଭାରତ ସଂଚାର ନିଗମ ଅଧୀନରେ ଥିବା ବେଳେ ବିଏସ୍ଏନଏଲ୍ ପକ୍ଷରୁ ଏହି ଜାଗା ହସ୍ତାନ୍ତର ପରେ ହିଁ ସ୍ମାରକୀ ନିର୍ମାଣ ସମ୍ଭବ ହୋଇପାରିବ । ୧୯୧୪ ମସିହା ଏପ୍ରିଲ ୨୦ ତାରିଖରେ କଟକ ଜିଲ୍ଲା ନାଗାବଳିରେ ଜନ୍ମିତ ଗୋପୀନାଥ ଉଚ୍ଚ ଶିକ୍ଷା ପରେ କୋରାପୁଟ ଜିଲ୍ଲାକୁ ଚାକିରି ପାଇଁ ଆସିଥିଲେ । ନିଜ ଲେଖନୀ ମୁନରେ ଜୟପୁର ରାଜା ବିକ୍ରମ ଦେବ ବର୍ମାଙ୍କ ସାହିତ୍ୟ ଲେଖାକୁ ମଧ୍ୟ ପ୍ରକାଶିତ କରି ତାଙ୍କୁ ଲୋକଲୋଚନକୁ ଆଣିଥିଲେ ।

୧୯୫୫ ମସିହାରେ ଜନଜାତିଙ୍କୁ ନେଇ ଉପନ୍ୟାସ ଅମୃତର ସନ୍ତାନ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଥିଲା ତାଙ୍କ ପ୍ରଥମ ପୁରସ୍କାର । ଚାକିରି କାଳ ପରେ କଟକ ଫେରିଯାଇଥିଲେ ମଧ୍ୟ ଆଜିବି ଏଠି ଜୀବନ୍ତ ତାଙ୍କ ସ୍ମୃତି । ତାଙ୍କ ବାସଭବନକୁ ସ୍ମାରକୀ ପୀଠ କରିପାରିଲେ ସ୍ରଷ୍ଠାଙ୍କ ପାଇଁ ଏହା ହେବ ପ୍ରକୃତ ସମ୍ମାନ । ଜିଲ୍ଲା ପ୍ରଶାସନ ପଦକ୍ଷେପ ଆରମ୍ଭ କରିଥିଲେ ହେଁ ବିଭାଗୀୟ ସମନ୍ବୟ ଅବା ଆନ୍ତରିକତାର ଅଭାବ ଯୋଗୁଁ କିଛି ଦିନ ବ୍ୟବଧାନ ପରେ ନୀରବ ରହିଥିଲା ପ୍ରଶାସନ । ତେବେ କୋରାପୁଟ ଜିଲ୍ଲାପାଳ କହିଛନ୍ତି ଏନେଇ ଉଦ୍ୟମ ଆରମ୍ଭ ହୋଇଛି ଜାଗା ହସ୍ତାନ୍ତର ପରେ ଖୁବ ଶୀଘ୍ର ଡିପିଆର ପ୍ରସ୍ତୁତ ହୋଇ କାର୍ଯ୍ୟ ଆରମ୍ଭ ହେବ । ଆଜି ପଦ୍ମଭୂଷଣ ଗୋପୀନାଥ ମହାନ୍ତିଙ୍କ ଜନ୍ମ ତିଥି ଥିଲେ ମଧ୍ୟ ମନେହୁଏ କଥାସାହିତ୍ୟର ବିନ୍ଧାଣୀ ତଥା ସର୍ଜନାର ଏହି ସ୍ରଷ୍ଟାଙ୍କୁ ବୋଧହୁଏ ପ୍ରକୃତ ସମ୍ମାନ ଦେବାରେ ଆମେ ବିଫଳ ।

Also Read: ଓଡ଼ିଆ ସଂସ୍କୃତି ଓ ଅସ୍ମିତାର ପର୍ବ ହେଉଛି ରଜ: ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀ