ଝିଅକୁ ଦେଖିବା ପାଇଁ ଦିବ୍ୟାଙ୍ଗ ବୃଦ୍ଧା ମା’ର କଷ୍ଟ, ଟ୍ରାଇ ସାଇକେଲରେ ଯାତ୍ରା କଲେ ୧୭୦ କିମି

ବୃଦ୍ଧା ଦିବ୍ୟାଙ୍ଗ ମା’ ଜଣଙ୍କ ନିଜ ଝିଅକୁ ଦେଖିବା ପାଇଁ ଦୀର୍ଘ ୧୭୦ କିଲୋମିଟର ଯାତ୍ରା କରିଛନ୍ତି । ନିଜ ଭଙ୍ଗା ଟ୍ରାଇସାଇକେଲ ରେ ହିଁ ସେ ଏହି ଯାତ୍ରା କରିଥିବା ଦେଖାଯାଇଛି । ଦେହରେ ଚାଲିବାକୁ ବଳ ନଥିଲେ ମଧ୍ୟ ସେ ହାର ମାନି ନାହାନ୍ତି ଏବଂ ସାଇକେଲକୁ ହାତରେ ଗଡ଼େଇ ଆଗକୁ ଆଗକୁ ବଢି ଚାଲିଛନ୍ତି ।

(କେନ୍ୟୁଜ ବ୍ୟୁରୋ): ମା’ ନଥିଲେ ସାହା ନାହିଁ । ପିଲାଙ୍କ ପ୍ରତି କୌଣସି ବିପଦ ଆସିବା ପୂର୍ବରୁ ମା’ ସବୁ ସହି ନିଏ । ପିଲା ମାନଙ୍କୁ ନିଜ ପଣତ କାନିରେ ଘୋଡ଼େଇ ରଖେ ମା’ । ସବୁ ସୁଖ ଦୁଃଖର ସାହା ମା’ । ସମସ୍ତ ବାଧା ବିଘ୍ନକୁ ମା’ହସି ହସି ସହି ନିଏ । ତେବେ ଅନେକ ସମୟରେ ମା’କୁ ନେଇ କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି, ଯାହା ଆପଣମାନେ ଦେଖିଲେ ମଧ୍ୟ ଆପଣଙ୍କ ଆଖିରେ ଲୁହ ଆସିଯିବ । ମା’ର ସ୍ନେହ ମମତା ଆଗରେ ସବୁକିଛି ହାର ମାନିଛି ।

ଭାଇରାଲ ହୋଇଥିବା ଏହି ଭିଡିଓରେ ବୃଦ୍ଧା ଦିବ୍ୟାଙ୍ଗ ମା’ ଜଣଙ୍କ ନିଜ ଝିଅକୁ ଦେଖିବା ପାଇଁ ଦୀର୍ଘ ୧୭୦ କିଲୋମିଟର ଯାତ୍ରା କରିଛନ୍ତି । ନିଜ ଭଙ୍ଗା ଟ୍ରାଇସାଇକେଲ ରେ ହିଁ ସେ ଏହି ଯାତ୍ରା କରିଥିବା ଦେଖାଯାଇଛି । ଦେହରେ ଚାଲିବାକୁ ବଳ ନଥିଲେ ମଧ୍ୟ ସେ ହାର ମାନି ନାହାନ୍ତି ଏବଂ ସାଇକେଲକୁ ହାତରେ ଗଡ଼େଇ ଆଗକୁ ଆଗକୁ ବଢି ଚାଲିଛନ୍ତି । ଦୀର୍ଘ ଆଠ ଦିନ ଯାତ୍ରା କରିବା ପରେ ସେ ୧୭୦ କିଲୋମିଟର ଦୂରତା ଅତିକ୍ରମ କରିଛନ୍ତି ।

ଯେଉଁ ବୟସରେ ବୃଦ୍ଧାଙ୍କୁ ସାହାରା ଆବଶ୍ୟକ, ସେହି ସମୟରେ ସେ ନିଜ ଝିଅକୁ ଦେଖିବା ପାଇଁ ସଂଘର୍ଷ କରି ଚାଲିଛନ୍ତି । ଭାଇରାଲ ହୋଇଥିବା ଏହି ଭିଡିଓଟି ରାଜଗଡ଼ ଜିଲ୍ଲାର ପଚୋର-ବ୍ୟାବର ମଧ୍ୟସ୍ଥଳରେ ଥିବା ରାଜପଥର ବୋଲି ଜଣା ପଡ଼ିଛି । ଏହି ମାମଲା ମଧ୍ୟପ୍ରଦେଶର ଗୁନ୍ନା ଜିଲ୍ଲାର ସୂଚନା ମିଳିିଛି । ଭିଡିଓରେ ଦେଖାଯାଇଥିବା ବୃଦ୍ଧା ଜଣଙ୍କ ଅଶୋକନଗର ଅଞ୍ଚଳର ବାସିନ୍ଦା ଲିବିଆ ବାଇ, ଯେ ନିଜର ଏକମାତ୍ର ଝିଅକୁ ଭେଟିବା ପାଇଁ ଏଭଳି କଷ୍ଟମୟ ଯାତ୍ରା କରିବାକୁ ପଛାଇ ନାହାନ୍ତି । ବୃଦ୍ଧାଙ୍କ କହିବା ଅନୁସାରେ ତାଙ୍କ ପାଖରେ ବସରେ ଯାତ୍ରା କରିବା ପାଇଁ ଟଙ୍କା ନଥିଲା, ଯେଉଁଥିପାଇଁ ସେ ଏଭଳି କଠିନ ପରିଶ୍ରମ କରିଥିବା ଦେଖିବାକୁ ମିଳିଛି ।

ମାତ୍ର ୧୬ ସେକେଣ୍ଡର ଏହି ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ଵିଟରରେ ସେୟାର କରାଯାଇଛି । ଭିଡିଓ ରେ ସମ୍ପର୍କର ମହତ୍ତ୍ୱ ବିଷୟରେ ଲେଖାଯାଇଛି, ଯାହା ଅତ୍ୟନ୍ତ ହୃଦୟସ୍ପର୍ଶୀ । ଭାଇରାଲ ହୋଇଥିବା ଭିଡିଓରେ ମହିଳା ଜଣଙ୍କ ଗୋଟିଏ ହାତରେ ସାଇକେଲ ଟାଣୁଥିଲା ବେଳେ ଅନ୍ୟ ହାତରେ ସାଇକେଲର ଆଗ ଚକକୁ ଠେଲିଥିବାର ଦେଖାଯାଇଛି । ଏହା ବ୍ୟତୀତ ସାଇକେଲରେ କିଛି ଜିନିଷ ରହିଥିବା ମଧ୍ୟ ଦେଖାଯାଇଛି । ନିଜ ଝିଅକୁ ଦେଖିବା ପାଇଁ ବୃଦ୍ଧା ମା’ଙ୍କ ଏପରି କଷ୍ଟ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି ।

 

Leave A Reply

Your email address will not be published.