ଦେଖିଛନ୍ତି କି ଧଳା ନାଗ ? ଜାଣନ୍ତୁ କାହିଁକି ଏହାର ରଙ୍ଗ ରହିଛି ଖାସ୍

ନାଗ ସାପର ନାଁ ଶୁଣିଲେ ହିଁ ମନରେ ଭୟ ଆସେ । କାହିଁକି ନା ନାଗ ସାପ ସବୁଠାରୁ ବିଷାକ୍ତ ବୋଲି କୁହାଯାଏ । ଆପଣ ନିଜ ଘର ଆଖ ପାଖରେ ହଳଦିଆ କିମ୍ବା କଳା ରଙ୍ଗର ନାଗ ସାପକୁ ଦେଖିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଧଳା ରଙ୍ଗର ନାଗ ସାପ ବିଷୟରେ ଜଣାଇବାକୁ ଯାଉଛୁ । ଧଳା ନାଗ ନାଁ ଶୁଣିଲେ ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ସତରେ ଧଳା ନାଗ ବି ଏ ପୃଥିବୀରେ ବାସ କରୁଛନ୍ତି । ଧଳା ରଙ୍ଗ ହୋଇଥିବାରୁ ଏହି ନାଗକୁ ଦୁର୍ଲଭ କୁହାଯାଏ । କିଛି ଲୋକ ଏହି ଧଳା ନାଗକୁ ଦୈବିକ ଶକ୍ତିର ଆଧାର ବୋଲି କୁହନ୍ତି । କିନ୍ତୁ ଏ ନାଗ ସାପର ରଙ୍ଗ ଧଳା କାହିଁକି ? ଏହା ପଛରେ କଣ ରହସ୍ୟ ଅଛି ?
ସାଧାରଣତଃ ଭାରତରେ କଳା, ଧୂସର କିମ୍ବା ହଳଦିଆ ରଙ୍ଗର ନାଗ ସାପ ଦେଖାଯାନ୍ତି । କିନ୍ତୁ ଧଳା ରଙ୍ଗର ନାଗ ସାପ ହୁଏତ କେହି ଦେଖି ନଥିବେ । ପ୍ରାଣୀ ବିଜ୍ଞାନୀ ମୃଦୁଲ ବୈଭବ କହିଛନ୍ତି ଯେ ଯେତେବେଳେ ସାପ ଶରୀରରେ ମେଲାନିନର ଅଭାବ ଦେଖାଯାଏ, ସେତେବେଳେ ସାପକୁ ରଙ୍ଗ ମିଳେ ନାହିଁ ଏବଂ ଏହା ଧଳା ରଙ୍ଗ ହୋଇଯାଏ । ଅର୍ଥାତ୍ ସାପର ଧଳା ରଙ୍ଗ ପାଇଁ ମେଲାନିନ ମୁଖ୍ୟତଃ ଦାୟୀ, ଯାହାକୁ ଚର୍ମ ରୋଗ ମଧ୍ୟ କୁହାଯାଇପାରେ । ଏହି ଧଳା ରଙ୍ଗର ସାପକୁ ଆଲବିନୋ କୁହାଯାଏ । ଯଦି ନାଗ ସାପରେ ଏହି ରୋଗ ଦେଖାଯାଏ ତେବେ ଏହାକୁ ଆଲବିନୋ କୋବ୍ରା କୁହାଯାଏ ।
ଏହି ସାପମାନେ ନା ଠିକରେ ଦେଖିପାରନ୍ତି ନା ଠିକରେ ଚାଲିପାରନ୍ତି । ଏହି ସାପମାନେ ସିଧାସଳଖ ସୂର୍ଯ୍ୟ ସାମ୍ନାକୁ ଯାଆନ୍ତି ନାହିଁ । ଏହି ସାପମାନଙ୍କ ଆଖି ଗୋଲାପୀ ଦେଖାଯାଏ । ଏହି ସାପର ବିଷ ଅନ୍ୟ ନାଗ ସାପ ଭଳି ମାରାତ୍ମକ ହୋଇଥାଏ ।
ସାଧାରଣତଃ ଅନ୍ୟ ନାଗ ସାପମାନଙ୍କ ପଛ ପଟେ ଏକ ଚିହ୍ନ ଥାଏ, ଯାହାକୁ ଭାରତୀୟ ଲୋକମାନେ ଶ୍ରୀକୃଷ୍ଣଙ୍କ କଠଉ ଚିହ୍ନ ଥିବା ବିଶ୍ୱାସ କରନ୍ତି କିନ୍ତୁ ଏହି ଧଳା ରଙ୍ଗର ନାଗ ସାପର ପଛ ପଟେ କୌଣସି ପ୍ରକାରର ଚିହ୍ନ ଦେଖାଯାଇ ନଥାଏ । ଧଳା ନାଗ ସାପଙ୍କ ଜୀବନ କାଳ ଖୁବ୍ କମ୍ କାହିଁକି ନା ସେମାନଙ୍କର ଶାରୀରିକ ଦୁର୍ବଳତା ହେତୁ ସେମାନେ ଅନ୍ୟ ଜୀବଙ୍କ ଶିକାର ହୁଅନ୍ତି । ନିଜେ ନିଜକୁ ରକ୍ଷା କରିବାରେ ଅସମର୍ଥ ହୁଅନ୍ତି ଏହି ସାପ ତେଣୁ ଏମାନେ କମ୍ ଦିନ ପାଇଁ ହିଁ ପୃଥିବୀରେ ବାସ କରନ୍ତି । ଗତ ବର୍ଷ ଦକ୍ଷିଣ ଭାରତରେ ପାଞ୍ଚ ଫୁଟ ଲମ୍ବାର ଧଳା ନାଗ ଚିହ୍ନଟ ହୋଇଥିଲା । ଯାହାକୁ ଉଦ୍ଧାର କରିବା ପରେ ଜଙ୍ଗଲରେ ଛାଡି ଦିଆଯାଇଥିଲା ।
ଯଦି କେବେ ଆପଣ ଏହି ସାପକୁ ଦେଖୁଛନ୍ତି ତେବେ ଆଶ୍ଚର୍ଯ୍ୟ ହେବାର ଆବଶ୍ୟକତା ନାହିଁ । ଏହା ଅନ୍ୟ ନାଗ ସାପ ଭଳି ଏକ ବିଷାକ୍ତ ସାପ । ଏଭଳି ସାପ ଯଦି ଆପଣଙ୍କ ସାମ୍ନାକୁ ଆସୁଛି ତେବେ ଏହାକୁ କୌଣସି କ୍ଷତି ନପହଞ୍ଚାଇ ତୁରନ୍ତ ସ୍ନେକ୍ ହେଲ୍ପ ଲାଇନର ସହାୟତା ନିଅନ୍ତୁ । ଏବଂ ଏହାକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେବାକୁ ଯଥା ସମ୍ଭବ ଚେଷ୍ଟା କରନ୍ତୁ ।