ଶାସ୍ତ୍ର ଅନୁଯାୟୀ ସର୍ବ ପ୍ରଥମେ ଶ୍ରୀରାମ କଥା ଲେଖିଥିଲେ ହନୁମାନଜୀ । ଯାହାକୁ ନିଜ ନଖ ସାହାଯ୍ୟରେ ପଥର ଉପରେ ଲେଖିଥିଲେ । ଏହାକୁ ହନୁମଦ ରାମାୟଣ କୁହାଯାଏ ।
ରାମାୟଣ କଥା ଉଠିଲେ ଆମେ ସମସ୍ତେ ବାଲ୍ମୀକି ରାମାୟଣ କିମ୍ବା ତୁଳସୀ ଦାସ ରଚିତ ରାମ ଚରିତ ମାନସ କଥା ଭାବିଥାଉ । ପ୍ରଥମ ରାମାୟଣ ବାଲ୍ମୀକିଜୀ ଲେଖିଥିଲେ । ହେଲେ ପ୍ରଥମ ରାମ କଥା ଭକ୍ତ ହନୁମାନଜୀ ଲେଖିଥିଲେ । ଯାହାକୁ ସେ ନିଜ ନଖରେ ଏକ ମସ୍ତ ବଡ଼ ପଥର ଚଟାଣ ଉପରେ ଲେଖିଥିଲେ । ଏହାକୁ “ହନୁମଦ ରାମାୟଣ” ବୋଲି କୁହାଯାଏ ।
ଲଙ୍କା ବୀଜୟ ପରେ ଶ୍ରୀରାମ ଅଯୋଧ୍ୟା ଫେରି ରାଜ୍ୟ ଶାସନ ସମ୍ଭାଳି ଥିଲେ । କିଛି ଦିନ ଏଠାରେ ରହି ଶ୍ରୀରାମଙ୍କ ସେବା କରିବା ପରେ ହନୁମାନଜୀ ହିମାଳୟ ଯାଇ ଶିବ ତପସ୍ୟାରେ କରିବାକୁ ଲାଗିଲେ । ଏହି ଅବସରରେ ସେ ପ୍ରତିଦିନ ଖଣ୍ଡେ ଖଣ୍ଡେ ପଥର ଉପରେ ନିଜ ନଖରେ ଶ୍ରୀରାମ କଥା ଲେଖିବାକୁ ଲାଗିଲେ । କିଛି ବର୍ଷ ପରେ ହନୁମାନଜୀଙ୍କର ତପସ୍ୟା ଓ ରାମାୟଣ କଥା ଉଭୟ ସରିଗଲା । ଯାହାକୁ କାଳାନ୍ତରରେ ହନୁମଦ ରାମାୟଣ ବୋଲି କୁହାଯାଏ ।
ଏହାପରେ ମହର୍ଷି ବାଲ୍ମୀକି ‘ବାଲ୍ମୀକି ରାମାୟଣ’ ଲେଖିଲେ ଓ ଏହାକୁ ଭଗବାନ ଶିବଙ୍କୁ ସମର୍ପଣ କରିବା ପାଇଁ କୈଳାସରେ ପହଞ୍ଚିଗଲେ । ସେଠାରେ ପ୍ରଥମରୁ ହନୁମାନଜୀ ଉପସ୍ଥିତ ଥିଲେ । ପଥର ଉପରେ ହନୁମାନଜୀଙ୍କର ରାମାୟଣ ଦେଖି ମହର୍ଷି ନିରାଶ ହୋଇଗଲେ । ହନୁମାନଜୀ ମହର୍ଷିଙ୍କୁ ନିରାଶ ହେବା ଦେଖି ନିରାଶର କାରଣ ପଚାରିଲେ । ମହର୍ଷି କହିଲେ ବହୁ ପରିଶ୍ରମ କରି ମୁଁ ରାମାୟଣ ଲେଖିଥିଲି । ବର୍ତ୍ତମାନ ଲାଗୁଛି ମୋର ସବୁ ପରିଶ୍ରମ ବୃଥା ହୋଇଗଲା । କାରଣ ଆପଣ ଏସବୁ ଲେଖିସାରିଛନ୍ତି ।
ଏକଥା ଶୁଣି ହନୁମାନ ବାଲ୍ମୀକିଙ୍କୁ ଗୋଟିଏ କାନ୍ଧରେ ବସାଇଲେ ଓ ଅନ୍ୟ କାନ୍ଧରେ ଶିଳା ଉପରେ ଲିଖିତ ତାଙ୍କ ରାମାୟଣ ରଖି ହଜାର ମାଇଲ ଦୂର ସମୁଦ୍ର ଭିତରେ ତାଙ୍କ ରାମାୟଣକୁ ଶ୍ରୀରାମଙ୍କୁ ଉତ୍ସର୍ଗ କରି ଫିଙ୍ଗିଦେଲେ । ଏହା ଦେଖି ବାଲ୍ମୀକି ହନୁମାନଙ୍କୁ ଧନ୍ୟବାଦ ଦେବା ସହ ତାଙ୍କର ମହିମା ଲେଖିବାକୁ ପୁଣି ଥରେ ଜନ୍ମ ନେବେ ବୋଲି କହିଥିଲେ ।
ହନୁମାନଙ୍କ ଗୁଣ ଗାନ ଲେଖିବା ପାଇଁ ଜନ୍ମ ପୁଣି ନେଇଥିଲେ ବାଲ୍ମୀକି :
ହନୁମାନଙ୍କ ଏପରି ବଦାନ୍ୟତା ଦେଖି ବାଲ୍ମୀକି କଳିଯୁଗରେ ପୁଣି ଥରେ ଜନ୍ମ ନେବେ ଓ ତାଙ୍କ ଗୁଣଗାନ ଲେଖିବେ ବୋଲି କହିଥିଲେ । ସେହି ରାମାୟଣ ସାଧାରଣ ଲୋକଙ୍କ ଭାଷାରେ ହେବ । କୁହାଯାଏ କଳିଯୁଗରେ ରାମଚରିତ ମାନସ ଲେଖିଥିବା ଗୋସ୍ୱାମୀ ତୁଳସୀ ଦାସ ହେଉଛନ୍ତି ମହର୍ଷି ବାଲ୍ମୀକିଙ୍କ ଦ୍ୱିତୀୟ ଜନ୍ମ । ରାମଚରିତ ମାନସ ଲେଖିବା ପୂର୍ବରୁ ସେ ହନୁମାନ ଚାଳିସା ମଧ୍ୟ ଲେଖିଛନ୍ତି ।
କାଳିଦାସ ସମୟରେ ପାଣିରେ ବୋହି ଆସିଥିଲା ପଟ୍ଟଳିକା :
କାଳୀଦାସଙ୍କ ସମୟରେ ଏକ ପଟ୍ଟଳିକା ସମୁଦ୍ର କୂଳରେ ମିଳିଥିଲା । ଯାହାକୁ ଏକ ସାର୍ବଜନିକ ସ୍ଥାନରେ ରଖି ଦିଆଯାଇଥିଲା । ଯାହାକୁ ବିଦ୍ୟାର୍ଥୀ ପଢ଼ିପାରିବେ ଓ ବୁଝିପାରିବେ । ଶୁଣାଯାଏ କାଳିଦାସ ଏହାକୁ ବୁଝିପାରିଥିଲେ । ଏହି ପଟ୍ଟଳିକା ହନୁମଦ ରାମାୟଣ ର ଅଂଶ ଥିଲା । ଯାହା ସମୁଦ୍ର ପାଣିରେ ବହି ଆସି ଏଠାରେ ପହଞ୍ଚିଥିଲା ।