ଧନ୍ୟ ସେ ଭଲପାଇବା, ଜେଜେ ମା’ ଙ୍କୁ ଦେଖାକରିବା ପାଇଁ ପାଦରେ ଚାଲି ଚାଲି ୨୮୦୦ କିଲୋମିଟର ଗଲା ୧୦ ବର୍ଷର ନାତି

ଭାରତ ସମେତ ପୂରା ବିଶ୍ବରେ କୋଭିଡ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି । ଏହି ମାରାତ୍ମକ ଭାଇରସର ପ୍ରାଦୁର୍ଭାବକୁ କିଛିଟା କମ କରିବା ପାଇଁ ବିଶ୍ୱର ଅଧିକାଂଶ ରାଷ୍ଟ୍ର କିଛି ମାସ ତଳେ ଲକଡାଉନ ଜାରି କରିଥିଲେ । ଏହି ସମୟରେ ପବ୍ଲିକ ଟ୍ରାନ୍ସପୋର୍ଟ ଠାରୁ ରେଳଗାଡ଼ି ସୁବିଧା ସବୁ ବନ୍ଦ କରାଯାଇଥିଲା । ଏହି କାରଣରୁ ସାଧାରଣ ଜୀବନ ଯାତ୍ରା ଗଭୀର ଭାବରେ ପ୍ରଭାବିତ ହୋଇଥିଲା । ଏହି ସମୟରେ ଅଧିକାଂଶ ଲୋକେ ନିଜ ପରିଜନ ମାନଙ୍କ ଦେଖା କରିପାରିନଥିଲେ । ଏମିତିକି ଅନେକଙ୍କୁ ତ ନିଜ ଘର ଠାରୁ ଅନେକ ଦୂରରେ ମାସ ମାସ ଧରି ରହିବାକୁ ପଡିଥିଲା । କିଏ ନିଜ ପୁଅ ସହ ଦେଖାକରିବା ପାଇଁ ଶହ ଶହ କିମି ପାଦରେ ଚାଲି ଚାଲି ଯାଇଥିଲେ ତ କିଏ ସାଇକେଲରେ ଅତିକ୍ରମ କରିଥିଲେ ହଜାରେରୁ ଉର୍ଦ୍ଧ୍ବ କିଲୋମିଟର ।କିନ୍ତୁ କିଛି ଦିନ ହେବ ସୋସିଆଲ ମିଡିୟାରେ ଭାଇରାଲ ହେଉଛି ଏକ ଭିଡିଓ ।
ଭିଡିଓଟିକୁ ଦେଖିଲେ ଆପଣ ଜାଣିପାରିବେ ଏକ ଛୋଟ ପିଲା ନିଜ ଜେଜେ ମା’ଙ୍କୁ ଦେଖାକରିବା ପାଇଁ ୨୮୦୦ କିଲୋମିଟର ପାଦରେ ଚାଲିଚାଲି ଯାଉଛି । ୧୦ ବର୍ଷର ରୋମୀୟୋ କକ୍ସ ଜୁନ ୨୦ ତାରିଖରେ ନିଜ ପିତାଙ୍କ ସହ ଇଟାଲୀରୁ ଇଂଲଣ୍ଡ ପର୍ଯ୍ୟନ୍ତ ଯାତ୍ରା ଆରମ୍ଭ କରିଥିଲେ । ଏହି ଯାତ୍ରା ସମୟରେ ଦୁଇ ବାପ- ପୁଅଙ୍କ ଏହି ଯୋଡି ଇଟାଲୀ, ସ୍ୱିଜରଲ୍ୟାଣ୍ଡ, ଫ୍ରାନ୍ସ, ବ୍ରିଟେନ ପରି ପାଦରେ ଚାଲିଚାଲି ହିଁ ଅତିକ୍ରମ କରିଥିଲେ । ଶେଷରେ ଦୀର୍ଘ ୩ ମାସ ପାଦରେ ଚାଲିବା ପରେ ବାପ- ପୁଅଙ୍କ ଏହି ଯୋଡି ୟୁକେରେ ପହଞ୍ଚିଥିଲା । କରୋନା ଗାଇଡ଼ ଲାଇନ କାରଣରୁ ଏଦୁହେଁ ଏବେ ଆଇସୋଲେସନରେ ଥିବା ବେଳେ ଏହା ପରେ ହିଁ ସେମାନେ ଜେଜେ ମା’ ରୋମୀୟୋଙ୍କ ସହ ଦେଖାକରିବେ ବୋଲି ଜଣାଯାଇଛି । ଏହି ଯାତ୍ରାର କିଛି ଦୃଶ୍ୟ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ସେୟାର ହୋଇଛି ।