ସହଜ ନୁହେଁ ସାମ୍ବାଦିକତା , ସାମ୍ନାକୁ ଆସିଲା ଗତକାଲି ନକ୍ସଲଙ୍କ ଆକ୍ରମଣ ସମୟର ଛାତିଥରା ଭିଡିଓ

ଗତକାଲି ଦାନ୍ତେୱାଡା ଅରନ୍ପୁର ଗାଁ ନିକଟରେ ହୋଇଥିଲା ନକ୍ସଲ ହମଲା। ସହିଦ ହୋଇଥିଲେ ଦୁଇ ପୋଲିସ ଯବାନ ଓ ଦୁରଦର୍ଶନର ଜଣେ ଓଡ଼ିଆ କ୍ୟାମେରାମ୍ୟାନ୍। ତେବେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିବା ଆଉ ଜଣେ ଆସିଷ୍ଟାଣ୍ଟ କ୍ୟାମେରାମ୍ୟାନ୍ ମୋରମୁକୁଟ ଶର୍ମା ସେହି ସମୟର ହୃଦୟଥରା ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରିଛନ୍ତି । କିଭଳି ଭାବେ ମୃତ୍ୟୁ ମୁଖରୁ ରକ୍ଷା ପାଇଛନ୍ତି ତାହା ବଖାଣିଛନ୍ତି ।
ଏହା ସହ ଏକ ସନ୍ଦେଶ ମଧ୍ୟ ନିଜ ମାଙ୍କୁ ଦେଉଛନ୍ତି । ଯେଉଁଥିରେ ସେ ନିଜ ମାଙ୍କୁ ବହୁତ ଭଲ ପାଉଥିବା କଥା କହିଛନ୍ତି । ତେବେ ମୃତ୍ୟୁକୁ ସାମ୍ନାରେ ଦେଖି ମଧ୍ୟ ଭୟ ଲାଗୁନଥିବା କହିଛନ୍ତି ମୋରମୁକୁଟ୍ । ସବୁଠାରୁ ବଡ଼ କଥା ହେଉଛି ଏହି ଭିଡିଓ ସମୟରେ ଫାୟାରିଙ୍ଗ୍ ଶବ୍ଦ ହେଉଥିବା ସ୍ପଷ୍ଟ ଭାବରେ ଶୁଣିବାକୁ ମିଳୁଛି ।
ଗତକାଲି ଖବର ସଂଗ୍ରହ କରିବାକୁ ଯାଉଥିବା ବେଳେ ଅଚାନକ ଆକ୍ରମଣ ହୋଇଥିଲା । ବାଇକରେ ଯାଉଥିବା ରିପୋର୍ଟର ଧୀରଜ କୁମାର ଓ ମୋରମୁକୁଟ ଗଛରେ ଲୁଚି ଯାଇଥିଲେ । ମୃତ କ୍ୟାମେରାମ୍ୟାନ୍ ଓଡ଼ିଶାର ଅଚ୍ୟୁତାନନ୍ଦ ସାହୁ। ତାଙ୍କ ଘର ବଲାଙ୍ଗିର ଜିଲ୍ଲା ଲୋଇସିଂହାରେ ହୋଇଥିବାବେଳେ ସୋନପୁରର ବିରମହାରାଜପୁରରେ ନିଜ ପରିବାର ସହ ରହୁଥିଲେ । ଅଚ୍ୟୁତାନନ୍ଦଙ୍କ ମୃତ୍ୟୁ ପରେ ସମଗ୍ର ରାଜ୍ୟରେ ଖେଳିଯାଇଛି ଶୋକର ଛାୟା । ତେବେ ଅଚ୍ୟୁତଙ୍କ ସମେତ ୩ ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ଆକ୍ରମଣରେ ୨ ଜଣ ଯବାନ୍ ସହିଦ୍ ହୋଇଥିବା ସୂଚନା ମିଳିଛି। ଅନ୍ୟ ୨ ଜଣ ଆହତ ହୋଇଛନ୍ତି।