ହସ୍ତଶିଳ୍ପ ଦେଇଛି ରୋଜଗାର, ଅଦରକାରୀ କାଗଜରୁ ଭଳିକି ଭଳି ଜିନିଷ କରୁଛନ୍ତି ମହିଳା

ଅଦରକାରୀ କାଗଜ ସାଜିଛି ରୋଜଗାରର ପ୍ରମୁଖ ମାଧ୍ୟମ । ଭଳିକି ଭଳି ଆକର୍ଷଣୀୟ  ଦେବାଦେବୀ ମୂର୍ତ୍ତୀ, ଫୁଲକୁଣ୍ତ, ପେନଷ୍ଟାଣ୍ଡ ସହ ଅନେକ ସୁନ୍ଦର କଳାକୃତି ତିଆରି କରି ନିଜେ ଆତ୍ମନିର୍ଭରଶୀଳ ହେବା ସହ ପାଖାପାଖି ୨୦ ଜଣ ମହିଳା ହୋଇଛନ୍ତି  ସ୍ବାବଲମ୍ବୀ । କେନ୍ଦୁଝର ଘସିପୁରା ବ୍ଲକ ଅଳତି ମା’ତାରିଣୀ ପ୍ରଡ୍ୟୁସର ଗ୍ରୁପର ଆତ୍ମନିର୍ଭରଶୀଳ ମହିଳାଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ରାଜ୍ୟ ହସ୍ତ ଶିଳ୍ପ ନିର୍ଦ୍ଦେଶାଳୟ ତରଫରୁ ଜିଲ୍ଲା  ସହକାରୀ ହସ୍ତଶିଳ୍ପ ନିର୍ଦ୍ଦେଶକଙ୍କ ସଂଯୋଜନାରେ ୬ ମାସ ପ୍ରଶିକ୍ଷଣ ନେଇଥିଲେ ଗାଁର ମହିଳା । ପରେ ଅଦରକାରୀ କାଗଜରୁ ମଣ୍ତ ତିଆରି କରି ସେଥିରୁ ବିଭିନ୍ନ ଦେବାଦେବୀ ମୂର୍ତ୍ତୀ ସହ ଅନେକ ସୁନ୍ଦର ଜିନିଷ ତିଆରି କରି ପାରୁଛନ୍ତି । ଏହା ସହ ସେଥିରେ ଆବଶ୍ୟକୀୟ ରଙ୍ଗ ଦେଇ ଏବେ ସୁନ୍ଦର ସୁନ୍ଦର ଘର କରଣା ସାମଗ୍ରୀ କିଆରି କରିବାରେ ଲାଗି ପଡିଛନ୍ତି ମହିଳାମାନେ ।  ମହିଳାମାନେ ଘରେ ରୋଷେଇ ବାସ କାମ ସାରିବା ପରେ ଅଳ୍ପ ପରିଶ୍ରମରେ ଏହି କାମ ରୁ ଦି ପଇସା ରୋଜଗାର କରିପାରୁଥିବାରୁ ବେଶ ଖୁସି ଅଛନ୍ତି ।

କାଗଜ ତିଆରି ଜିନିଷ ବିକ୍ରି କରିବାକୁ ଗ୍ରାମାଞ୍ଚଳରେ ସେମିତି ବଜାର ସୁବିଧା ନାହିଁ । ଏନେଇ ଜିଲ୍ଲା ହସ୍ତ ଶିଳ୍ପ ସଂସ୍ଥାର ସୁପାରିଶ କ୍ରମେ ଓରମାସ୍ ସହାୟତାରେ ଜିଲ୍ଲା ତଥା ଜିଲ୍ଲା ବାହାରେ ବିଭିନ୍ନ ମେଳାରେ ଷ୍ଟଲ ଲଗାଇ ଜିନିଷକୁ ବିକ୍ରି କରି ସେଥିରୁ ଭଲ ଦିପଇସା ରୋଜଗାର କରି ପାରୁଛନ୍ତି । ମହିଳାମାନଙ୍କ ହାତ ତିଆରି କାଗଜର ନିଖୁଣ କାରିଗରୀ ପାଇଁ  ସବୁଆଡୁ ପ୍ରଶଂସା ମିଳୁଛି । ଅନ୍ୟପଟେ ଅନେକ ସଂସ୍ଥା ପକ୍ଷରୁ ମଧ୍ୟ ଏମାନେ ପୁରସ୍କୃତ ହୋଇଛନ୍ତି ।  ଏହି କାର୍ଯ୍ୟକୁ ଆଗେଇ ନେବାକୁ ବ୍ଲକ ମିଶନଶକ୍ତି ସଂସ୍ଥା ପକ୍ଷରୁ ପ୍ରଡ୍ୟୁସର ଗ୍ରୁପକୁ  ଋଣ ମଧ୍ୟ ଯୋଗାଇ ଦିଆଯାଇଥିବା ମହିଳାମାନେ କହିଛନ୍ତି । ଚଳିତ ବର୍ଷ ଜିଲ୍ଲାସ୍ତରୀୟ ଗୋନାସିକା ମହୋତ୍ସବରେ ନିଜ ହାତ ତିଆରି ଜିନିଷ ବିକ୍ରି କରି ବେଶ ଦିପଇସା ରୋଜଗାର କରିଛନ୍ତି ମହିଳାମାନେ ।

ଏହି ମହିଳାମାନଙ୍କୁ ଉଦାହରଣ ଭାବେ ଗ୍ରହଣ କରି ଅଧିକ ରୁ ଅଧିକ ମହିଳା ଏବେ ଆତ୍ମ ନିର୍ଭରଶୀଳ କାର୍ଯ୍ୟରେ ସାମିଲ ହୋଇ ଦି ପଇସା ରୋଜଗାର କରିବାକୁ ପ୍ରୟାସ ଆରମ୍ଭ କଲେ ଗ୍ରାମାଞ୍ଚଳ ମହିଳାଙ୍କ ବିକାଶ ନିଶ୍ଚିତ ଭାବେ ସମ୍ଭବ ହେବ ।