ନିଜ ଆପ୍ରାଣ ଉଦ୍ୟମରେ ତିଆରି କରିଛନ୍ତି ୧୬୦ ହେକ୍ଟର ଜଙ୍ଗଲ, ଟ୍ରି ମ୍ୟାନ୍ ଭାବେ ସମଗ୍ର ଜିଲ୍ଲାରେ ପରିଚିତ

ଏ ହେଉଛନ୍ତି ଗୋପୀନାଥ ସିଂ । ଆଉ ସେ ଯେଉଁ ଜଙ୍ଗଲ ଭିତରେ ଠିଆ ହୋଇଛନ୍ତି ତାକୁ ସେ ନିଜେ ସୃଷ୍ଟି କରିଛନ୍ତି । କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ବି ସତ । କାରଣ ନିଶା ହେଉଛି ତାଙ୍କର ଗଛ ଲଗାଇବା । ସେଥିପାଇଁ ତ ଟ୍ରି ମ୍ୟାନ୍ ଭାବେ ସମଗ୍ର ଜିଲ୍ଲାରେ ପରିଚିତ । ନିଜ ଆପ୍ରାଣ ଉଦ୍ୟମରେ ଗଢି ତୋଳିଛନ୍ତି ୧୬୦ ହେକ୍ଟରର ଜଙ୍ଗଲ । ଚଳିତ ସାଧାରଣତନ୍ତ୍ର ଦିବସରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ତାଙ୍କୁ ସମ୍ୱର୍ଦ୍ଧିତ ହେବେ ଗୋପୀନାଥ । ୪୦ ବର୍ଷ ଧରି ଗଛ ଲଗାଇ ସେ ସୃଷ୍ଟି କରିଛନ୍ତି ଏହି ଜଙ୍ଗଲ । ତାଙ୍କର ଏଭଳି ମହତ କାର୍ଯ୍ୟ ପାଇଁ ସେ ହେବେ ସମ୍ୱର୍ଦ୍ଧିତ ।

ଗୋପୀନାଥଙ୍କୁ ଏବେ ୬୬ ବର୍ଷ । ଆଦିବାସୀ ହେଲେ ସୁଦ୍ଧା ଇଶ୍ଵର ଭକ୍ତି ଓ ଆଧ୍ୟାତ୍ମିକ କାର୍ଯ୍ୟ ଏବଂ ତାଙ୍କର ଚାଲିଚଳନ ତଥା ଜୀବନଚର୍ଯ୍ୟା ପାଇଁ ସମସ୍ତଙ୍କ ମୁଣ୍ଡ ନଇଁ ପଡ଼େ ତାଙ୍କୁ ଦେଖିଲେ । ଯୁବାବସ୍ଥାରୁ ୪୦ ବର୍ଷ ଧରି ଜଙ୍ଗଲ ସୁରକ୍ଷା ସହିତ ନୂତନ ଜଙ୍ଗଲ ସୃଷ୍ଟି ଓ ବନସୁରକ୍ଷା ସମିତିର ସଭାପତି ଦାୟିତ୍ଵ ନିର୍ବାହ କରି ସମଗ୍ର ଜିଲ୍ଲାରେ ଉଦାହରଣ ସୃଷ୍ଟି କରିଛନ୍ତି । ଗାଁର ସଂରକ୍ଷିତ ଜଙ୍ଗଲରୁ ଗଛ କାଟି ନେବା ସାଙ୍ଗକୁ ଜଙ୍ଗଲ ଜମି ଜବରଦଖଲକୁ ପ୍ରଥମେ ବିରୋଧ କରି ୨୪ ବର୍ଷ ବୟସରେ ଆରମ୍ଭ ହୋଇଥିଲା ଗୋପୀନାଥଙ୍କ ଅଭିଯାନ ।

ଯାହା ବର୍ତ୍ତମାନ ମହାଦ୍ରୁମରେ ପରିଣତ ହୋଇଛି । ନିଷ୍ଠା ଓ କର୍ମ ପାଇଁ ସେ ନିରବଚ୍ଛିନ୍ନ ଭାବରେ ୪୦ ବର୍ଷ ଧରି ଗାଁ ବନ ସୁରକ୍ଷା ସମିତିର ସଭାପତି ଦାୟିତ୍ଵ ତୁଲାଉଛନ୍ତି । ପରିବାରର ସମସ୍ତେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ । ଗାଁର ମୋଟ ଜନସଂଖ୍ୟା ୮୦୦ରୁ ଉର୍ଦ୍ଧ୍ୱ ହେଲେ ମଧ୍ୟ ସମସ୍ତେ ସଭାପତିଙ୍କ ଆଦର୍ଶରେ ଅନୁପ୍ରାଣିତ । ଟାଙ୍ଗର ଭୂଇଁରେ ପଥମେ ନିଜେ ପାୱାର ଟିଲରରେ ହଳ କରି ଲୋକଙ୍କ ଠାରୁ ସଂଗୃହୀତ ବିଭିନ୍ନ ଗଛର ମଞ୍ଜି ବୁଣି ଗୋପୀନାଥ ଆରମ୍ଭ କରିଥିଲେ ଜଙ୍ଗଲ ତିଆରି ।

ପରବର୍ତ୍ତୀ ସମୟରେ ବନ ବିଭାଗର ସହାୟତାରେ ସଂରକ୍ଷିତ ଜଙ୍ଗଲର ୧୩୦ ହେକ୍ଟର ଜମିରେ ଗଛ ଲଗାଇ ବର୍ତ୍ତମାନ ତା’ର ପରିସୀମା ଅଧିକ ୩୦ ହେକ୍ଟର ଅର୍ଥାତ ୧୬୦ ହେକ୍ଟର ଜମିରେ ସୃଷ୍ଟି ହୋଇଛି ଘଞ୍ଚ ଜଙ୍ଗଲ । ଯେଉଁ ଜଙ୍ଗଲରେ ବର୍ତ୍ତମାନ ଭାଲୁ, ବାରାହା ଠାରୁ ଆରମ୍ଭ କରି ଅନେକ ବନ୍ୟଜନ୍ତୁ ବିଚରଣ କରୁଛନ୍ତି । ସେଥିମଧ୍ୟରୁ ୧୫ ବର୍ଷ ପୂର୍ବେ ରୋପଣ ହୋଇଥିବା ୨ ହଜାର ଅଁଳାଗଛ ବର୍ତ୍ତମାନ ସମସ୍ତଙ୍କ ପାଇଁ ଉଦାହରଣ । ସମସ୍ତ ଗଛରେ ଅଁଳା କୋଳି ଫଳୁଥିଲେ ହେଁ ତା’ର ବିକ୍ରି କରା ନଯାଇ ଲକ୍ଷାଧିକ ଟଙ୍କାର କୋଳି ସର୍ବସାଧାରଣଙ୍କୁ ବାଣ୍ଟି ଦିଆଯାଇଥାଏ ।

ସେହିପରି ୫୦୦ ଶାଳଗଛ ରୋପଣ ପରେ ସମସ୍ତ ଗଛ ବଞ୍ଚାଇ ସୃଷ୍ଟି କରିଛନ୍ତି ସେ ବିରଳ ଉଦାହରଣ । ଏହି ଜଙ୍ଗଲରେ ଅନ୍ୟାନ୍ୟ ଗଛ ମଧ୍ୟ ରହିଛି ଯେପରିକି ବାଉଁଶ, ପଟାସ, ଆକାଶିଆ, ନିମ୍ୱ, ବେଲ, ଆମ୍ୱ, ପଣସ, ହରିଡ଼ା ଓ ବାହାଡ଼ା ପରି ଅନେକ ଔଷଧୀୟ ବୃକ୍ଷ । ପ୍ରଥମେ ନିଜେ ଗୋପୀନାଥ ଦିନ ରାତି ଜଙ୍ଗଲରେ ପ୍ରହରା ଦେଉଥିବା ବେଳେ ବର୍ତ୍ତମାନ ସମିତିର ସଦସ୍ୟ ପାଳି କରି ଜଗୁଛନ୍ତି । ଜଙ୍ଗଲରୁ ମିଳୁଥିବା ଶୁଖିଲା କାଠ, ପତ୍ର, ମଞ୍ଜି, ଝୁଣା, ମହୁ ଓ ଲାଖ ଆଦିର ନିଲାମ ପରେ ସଞ୍ଚିତ ଅର୍ଥ ବନସୁରକ୍ଷାରେ ବିନିଯୋଗ ହେଉଥିବା ବେଳେ ଗୋପୀନାଥଙ୍କ ନେତୃତ୍ଵରେ ଗାଁ ମୁଣ୍ଡରେ ନିର୍ମାଣ ହୋଇଛି ଏକ ଶିବ ମନ୍ଦିର । ଏପରି କାର୍ଯ୍ୟ ପାଇଁ ତାଙ୍କୁ ଛୋଟ ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ଡ଼ାକୁଛନ୍ତି ‘ବାବା’ । ଆଉ ସେ ଏବେ ସମସ୍ତଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।