ଏଭଳି ଭାବେ ଗୁରୁ ଦ୍ରୋଣ ଶିଖାଇଥିଲେ ଭଲ ଓ ଖରାପ ମଣିଷ ମଧ୍ୟରେ ପାର୍ଥକ୍ୟ

   ‘ଗୁରୁଙ୍କୁ ନମଣିବ ନର ଗୁରୁ ହିଁ ସାକ୍ଷାତ ଇଶ୍ୱର’

ଅର୍ଥାତ ଗୁରୁ ଆମ ପାଇଁ ସାକ୍ଷାତ ଭଗବାନ ସଦୃଶ । ତାଙ୍କର ପ୍ରତ୍ୟେକଟି ବାଣୀ ଶିଷ୍ୟପାଇଁ ହୋଇଥାଏ ଖୁବ ମୂଲ୍ୟବାନ। ଗୁରୁ ହିଁ ଜୀବନର ମାର୍ଗଦର୍ଶକ । ତାଙ୍କର ସବୁ ଶିକ୍ଷା ଜୀବନ ଜିଇଁବାରେ ସାହାଯ୍ୟ କରିଥାଏ। ଗୋଟେ ଶିଷ୍ୟ ଜୀବନରେ ଗୁରୁଙ୍କ ସ୍ଥାନ ରହିଥାଏ ସ୍ୱତନ୍ତ୍ର। ସମସ୍ତେ ନିଜ ଜୀବନରେ ଗୁରୁଙ୍କୁ ଲୋଡିଥାନ୍ତି। ତାଙ୍କ ପ୍ରଦତ୍ତ ଶିକ୍ଷା ଜୀବନରେ ଅନେକ ସମସ୍ୟାର ସମାଧାନ ମଧ୍ୟ କରିଥାଏ। ତେଣୁ ଆଜି ଆମେ ଆପଣଙ୍କୁ ଏମିତି ଗୁରୁଙ୍କ ବିଷୟରେ କହିବାକୁ ଯାଉଛୁ , ଯାହାଙ୍କୁ ଆପଣ ବେଶ ଭଲ ଭାବେ ଜାଣିଛନ୍ତି। ଆଜ୍ଞା ହଁ,  ସେ ହେଉଛନ୍ତି ମହାଭାରତର ଗୁରୁ ଦ୍ରୋଣାଚାର୍ଯ୍ୟ। ଯାହାଙ୍କ ଶିଷ୍ୟ ହେବାକୁ ଏକଲବ୍ୟ ଚାହୁଁଥିଲେ। ଲୁଚି ଲଚି ସବୁ ବିଦ୍ୟା-କୌଶଳ ଶିକ୍ଷା କରୁଥିଲେ। ଶେଷରେ ନିଜ ଆଙ୍ଗୁଠି କାଟି ଗୁରୁ ଦ୍ରୋଣଙ୍କୁ ଗୁରୁ ଦକ୍ଷିଣା ଭେଟି ଦେଇଥିଲେ।

ଦିିନେ ଗୁରୁ ଦ୍ରୋଣାଚାର୍ଯ୍ୟ ପାଣ୍ଡବ ଏବଂ କୌରବଙ୍କୁ ଶସ୍ତ୍ର ଓ ଶାସ୍ତ୍ରର ଶିକ୍ଷା ଦେବା ସମୟରେ ତାଙ୍କ ପରୀକ୍ଷା ନେବା ପାଇଁ ଚିନ୍ତା କଲେ। ଗୁରୁ ଦ୍ରୋଣ ରାଜକୁମାରଙ୍କ ଚିନ୍ତାଧାରା ଓ ବ୍ୟବହାରରେ ଉନ୍ନତି ଆଣିବା ପାଇଁ ଭାବିଲେ । ଏଥିପାଇଁ ପରୀକ୍ଷା ମଧ୍ୟ ରଖିଲେ। ପରଦିନରେ ଗୁରୁ ଦ୍ରୋଣ ପ୍ରଥମେ ରାଜକୁମାର ଦୁର୍ଯ୍ୟୋଧନଙ୍କୁ ପାଖକୁ ଡାକିଲେ। ପରୀକ୍ଷା ଦେବାକୁ ଯାଇ ତାଙ୍କୁ କହିଲେ,‘ ତୁମେ ସମାଜର ଜଣେ ଉତ୍ତମ ବ୍ୟକ୍ତିଙ୍କୁ ଚିହ୍ନି ତାଙ୍କୁ ମୋ ସାମ୍ନାକୁ ଆଣିବ।’ ଏହାକୁ ଶୁଣି ଦୁର୍ଯ୍ୟୋଧନ ଉତ୍ତମ ବ୍ୟକ୍ତିଙ୍କୁ ଆଣିବା ପାଇଁ ଆଶ୍ରମରୁ ବାହାରିଲେ। ବହୁତ ଖୋଜିଲେ। କିଛି ଦିିନ ପରେ ଗୁରୁଙ୍କ ପାଖକୁ ଫେରିଲେ। ଆଉ କହିଲେ,‘ ମୁଁ ଅନେକ ନଗର ଓ ଗାଁକୁ ଗଲି, କିନ୍ତୁ ମତେ କେଉଁଠି ବି ଉତ୍ତମ ବ୍ୟକ୍ତି ମିଳିଲେ ନାହିଁ ।’

ଏହାପରେ ଗୁରୁ ଦ୍ରୋଣ ଯୁଧିଷ୍ଠିରଙ୍କୁ ପରୀକ୍ଷା ପାଇଁ ଡାକିଲେ। ଆଉ କହିଲେ,‘ ଏ ପୃଥିବୀରେ ଥିବା ଖରାପ ମଣିଷକୁ ଖୋଜିକି ମୋ ପାଖକୁ ଆଣ ’। ଏହାଶୁଣି ଯୁଧିଷ୍ଠିର ମଧ୍ୟ ଆଶ୍ରମ ବାହାରକୁ ଯାଇ ଖୋଜିଲେ। କିଛିଦିନ ପରେ ଆଶ୍ରମକୁ ଫେରିଲା ପରେ ଗୁରୁ ଦ୍ରୋଣ ତାଙ୍କୁ ଏହି ସଂପର୍କରେ ପଚାରିଲେ। ଏହାର ଉତ୍ତରରେ ଯୁଧିଷ୍ଠିର କହିଲେ, ‘ ମୁଁ ଦୁନିଆର ସବୁ କୋଣଅନୁକୋଣ ବୁଲି ଦେଖିଲି, ହେଲେ ମୁଁ କେଉଁଠି ବି ଖରାପ ପ୍ରକୃତିର ମଣିଷକୁ ପାଇଲି ନାହିଁ। ଏଥିପାଇଁ ମୁଁ ଖାଲି ହାତରେ ଫେରି ଆସିଲି’। ଶିଖାଇବା

drona0009
pc: news puran

ଏସବୁ ଦେଖି ସେଠାରେ ଥିବା ଅନ୍ୟ ଶିଷ୍ୟମାନେ ଗୁରୁ ଦ୍ରୋଣଙ୍କୁ ପ୍ରଶ୍ନ କରିବାକୁ ଆରମ୍ଭ କଲେ। ଆଉ କହିଲେ,‘ଗୁରୁଦେବ ଏପରି କ’ଣପାଇଁ ? ଦୁର୍ଯ୍ୟୋଧନଙ୍କୁ ଭଲ ବ୍ୟକ୍ତି ମିଳିଲେ ନାହିଁ କି ଯୁଧିଷ୍ଠିରଙ୍କୁ ଖରାପ ବ୍ୟକ୍ତି ମିଳିଲେ ନାହିଁ?

ଗୁରୁ ଦ୍ରୋଣ ଶିଷ୍ୟଙ୍କର ଏଭଳି କଥା ଶୁଣି ପ୍ରଥମେ ହସିଲେ। ଆଉ କହିଲେ ,‘ ଯେଉଁ ମଣିଷ ଯେପରି ତା’କୁ ଦୁନିଆ ସାରା ମଣିଷ ମଧ୍ୟ ସେପରି ଲାଗିଥାନ୍ତି। ସେଥିପାଇଁ ଦୁର୍ଯ୍ୟୋଧନଙ୍କୁ କେହି ଭଲ ମଣିଷ ଓ ଯୁଧିଷ୍ଠିରଙ୍କୁ କେହି ଖରାପ ମଣିଷ ମିଳିଲେ ନାହିଁ।’ ତେଣୁ ସମସ୍ତେ ଭଲ ହେବାକୁ ଚେଷ୍ଟା କରନ୍ତୁ, ଯଦ୍ଦ୍ଵାରା ଆପଣଙ୍କୁ ମଧ୍ୟ ସଂସାରରେ କେହି ଖରାପ ଲାଗିବେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.