ଆଜି ରାତିରେ ପୃଥିବୀ ଦେଇ ଅତିକ୍ରମ କରିବ ବଡ଼ ଆଷ୍ଟ୍ରଏଡ, ସତର୍କ ସାରା ବିଶ୍ବ

ଆଜି ରାତି ପୃଥିବୀ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଯାହାକୁ ଚାତକ ଭଳି ଚାହିଁ ବସିଛନ୍ତି ମହାକାଶବିଜ୍ଞାନୀ । ଭୟ ମିଶା ଉତ୍ସାହରେ ପ୍ରତିଟି କ୍ଷଣ ଉପରେ ନଜର ରଖିଛନ୍ତି ସାରା ବିଶ୍ବର ବୈଜ୍ଞାନିକ । ଆଜି ରାତି ୩.୨୧ରେ ପୃଥିବୀ ଦେଖିବ ଏକ ଅଲୌକିକ ଘଟଣା । ଯାହାକୁ ନେଇ ସତର୍କ କରାଇଦେଇଛନ୍ତି ଅନ୍ତରୀକ୍ଷ ବିଜ୍ଞାନୀ । ମଙ୍ଗଳବାର ସାରା ବିଶ୍ବ ରହିଛି ସତର୍କ । ପୃଥିବୀର ନିକଟତର ହେବ ଏକ ବୃହତ ଆଷ୍ଟ୍ରଏଡ । ଯଦିଓ ପୂର୍ବରୁ ଅନେକ ଆଷ୍ଟ୍ରଏଡ ପୃଥିବୀ ଦେଇ ଅତିକ୍ରମ କରିସାରିଛି ଓ ବୈଜ୍ଞାନିକମାନେ ଏହାକ ନେଇ ସତର୍କ କରାଇଥିଲେ କିନ୍ତୁ ଆଜିର ଘଟଣା ଓ ଆଷ୍ଟ୍ରଏଡ ସମସ୍ତଙ୍କଠାରୁ ଭିନ୍ନ ହେବା ନେଇ ରହିଛି ଚେତାବନୀ । ମଙ୍ଗଳବାର ରାତି ୩ଟା ୨୧ । ଶୋଇଥିବ ଭାରତ । ଆଷ୍ଟ୍ରଏଡ ପାଇଁ ଘଟିପାରେ କିଛି ଦୁର୍ଲଭ, ଆକସ୍ମିକ ଓ ଅଲୌକିକ ଘଟଣା ।

ବୈଜ୍ଞାନିକମାନଙ୍କ ମତରେ ଏହାର ଆକାର କୁତବମିନାରଠାରୁ ୧୧ଗୁଣା ବଡ଼ । ଆଉ ଟିକେ ବିସ୍ତାରରେ କହିଲେ, ଏକ କିଲୋମିଟର ବା ପାଖାପାଖି ୩ହଜାର ୨୮୦ ଫୁଟ ଲମ୍ବା ହେବ ଏହି ଆଷ୍ଟ୍ରଏଡ । ପ୍ରତି ସେକେଣ୍ଡରେ ୨୦ କି.ମି ବେଗରେ ଏହା ମାଡ଼ିଆସୁଛି । ବର୍ତ୍ତମାନର ଗତିବିଧି ଅନୁସାରେ ଏହା ପୃଥିବୀ ଠାରୁ ୧୯ ଲକ୍ଷ କି.ମି ଦୂରତାରେ ଅତିକ୍ରମ କରିବ । ମହାକାଶ ବିଜ୍ଞାନୀଙ୍କମତରେ ଏ ଦୂରତା ବହୁତ କମ୍ । ତେଣୁ ଆମେରିକାର ପ୍ରସିଦ୍ଧ ମହାକାଶ ଗବେଷଣା ସଂସ୍ଥା ‘ନାସା’ ଏହାକୁ ସମ୍ଭାବ୍ୟ ବିପଜ୍ଜନକ ଆଷ୍ଟ୍ରଏଡ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିଛି । ତେଣୁ ଏହି ଆଷ୍ଟ୍ରଏଡକୁ ନେଇ ପୃଥିବୀ ସହ କିଛି ବି ଘଟିପାରେ । ଏହି ଆଷ୍ଟ୍ରଏଡର ନାଁ ରହିଛି ୧୯୯୪ ପିସି-୧ । ଏହାର ସନ୍ଧାନ ଅଷ୍ଟ୍ରେଲିଆର ମହାକାଶବିଜ୍ଞାନୀ ରୋବର୍ଟ ମାକନାର୍ଟ ୧୯୯୪ ମସିହାରେ କରିଥିଲେ । ନୈନିତାଲ ସ୍ଥିତ ଆର‌୍ୟ୍ୟଭଟ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଅଫ୍ ଅବଜରଭେସନାଲ ସାଇନ୍ସର ବରିଷ୍ଠ ବୈଜ୍ଞାନିକ ଶଶି ଭୂଷଣ ପାଣ୍ଡେଙ୍କ ଅନୁସାରେ ଏହା ଅପେକ୍ଷାକୃତ ବହୁତ ବଡ଼ ଆଷ୍ଟ୍ରଏଡ । ଏହାର ଆକାର ଏକ କି.ମି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ଏହି ଦୁର୍ଲଭ ଆଷ୍ଟ୍ରଏଡ ୩୦ ବର୍ଷ ପରେ ପୃଥିବୀର ନିକଟତର ହେବ ।

ତେବେ ମହାକାଶବିଜ୍ଞାନ ଓ ପୃଥିବୀର ଇତିହାସ କହେ ଆଜକୁ ୬୬ ମିଲିୟନ ବର୍ଷ ପୂର୍ବେ ଏକ ଆଷ୍ଟ୍ରଏଡ ପୃଥିବୀ ସହ ମାଡ଼ ହୋଇଥିଲା । ଯାହାର ପ୍ରଭାବରେ ୭୫ ପ୍ରତିଶତ ଜୀବଜଗତ ପୃତିବୀପୃଷ୍ଠରୁ ଲିଭିଯାଇଥିଲା । ତେଣୁ କୌଣସି ବି ଆଷ୍ଟ୍ରଏଡକୁ ଅତି ହାଲୁକା ଭାବେ ନିଆଯାଇପାରିବନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.