ନବରଙ୍ଗପୁରରୁ ଗୁପ୍ତେଶ୍ଵର… ମହାଦେବଙ୍କୁ ଜଳ ଲାଗି କରିବା ପାଇଁ ଖାଲି ପାଦରେ ୧୧୦ କିଲୋମିଟର ଚାଲିଲେ ଶ୍ରଦ୍ଧାଳୁ

ନବରଙ୍ଗପୁର (କେନ୍ୟୁଜ): ହିନ୍ଦୁ ଧର୍ମରେ ମହାଶିବରାତ୍ରୀର ବିଶେଷ ମହତ୍ତ୍ୱ ରହିଛି। ମହାଶିବରାତ୍ରୀ ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କ ବିବାହ ରାତି। ବିଶ୍ୱାସ କରାଯାଏ ଏହି ଦିନ ମହାଦେବଙ୍କୁ ପୂଜା କରିବା ଦ୍ୱାରା ଭକ୍ତଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଥାଏ। ଶ୍ରୀଲିଙ୍ଗରାଜଙ୍କ ସମେତ ରାଜ୍ୟରେ ଥିବା ସମସ୍ତ ଶୈବପୀଠ ଗୁଡିକ ଜାଗର ଯାତ୍ରାକୁ ନେଇ ଉତ୍ସବମୁଖର ହୋଇ ଉଠେ । ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ମନ୍ଦିର ଭିତରେ ଦୀପ ଜଳାଇ ଉଜାଗର ବସିଥାନ୍ତି ।

ଏହାରି ଭିତରେ ଜାଗର ଯାତ୍ରା ପାଇଁ ହର ହର ଗଙ୍ଗେ – ଜୟ ଶିବ ଶମ୍ଭୁ ,ଗୁପ୍ତେଶ୍ଵର ବାବା ପାର କରେଗା। ଏହି ନାମ ଜପି ଜପି ଶ୍ରଦ୍ଧାଳୁ ମାନେ ବାହାରିଛନ୍ତି ଶିବ ଉପାସନା ପାଇଁ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ । ନବରଙ୍ଗପୁର ଠାରୁ ଗୁପ୍ତେଶ୍ଵର ପୀଠ ଯାଏଁ ଏଇ ଭକ୍ତ ମାନେ ଦୀର୍ଘ ୧୧୦ କିଲୋମିଟରର ପଦ ଯାତ୍ରା କରିଛନ୍ତି । ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଶିବ ମନ୍ଦିରରୁ ସଂକଳ୍ପ ପୂଜା କରି ପଦ ଯାତ୍ରାରେ ବାହାରିଛନ୍ତି ଶ୍ରଦ୍ଧାଳୁ। ବଣ ପାହାଡିଆ ରାସ୍ତାରେ ଭୋଳା ବାବାଙ୍କ ନାମ ଧରି ଦୀର୍ଘ ୪ ଦିନ ଆଉ ୪ ରାତି ଖାଲି ପାଦ ରେ ଚାଲି ଚାଲି ପହଞ୍ଚିବେ ଗୁପ୍ତେଶ୍ଵର ପୀଠକୁ । ମନରେ କିଛି ମାନସିକ ନେଇ ଖାଲି ପାଦ ରେ ବାହାରିଛନ୍ତି ଭକ୍ତ ମାନେ ।

ମହାଶିବ ରାତ୍ରି ପାଇଁ ଶହ ଶହ ଭକ୍ତ ଆଜି ନବରଙ୍ଗପୁର ଠାରୁ ଗୁପ୍ତେଶ୍ୱର ଅଭିମୁଖେ ବାହାରିଛନ୍ତି । ଦୀର୍ଘ ୨ବର୍ଷ ହେବ କରୋନା କୋଟକଣା ପାଇଁ ଭକ୍ତ ମାନେ ଗୁପ୍ତେଶ୍ୱର ଶିବ ମନ୍ଦିରଙ୍କୁ ଯାଇ ନଥିଲେ ଓ ଦୁଃଖ ପ୍ରକାଶ କରୁଥିଲେ। ଚଳିତ ବର୍ଷ ରାଜ୍ୟ ସରକାର କୋଭିଡ କୋଟକଣା କୋହଳ କରିଥିବାରୁ ଭକ୍ତ ମାନେ ଖୁସି ଅନୁଭବ କରି ପଦଯାତ୍ରା କରୁଥିବା କହିଛନ୍ତି।

ସୂଚନା ଅନୁଯାୟୀ ନବରଙ୍ଗପୁର ସହର ଯୁବକ ମାନେ ଦୀର୍ଘ ୩୬ ବର୍ଷ ହେବ ପଦଯାତ୍ରାରେ ଗୁପ୍ତେଶ୍ୱର ଶୌବ ପୀଠକୁ ଯାଉଥିବାର କହିଛନ୍ତି। ଭକ୍ତ ମାନଙ୍କର ବିଶ୍ୱାସ ଅଛି ପଦଯାତ୍ରା କରି ବାବାଙ୍କୁ ଦର୍ଶନ କଲେ ମନସ୍କାମନା ପୂରଣ ହେଇଥାଏ ।  ଆଉ କିଛି ଭକ୍ତଙ୍କ ମନସ୍କାମନା ପୂରଣ ହେଲା ପରେ ପଦଯାତ୍ରା କରି ଗୁପ୍ତେଶ୍ୱର ପୀଠ ଯାଇ ଶିବଲିଙ୍ଗ ରେ ପାଣି ଚଢ଼ାଇଥାନ୍ତି ବୋଲି ମଧ୍ୟ କହିଛନ୍ତି। ସୂଚନା ଥାଉକି -ନବରଙ୍ଗପୁର ଠାରୁ ଗୁପ୍ତେଶ୍ୱର ୧୧୦ କିଲୋମିଟର ୪ ରୁ ୫ ଦିନ ଲାଗିଥାଏ ଗୁପ୍ତେଶ୍ୱର ପୀଠକୁ ପହଞ୍ଚିବା ପାଇଁ। ଭକ୍ତ ମାନେ ଓଁ ନମଃ ଶିବାୟ ଉଚ୍ଚାରଣ କରିବା ସହିତ ଶିବଙ୍କ ନାମ ମଧ୍ୟ ଉଚ୍ଚାରଣ କରି ଯାଉଥିବା ଦେଖିବାକୁ ମିଳିଛି । ନବରଙ୍ଗପୁର ସହରରୁ ୩୦୦ ରୁ ୪୦୦ ଜଣ ଭକ୍ତ ଗୁପ୍ତେଶ୍ୱର ପଦଯାତ୍ରା ଯାଉଥିବା ସୂଚନା ମିଳିଛି।

ନବରଙ୍ଗପୁରରୁ ଫାଲ୍ଗୁନୀ ପାତ୍ରଙ୍କ ରିପୋର୍ଟ, (କେନ୍ୟୁଜ ଓଡିଶା)

 

Also Read: ଏହି ସ୍ଥାନରେ ଚାଷ କରିଥିଲେ ମହାଦେବ, ଜାଣନ୍ତୁ ଓଡ଼ିଶାର ବାଲେଶ୍ବର ଜିଲ୍ଲାରେ ଥିବା ଲଙ୍ଗଳେଶ୍ବର ଶୈବପୀଠର ମହିମା