ଚଳିତ ବର୍ଷ ୩ଦିନ ଧରି ହେଉଛି ହରିଶଙ୍କର ପୀଠରେ ବୈଶାଖୀ ଉତ୍ସବ

ଗନ୍ଧମାର୍ଦ୍ଦନ ପାହାଡର ଦକ୍ଷିଣ ଭାଗରେ ଅବସ୍ଥିତ ପ୍ରସିଦ୍ଧ ହରିଶଙ୍କର ପୀଠ। ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ଉପଖଣ୍ଡ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ହରିଶଙ୍କର ଉଭୟ ଶୈବପୀଠ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ। ଯାହା ପ୍ରତିଟି ସମୟରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ନିଜ ପାଖକୁ.. ପାହାଡ ମଧ୍ୟରେ ଚିରସ୍ରୋତା ଝରଣା ସହ ଚାରିଆଡେ ଥିବା ଘନ ଜଙ୍ଗଲ ପ୍ରାକୃତିକ ପରିବେଶକୁ ବେଶ ସୁନ୍ଦର ବନାଇଛି।

ଏଠାକୁ ବିଶେଷ କରି ଖରା ଓ ଶୀତ ଦିନରେ ପର୍ଯ୍ୟଟକଙ୍କ ଭୀଡ଼ ଜମିଥାଏ। ଏହି ପୀଠରେ ହରି ଓ ଶଙ୍କର ଏକାଠି ପୂଜା ପାଉଥିବାରୁ ଏହି ପୀଠର ସ୍ୱତନ୍ତ୍ରତା ରହିଛି । ୧୪ଶହ ଶତାବ୍ଦୀରେ ପଶ୍ଚିମ ଓଡ଼ିଶାର ଚୌହାନ ରାଜବଂଶର ରାଜାଙ୍କୁ ହରିଶଙ୍କର ପ୍ରତିମୂର୍ତ୍ତୀ ବିଷୟରେ ସୂଚନା ମିଳିଥିଲା । ଏହା ପରଠାରୁ ସେହି ସ୍ଥାନରେ ହରିଶଙ୍କରଙ୍କର ପୂଜା ହୋଇଆସୁଛି । ବିଶ୍ୱାସ ରହିଛି ଯେ ପ୍ରଭୁଙ୍କୁ ପୂଜା କଲେ ଭକ୍ତ ସବୁ ପ୍ରକାର ପାପରୁ ମୁକ୍ତି ପାଇଥାଏ।

ତେଣୁ ଦେଶର କୋଣ ଅନୁକୋଣରୁ ଅନେକ ଭକ୍ତ ଏଠାକୁ ଆସିଥାନ୍ତି। ତେବେ ପ୍ରତିବର୍ଷ ବୈଶାଖ ମାସର ପୂର୍ଣ୍ଣିମା ଦିନ ହରିଶଙ୍କର ଠାରେ ଏକ ମେଳା ଅନୁଷ୍ଠିତ ହୋଇଥାଏ। ଏହି ମେଳା ଅବସରରେ ବହୁ ଦୂରଦୂରାନ୍ତରୁ ଅନେକ ଲୋକ ଆସିଥାନ୍ତି। ମେଳାକୁ ମନ ଭରି ଉପଭୋଗ ମଧ୍ୟ କରିଥାନ୍ତି। ଚଳିତ ବର୍ଷ ମଧ୍ୟ ଏହି ପର୍ବ କୁ ପାଳନ କରାଯାଉଛି।

ଓଡିଶାର ଏକ ପ୍ରମୁଖ ପର୍ଯ୍ଯଟନ ସ୍ଥଳ ହରିଶଙ୍କର । ଏଠାରେ ସମସ୍ତ ଏକାଦଶୀ ଏବଂ ସଂଙ୍କ୍ରାନ୍ତି, ଶିବ ରାତ୍ରୀ, ମକର ସଂଙ୍କ୍ରାନ୍ତି, ମାଘ ମେଳା ପର୍ବକୁ ଖୁବ ଧୂମଧାମରେ ପାଳନ କରାଯାଏ। ସେଥିମଧ୍ରରୁ ବୈଶାଖୀ ମେଳା ଅନ୍ୟତମ । ହରିଶଙ୍କର ଠାରେ ପ୍ରତିବର୍ଷ ବୈଶାଖ ମାସ ଶୁକ୍ଳ ପକ୍ଷ ଚତୁର୍ଦଶୀ ତିଥି ରେ ହରିଶଙ୍କର ମହୋତ୍ସବ ତଥା ବୈଶାଖୀ ମେଳା ଅନୁଷ୍ଠିତ ହୋଇଥାଏ । ଏହି ମେଳା ତିନିଦିନ ଧରି ଚାଲିଥାଏ । ମେଳା ଦେଖିବା ପାଇଁ ରାଜ୍ଯ ତଥା ରାଜ୍ଯ ବାହାରୁ ଲଖ୍ଯାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ଏ ବର୍ଷ ମେ ୧୪ ମାନେ ଗତ କାଲିଠାରୁ ଏହି ମହୋତ୍ସବ ଆରମ୍ଭ ହୋଇଛି। ଯାହାକି ଆସନ୍ତା କାଲି ମାନେ ମେ ୧୬ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ।

କରୋନା ମହାମାରୀ ହେତୁ ଦୁଇ ବର୍ଷ ମେଳା ବନ୍ଦ ଥିବାରୁ ଏ ବର୍ଷ ଅଧିକ ଭିଡ଼ ହେବାର ସମ୍ଭାବନା ରହିଛି। ଏଥିନିମନ୍ତେ ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥାର ଆୟୋଜନ କରାଯାଇଛି। ହରିଶଙ୍କର ମନ୍ଦିରର କାର୍ଯ୍ଯ ର୍ନିବାହୀ ତଥା ପାଟଣାଗଡ ଉପଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠି ନିଜେ ପ୍ରସ୍ତୁତି କର୍ଯ୍ଯର ତଦାରଖ କରୁଥିବା ବେଳେ ବଲାଙ୍ଗିର ଏସ. ପି ନୀତିଶ କୁଶଲକର ସୁରକ୍ଷାର ତଦାରଖ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.