ଦେଶର ଏକମାତ୍ର ମନ୍ଦିରରେ ପତ୍ନୀ ଶୁବର୍ଚଲାଙ୍କ ସହ ପୂଜା ପାଆନ୍ତି ହନୁମାନଜୀ

ପବନପୁତ୍ର ପ୍ରଭୁ ହନୁମାନଜୀଙ୍କ ଜନ୍ମଉତ୍ସବ ।  ପୌରାଣିକ କଥା ଅନୁସାରେ, ଏହି ଦିନ ହନୁମାନ ଜୀ ରାଜା କେଶରୀ ଏବଂ ମାତା ଅଞ୍ଜନୀଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ । ହିନ୍ଦୁ ଧର୍ମରେ ହନୁମାନ ଜୟନ୍ତୀର ବହୁତ ମହତ୍ତ୍ୱ ରହିଛି । ଏହି ଦିନ ବିଧି ଅନୁଯାୟୀ ଭକ୍ତମାନେ ଉପବାସ ମଧ୍ୟ ପାଳନ କରିଥାନ୍ତି । ହନୁମାନଜୀଙ୍କର କୃପାରୁ ଜୀବନର ସମସ୍ତ ଦୁଃଖ ଦୂର ହୁଏ ।

ତେବେ ଆଜି ସାରା ଦେଶରେ ହନୁମାନ ଜୟନ୍ତୀ ପର୍ବ ପାଳିତ ହେଉଛି । ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ପ୍ରତିବର୍ଷ ଚୈତ୍ର ମାସର ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ହନୁମାନ ଜୟନ୍ତୀ ପାଳନ କରାଯାଏ । ଶାସ୍ତ୍ରରେ ସଙ୍କଟମୋଚନ ହନୁମାନଜୀଙ୍କୁ ବାଳ ବ୍ରହ୍ମଚାରୀ ଭାବରେ ବର୍ଣ୍ଣନା କରାଯାଇଛି । କିନ୍ତୁ ଆପଣ ଜାଣିଛନ୍ତି କି ଆମ ଦେଶରେ ଏପରି ଏକ ମନ୍ଦିର ଅଛି ଯେଉଁଠାରେ ହନୁମାନଜୀଙ୍କ ସହିତ ତାଙ୍କ ପତ୍ନୀ ଦେବୀ ଶୁବର୍ଚଲାଙ୍କୁ ମଧ୍ୟ ପୂଜା କରାଯାଏ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏ କଥା ପୂରା ସତ । ତେବେ ଆସନ୍ତୁ ଜାଣିବା ଦେଶର ଏହି ଅନନ୍ୟ ମନ୍ଦିର ବିଷୟରେ ।

ଶ୍ରୀ ଶୁବର୍ଚଲା ଓ ହନୁମାନଜୀଙ୍କ ଏହି ମନ୍ଦିର ତେଲେଙ୍ଗାନାର ଖମମ୍ ଜିଲ୍ଲାର ଏଲନ୍ଦୁ ଗାଁରେ ଅବସ୍ଥିତ । ଏହି ମନ୍ଦିରରେ ହନୁମାନ ଏବଂ ତାଙ୍କ ପତ୍ନୀ ଶୁବର୍ଚଲା ଦେବୀଙ୍କ ପୂଜା କରାଯାଏ । ମନ୍ଦିରର ପୂଜକ ପି. ସିଂହା ଆଚାର୍ଯ୍ୟଲୁଙ୍କ ଅନୁସାରେ, ‘ଶ୍ରୀ ଶୁବର୍ଚଲାଙ୍କ ସହିତ ହନୁମାନଜୀ’ଙ୍କ ଏହି ମନ୍ଦିର କେବଳ ଦକ୍ଷିଣ ଭାରତରେ ନୁହେଁ ବରଂ ସମଗ୍ର ଭାରତରେ ଏକମାତ୍ର ମନ୍ଦିର, ଯେଉଁଠାରେ ଭଗବାନ ହନୁମାନଜୀ ଏବଂ ତାଙ୍କ ପତ୍ନୀ ଶୁବର୍ଚଲା ଦେବୀଙ୍କୁ ପୂଜା କରାଯାଏ । ଏହି ମନ୍ଦିର ୨୦୦୬ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ପ୍ରତିବର୍ଷ ସ୍ଥାନୀୟ ଲୋକମାନେ ଜୈଷ୍ଠ ଶୁକ୍ଳ ଦଶମୀରେ ଭଗବାନ ହନୁମାନଜୀଙ୍କ ବିବାହ ଉତ୍ସବ ପାଳନ କରନ୍ତି । କିନ୍ତୁ ଉତ୍ତର ଭାରତରେ ରହୁଥିବା ଲୋକଙ୍କ ପାଇଁ ଏହା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ କଥା, କାରଣ ଭକ୍ତମାନେ ହନୁମାନଜୀଙ୍କୁ ବାଲ୍ ବ୍ରହ୍ମଚାରୀ ଭାବରେ ପୂଜା କରନ୍ତି । ତେବେ ହନୁମାନଜୀ କେବେ ବାହା ହୋଇଥିଲେ ଆଉ କାହିଁକି ବାହା ହୋଇଥିଲେ ? ଆସନ୍ତୁ ଏସବୁ ପ୍ରଶ୍ନର ଉତ୍ତର ଜାଣିବା ।

ମନ୍ଦିରର ପୂଜାରୀ ପି. ସିଂହାଙ୍କ କହିବା ଅନୁସାରେ, ‘ହନୁମାନ ଜୀ ସୂର୍ଯ୍ୟଙ୍କୁ ତାଙ୍କର ଗୁରୁ ମାନୁଥିଲେ।’ ସୂର୍ଯ୍ୟଦେବଙ୍କ ନିକଟରେ ନଅ ଦିବ୍ୟ ବିଦ୍ୟା ଥିଲା । ତେଣୁ ହନୁମାନଜୀ ସମସ୍ତ ବିଦ୍ୟା ଶିକ୍ଷା କରିବାକୁ ଚାହୁଁଥିଲେ । କିନ୍ତୁ ସୂର୍ଯ୍ୟଦେବ ହନୁମାନଜୀଙ୍କୁ ୯ଟି ବିଦ୍ୟା ମଧ୍ୟରୁ କେବଳ ୫ଟି ବିଦ୍ୟା ବିଷୟରେ ଶିକ୍ଷା ଦେଇପାରିଲେ । କାରଣ ବାକି ୪ଟି ବିଦ୍ୟା କେବଳ ସେହି ଶିଷ୍ୟମାନଙ୍କୁ ଦିଆଯାଇପାରିବ ଯେଉଁମାନେ ବିବାହିତ ଥିଲେ ।

କିନ୍ତୁ ହନୁମାନଜୀ ଅବିବାହିତ ଥିଲେ । ତେଣୁ ସୂର୍ଯ୍ୟଦେବ ତାଙ୍କୁ ବାକି ଚାରୋଟି ବିଦ୍ୟା ବିଷୟରେ ଶିକ୍ଷ୍ୟା ଦେବାକୁ  ଅସମର୍ଥ ହେଲେ । ବିଦ୍ୟା ଶିକ୍ଷା ଗ୍ରହଣ କରିବା ସମୟରେ ହନୁମାନ ଜୀଙ୍କୁ ଗୃହସ୍ଥ ଜୀବନରେ କିଛି ସମୟ ବିତାଇବାକୁ ପଡିଥାନ୍ତା । ଏଥିପାଇଁ ହନୁମାନଜୀଙ୍କର ବିବାହ ହେବା ମଧ୍ୟ ଜରୁରୀ ଥିଲା । ଏହା ପରେ ସୂର୍ଯ୍ୟଦେବ ହନୁମାନ ଜୀଙ୍କୁ ବିବାହ କରିବାକୁ ପରାମର୍ଶ ଦେଲେ । ପ୍ରଥମେ ହନୁମାନଜୀ ବିବାହ ପାଇଁ ଆଦୌ ରାଜି ନଥିଲେ ।

ବାକି ୪ଟି ବିଦ୍ୟା କେବଳ ବିବାହିତଙ୍କ ପାଇଁ ଥିବାରୁ ହନୁମାନଜୀ ବିବାହ ପାଇଁ ରାଜି ହୋଇଥିଲେ । ପରେ ସୂର୍ଯ୍ୟଦେବ ନିଜ ଝିଅ ଶୁବର୍ଚଲାଙ୍କ ସହିତ ଭଗବାନ ହନୁମାନଜୀଙ୍କର ବିବାହ କରାଇଥିଲେ ।

ବିବାହ ପୂର୍ବରୁ ହନୁମାନଜୀ ସୂର୍ଯ୍ୟ ଦେବତାଙ୍କୁ କହିଥିଲେ, ‘ମୁଁ ତ ବ୍ରହ୍ମଚାରୀ, ମୁଁ କିପରି ବିବାହ କରିପାରିବି? ଭଗବାନ ସୂର୍ଯ୍ୟ ଏହାର ଉତ୍ତର ଦେଇ କହିଥିଲେ ଯେ ମୋ ଝିଅକୁ ବିବାହ କରିବା ପରେ ମଧ୍ୟ ତୁମେ ବ୍ରହ୍ମଚାରୀ ଏବଂ ତପସ୍ବୀ ରହିପାରିବ । ପରେ ହନୁମାନଜୀ ଭଗବାନ ସୂର୍ଯ୍ୟଙ୍କ କନ୍ୟା ଶୁବର୍ଚଲା ଦେବୀଙ୍କ ସହିତ ବିବାହ କରିଥିଲେ । କିନ୍ତୁ ବିବାହ ପରେ ଉଭୟେ ନିଜ ନିଜ ତପସ୍ୟାକୁ ଫେରି ଯାଇଥିଲେ । ଅବଶିଷ୍ଟ ସିଦ୍ଧି ପ୍ରାପ୍ତ ପାଇଁ ହନୁମାନଜୀ ଏହି ବିବାହ କରିଥିଲେ ।

ବିଶ୍ବାସ ଅଛି ଯେ ହନୁମାନଜୀ ଏବଂ ଦେବୀ ଶୁବର୍ଚଲାଙ୍କ ଏହି ମନ୍ଦିରରେ ଯେଉଁ ଭକ୍ତ ପୂଜା କରନ୍ତି ତାଙ୍କ ଜୀବନର ସମସ୍ତ ଇଚ୍ଛା ପୂରଣ ହୁଏ । ବିବାହ ସମ୍ୱନ୍ଧୀୟ ବାଧାବିଘ୍ନର ଅନ୍ତ ଘଟେ । ବଜରଙ୍ଗବଲୀଙ୍କ ଆଶୀର୍ବାଦରେ ଚାକିରି ମିଳିଯାଏ ଏବଂ ବ୍ୟବସାୟରେ ଲାଭ ମଧ୍ୟ ହୁଏ । ହନୁମାନଜୀ ଏବଂ ଦେବୀ ଶୁବର୍ଚଲାଙ୍କ ଆଶୀର୍ବାଦ ପାଇବା ପାଇଁ ଦୂରଦୂରାନ୍ତରୁ ଭକ୍ତମାନେ ଏଠାକୁ ଆସନ୍ତି ।