ଅଜଣା ରୋଗରେ ଶଯ୍ୟାଶାୟୀ ପୁଅ, ସାହାଯ୍ୟ ମାଗୁଛି ମା’

ବୟସ ବଢିବା ସହ ବଢୁଛି ୨ ବର୍ଷ ଶିଶୁର ମୁଣ୍ଡ ଓ ଅଣ୍ଡକୋଷ ।  ଫଳରେ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଦୌଡ଼ି ଦୌଡ଼ି ବାପା ମା ହତାଶ ହୋଇ ପଡିଲେଣି । ଘର ଚଳାଇବା କଷ୍ଟ ହୋଇପଡ଼ୁଥିବା ବେଳେ ଏବେ ବଡ ଡାକ୍ତରଖାନା ଯିବା ପାଇଁ ଅର୍ଥ ବାଧକ ସାଜିଛି । ଏଭଳି ଏକ ଦୁଃଖଦାୟକ ଘଟଣା  ବାଲେଶ୍ବର ଜିଲ୍ଲା ନୀଳଗିରି ଏନଏସି ୮ ନମ୍ବର ଓ୍ୱାର୍ଡ ଚିମିନିଭାଟି ଅଞ୍ଚଳରେ ଦେଖିବାକୁ ମିଳିଛି । ସେହି ଗାଁର ବାପି କିସ୍କୁ ଓ ସ୍ତ୍ରୀ ବୁଦୁନୀ ସିଂଙ୍କ ଏକ ମାତ୍ର ଦେଢ଼ ବର୍ଷର ଶିଶୁପୁତ୍ର ଶିବ କିସ୍କୁ । ପୁଅଟିଏ ଜନ୍ମ ହେବା ପରେ ପରିବାରରେ ଖୁସିର ମାହୋଲ ଦେଖା ଯାଇଥିଲା । କାହିଁକି ନା ଦିନେ ପୁଅ ବଡ ହେବ ଏବଂ ବାର୍ଦ୍ଧକ୍ୟ ସମୟରେ ବାପା ମା’ଙ୍କ ସାହାରା ପାଲଟିବ । ବାପିଙ୍କ ପରିବାର କହିଲେ ସ୍ବାମୀ ସ୍ତ୍ରୀ ୨ ବର୍ଷର ଶିଶୁ ଓ ବୁଢୀ ମା । ରୋଜଗାରିଆ ମଣିଷ ହେଉଛନ୍ତି ବାପି ।  ସ୍ତ୍ରୀ ବୁଦନୀ ଆଗରୁ ପର ଘରେ ପାଇଟି କରି ପରିବାର ଚଳେଇବାରେ ସାହାଯ୍ୟ କରୁଥିଲେ । ହେଲେ ପୁଅ ଜନ୍ମ ହେବାଠାରୁ ସେ ମଧ୍ୟ କାମକୁ ଯିବା ବନ୍ଦ କରି ପୁଅର ସେବାଯତ୍ନରେ ଲାଗିପଡିଛନ୍ତି । ତେବେ ଶିଶୁ ପୁତ୍ରର ଜନ୍ମ ସମୟରେ ମୁଣ୍ଡ ଓ ଅଣ୍ଡକୋଷ ସ୍ବାଭାବିକ ରହିଥିଲା ହେଲେ ବୟସ ବଢିବା ସହ ଏବେ ଶିବର ମୁଣ୍ଡ ଓ ଅଣ୍ଡକୋଷ ବଢିବାକୁ ଲାଗିଛି ।

ପୁଅକୁ ନେଇ ପ୍ରଥମେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ଡାକ୍ତରଙ୍କୁ ଦେଖାଇବା ପରେ ଆଶୁ ଚିକିତ୍ସା କରି ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ ବାପା ମା’ । ସେଠାରେ ଡାକ୍ତର ଶିଶୁ ପୁତ୍ରର ମସ୍ତିଷ୍କ ଓ ଅଣ୍ଡକୋଷରେ ପାଣି ଜମୁଥିବାରୁ ଏଭଳି ଏକ ଅଜଣା ରୋଗ ହୋଇଛି ବୋଲି କହିଥିଲେ । କଟକ କିମ୍ବା ବଡ ମେଡ଼ିକାଲକୁ ନେଇ ଚିକିତ୍ସା କରିବା ପାଇଁ ପରାମର୍ଶ ଦେଇଥିଲେ ଡାକ୍ତର । ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ଅଛି ବୋଲି ଡାକ୍ତର କହିଛନ୍ତି । କିନ୍ତୁ ବାପି ଜଣେ ଦିନ ମଜୁରିଆ ହୋଇଥିବା ବେଳେ ସ୍ତ୍ରୀ ବୁଦୁନୀ ବି କାମକୁ ଯାଇ ନପାରି ଶିଶୁ ପୁତ୍ରର ଯତ୍ନ ନେଉଛନ୍ତି । ଏଭଳି ପରିସ୍ଥିତିରେ ପୁଅର ଚିକିତ୍ସା କରିବା ଏମାନଙ୍କ ପକ୍ଷେ ଅସମ୍ଭବ ।

ତେବେ ପ୍ରଶାସନ ତରଫରୁ କିମ୍ବା କୌଣସି ସହୃଦୟ ବ୍ୟକ୍ତି ଏହି ପରିବାରକୁ ସହଯୋଗର ହାତ ବଢ଼ାଇଲେ ଶିଶୁଟିର ଚିକିତ୍ସା ହୋଇପାରିବ । ଶିଶୁ ପୁତ୍ରର ଜୀବନ ବଞ୍ଚାଇବା ପାଇଁ ବାପା ମା ତଥା ଗ୍ରାମବାସୀ ଆକୁଳ ନିବେଦନ କରିଛନ୍ତି । ଯଦି କେହି ଏ ପରିବାରକୁ ସାହାଯ୍ୟ କରିବା ପାଇଁ ଚାହୁଁଛନ୍ତି ତେବେ ଏହି ଠିକଣାରେ ଯୋଗାଯୋଗ କରିପାରିବେ । ବ୍ୟାଙ୍କ ଆକାଉଣ୍ଟ ନମ୍ବର- ୪୩୨୩୨୧୧୧୦୨୫୦୨ ଓ ଆଇଏଫସି କୋଡ ୟୁସିବିଏ୦୦୦୦୪୩୨ ରେ ସାହାଯ୍ୟ କରିପାରିବେ ।

 

You might also like