ଭଗବାନ ବୁଦ୍ଧଙ୍କ ଦ୍ଵିତୀୟ ଅବତାର ଗୁରୁ ପଦ୍ମସମ୍ଭବ, ଜାଣନ୍ତୁ ତାଙ୍କ ବିଷୟରେ କିଛି ଖାସ

ବୌଦ୍ଧ ପର୍ଯ୍ୟଟନ ମାନଚିତ୍ରରେ ହୀରକ ତ୍ରିଭୁଜ ବଳୟିତ ଓଡ଼ିଶାର ପ୍ରଖ୍ୟାତ ବୌଦ୍ଧ ପୀଠ ଲଳିତଗିରି-ଉଦୟଗିରି-ରତ୍ନଗିରି । ପ୍ରତ୍ନତାତ୍ୱିକ ଖନନରୁ ଆବିଷ୍କୃତ ହୋଇଛି ବୌଦ୍ଧ ମହାବିହାର, ମହାସ୍ତୁପ ସମେତ ସହସ୍ର ବୌଦ୍ଧ ସ୍ମାରକୀ । ଦ୍ଵିତୀୟ ବୁଦ୍ଧ ଭାବେ ପରିଚିତ ଗୁରୁ ପଦ୍ମସମ୍ଭବଙ୍କ ପବିତ୍ର ଦେହାବଶେଷ ଉଦୟଗିରି ଠାରେ ରହିଥିବା ପ୍ରମାଣ ମିଳିଛି । ଏଥିସହ ବିରଜାକ୍ଷେତ୍ର ତାଙ୍କ ସାଧନାର ପୀଠ ଭାବେ ସ୍ୱୀକୃତି ପାଇଛି । ତାଙ୍କର ଜନ୍ମ ଓଡ଼ିଶାରେ ଏବଂ ପରିନିର୍ବାଣ ଏହି ଠାରେ ହୋଇଥିବା ପ୍ରାମାଣିକ ତଥ୍ୟ ମିଳିବା ପରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ପ୍ରଥମ ଗୁରୁ ପଦ୍ମସମ୍ଭବ ବୌଦ୍ଧ ପ୍ରାର୍ଥନା ସମାରୋହ । ଆସନ୍ତୁ ଜାଣିବା ଗୁରୁ ପଦ୍ମସମ୍ଭବଙ୍କ ସମ୍ପର୍କରେ କିଛି ଖାସ କଥା ।

ପ୍ରାଚୀନ ଭାରତର ବୌଦ୍ଧଧର୍ମ, ସଂସ୍କୃତି ଓ ଇତିହାସରେ ଦ୍ଵିତୀୟ ବୁଦ୍ଧ ଭାବେ ପରିଚିତ ଅଷ୍ଟମ ଶତାବ୍ଦୀର ମହାନ ବୌଦ୍ଧଗୁରୁ ପଦ୍ମସମ୍ଭବ । ତାଙ୍କର ଜନ୍ମସ୍ଥାନ ପୁରାତନ ଓଡିଶା ‘ଉଡ୍ଡୀୟାନ’ର ସମ୍ବଲପୁର ଭୂଖଣ୍ଡ । ଏହାର ତଥ୍ୟନିଷ୍ଠ ପ୍ରମାଣ ଉପସ୍ଥାପନ କରିଛନ୍ତି ବିଶିଷ୍ଟ ବୌଦ୍ଧ ଗବେଷକ ପ୍ରବୀର ପଟ୍ଟନାୟକ । ରାଜା ଇନ୍ଦ୍ରଭୁତିଙ୍କ ପୁତ୍ର ପଦ୍ମସମ୍ଭବଙ୍କ ପବିତ୍ର ଦେହାବଶେଷ ଯାଜପୁର ଜିଲ୍ଲାର ବିଶ୍ୱବିଖ୍ୟାତ ବୌଦ୍ଧ ପୀଠ ଉଦୟଗିରିର ମାଧବପୁର ସିଂହପ୍ରସ୍ଥ ବୌଦ୍ଧ ମହାବିହାର ସଂଲଗ୍ନ ଇଲାକାରେ ସଂରକ୍ଷିତ । ତାଙ୍କର ପବିତ୍ର ଦେହାସ୍ମି ଏହିଠାରେ ଥିବା ଶିଳାଲେଖରୁ ପ୍ରମାଣ ମିଳିଛି । ତେବେ ବିଭିନ୍ନ ସମୟରେ ପଦ୍ମସମ୍ଭବଙ୍କ ଜନ୍ମସ୍ଥାନକୁ ନେଇ ଆନ୍ତର୍ଜାତିୟ ସ୍ତରରେ ଭିନ୍ନ ଭିନ୍ନ ସ୍ଥାନରେ ଦର୍ଶାଯାଇଛି । କିନ୍ତୁ ପ୍ରବୀର ପଟ୍ଟନାୟକଙ୍କ ଆଲେଖ୍ୟ ଓଡିଶା ଜନ୍ମିତ ଦ୍ଵିତୀୟ ବୁଦ୍ଧ ଗୁରୁ ପଦ୍ମସମ୍ଭବ ଭଳି ଅନେକ ଲେଖା ବୌଦ୍ଧ ପ୍ରେମୀଙ୍କୁ ଆକର୍ଷିତ କରିଛି । ତେବେ ଅଷ୍ଟମ ଶତାବ୍ଦୀର ପଦ୍ମସମ୍ଭବଙ୍କ ସମ୍ପର୍କରେ ନୂଆ ତଥ୍ୟ ଓ ଆଲୋଚନା ଲୋକଲୋଚନକୁ ଆସିବା ପରେ ତାଙ୍କ ସମ୍ପର୍କରେ ଅଧିକ ଜାଣିବା ପାଇଁ ଓଡ଼ିଶାର ପ୍ରସିଦ୍ଧ ବୌଦ୍ଧ ବିହାର ଉଦୟଗିରି ଠାରେ ଚାଲିଛି ଗୁରୁ ପଦ୍ମସମ୍ଭବ ସମାରୋହ । ଯେଉଁଥିରେ ୧୭ଟି ରାଷ୍ଟ୍ରରୁ ପାଖାପାଖି ୧୫ଶହ ବୌଦ୍ଧ ସନ୍ୟାସୀ ଓ ଧର୍ମଗୁରୁ ଏଥିରେ ସାମିଲ ହୋଇଛନ୍ତି ।

ଗୁରୁ ପଦ୍ମସମ୍ଭବ ଅଷ୍ଟମ ଶତାବ୍ଦୀରେ ଆବିର୍ଭୁତ ହୋଇଥିବା ଐତିହାସିକମାନେ ମତ ରଖିଥିବା ବେଳେ ସେ ଥିଲେ ଆଧୁନିକ ସମ୍ବଲପୁର (ସମ୍ବଳକ)ରାଜା ତଥା ବୌଦ୍ଧ ଗୁରୁ ଇନ୍ଦ୍ରଭୂତିଙ୍କ ପାଳିତ ପୁତ୍ର । ଏକମାତ୍ର ପୁତ୍ରଙ୍କ ମୃତ୍ୟୁରେ ଶୋକସନ୍ତପ୍ତ ଇନ୍ଦ୍ରଭୁତି ରାଜପ୍ରସାଦ ନିକଟସ୍ଥ ଧନକୋଷ ହ୍ରଦରେ ଫୁଟିଥିବା ପଦ୍ମ ଫୁଲ ଉପରେ ଶୋଇଥିବା ଶିଶୁକୁ ରାଜା ନିଜର ପୁତ୍ର ଭାବେ ଗ୍ରହଣ କରିଥିଲେ । ଶିଶୁଟିର ନାମ ଦିଆଯାଇଥିଲା ପଦ୍ମସମ୍ଭବ। ଏକ ଘଟଣାକ୍ରମରେ ମନ୍ତ୍ରୀଙ୍କ ପୁତ୍ରର ମୃତ୍ୟୁ ଅଭିଯୋଗ ପଦ୍ମସମ୍ଭବଙ୍କ ଉପରେ ଲାଗିବାରୁ ରାଜା ତାଙ୍କୁ ପରିତ୍ୟାଗ କରିଥିଲେ । ପଦ୍ମସମ୍ଭବ ସମ୍ଭଳକ ପରିତ୍ୟାଗ କରି ଉଡ୍ଡୀୟାନର ଉଦୟଗିରି ଲଳିତଗିରିକୁ ଯାଇ କଠୋର ସାଧନା କରି ବୋଧି (ଜ୍ଞାନ) ପ୍ରାପ୍ତ ହୋଇଥିଲେ । ତତ୍ ପଶ୍ଚାତ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ଏବଂ ପରବର୍ତ୍ତୀ ସମୟରେ ନାଳନ୍ଦା ବିଶ୍ଵବିଦ୍ୟାଳୟକୁ ଯାଇ ସେଠାରେ କିଛି ବର୍ଷ ଉଚ୍ଚଶିକ୍ଷା ଗ୍ରହଣ କରି ତିବ୍ବତ ଯାଇ ଧର୍ମ ପ୍ରଚାର କରିଥିଲେ । ସେଠାରେ ପଦ୍ମ ସମ୍ଭବ ଗୁରୁ ରିଙ୍ଗପୋଚେ ଭାବେ ଖ୍ୟାତ ହେବା ସହ ଲାମାପନ୍ଥ ପ୍ରଚଳନ କରିଥିଲେ ।

ଭଗବାନ ବୁଦ୍ଧଙ୍କ ଦ୍ଵିତୀୟ ଅବତାର ଗୁରୁ ପଦ୍ମସମ୍ଭବଙ୍କ ଜନ୍ମ ଓ ଦେହାବସାନ ଓଡ଼ିଶାରେ ହୋଇଥିଲା । ତାଙ୍କ ସମ୍ପର୍କରେ ଜାଣିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସହଯୋଗରେ ହେଉଥିବା ଏହି ସମାବେଶ ପ୍ରତ୍ୟେକ ବର୍ଷ ଆୟୋଜନ କରାଯିବ ବୋଲି କୁହାଯାଇଛି ।

You might also like