ବାପାଙ୍କ ଦେହାନ୍ତ ପରେ ଖାଇବାକୁ ମିଳୁନଥିଲା, ଜଣକର ଆଶୀର୍ବାଦରେ ସମୟ ବଦଳିଗଲା

ଜଗତସିଂହପୁର (କେନ୍ୟୁଜ୍) : ସମୟ ବଦଳି ଯାଏ ଏମିତି । ଖରାପ ସମୟ ସବୁବେଳେ ରହେ ନାହିଁ । ମଣିଷକୁ କେବଳ ଅପେକ୍ଷା କରିବାକୁ ହୁଏ ଧୈର୍ଯ୍ୟର ସହ ସେଇ ସମୟକୁ । ଏମିତି ଭାବରେ ଗୋଟିଏ ପାରିବାରର ଦୁଃଖ ସମୟକୁ ସୁଖରେ ପରିଣତ କରିଛନ୍ତି କନ୍ଧମାଳ ସାଂସଦ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ।
ରଘୁନାଥପୁର କିଶୋର ନଗର ଥାନା ଉତ୍ତରକୁଳ ପଂଚାୟତର ସାହସପୁର ଗାଁ । ଏଇ ଗାଁର ପ୍ରଭାକର ସାହାଣୀଙ୍କ ପାରିବାର ଦୁଃଖ ଭିତରେ ପୋତି ହୋଇ ରହିଥିଲେ । ପ୍ରଭାକର ଜଣେ ଦିନ ମଜୁରିଆ । ନିଜ ଗାଁରେ କଣ କାମ କରିବେ, କେତେ ରୋଜଗାର କରିବେ ଭାବି ରାଜ୍ୟ ବାହାରକୁ ଯାଉଥିଲେ ଦାଦନ ଖଟିବାକୁ । ଭଲ ଦୁଇ ପଇସା ରୋଜଗାର ହେଲା, ଘରକୁ ମଝିରେ ମଝିରେ ଆସନ୍ତି । ସ୍ତ୍ରୀ ଏବଂ ଝିଅ କଥା ବୁଝନ୍ତୁ । ସବୁକିଛି ଠିକ୍ ଚାଲି ଆସୁଥିଲା ହେଲେ ଦିନେ ଖୁବ୍ ଅସୁସ୍ଥ ହୋଇ ପ୍ରଭାକର ଫେରିଲେ ଗାଁକୁ। ଯେତେ ଔଷଧ ଖାଇଲେ କମିଲାନି ବରଂ ଦେହ କ୍ରମାଗତ ଅସୁସ୍ଥ ହୋଇ ଚାଲିଲା।
ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟ ପରୀକ୍ଷା କରିବାରୁ ଏଚ୍ଆଇଭି ପଜିଟିଭି ବାହାରିଥିଲା ।ଚିକିତ୍ସା ପୂର୍ବରୁ ସବୁ ଟଙ୍କା ପଇସା ସରିଥିଲା ତାଙ୍କ ପିଛା। ଶେଷରେ ସ୍ଥିତି ଏମିତି ହେଲା ଯେ ପଇସା ଅଭାବରୁ ଔଷଧ କିଣି ଖାଇବା ସମ୍ଭବ ହେଲାନି । ଭୋକ ଉପବାସ ସହ ଚାଲିଲା ଜୀବନ ବଞ୍ଚିବାର ସଂଗ୍ରାମ । ଦିନକୁ ଦିନ ଦୁର୍ବଳ ହୋଇ ଚାଲିଲେ ପ୍ରଭାକର । ଶେଷରେ ମୃତ୍ୟୁ ବରଣ କଲେ । ସବୁଦିନ ପାଇଁ ପଛରେ ଛାଡ଼ି ଚାଲିଗଲେ ପରିବାରକୁ ।
ରୋଜଗାରିଆ ବ୍ୟକ୍ତିଙ୍କୁ ହରାଇଲେ ପରିବାର ଉଜୁଡ଼ି ଯାଏ । ସେହିଭଳି ବେସାହାରା ହୋଇ ଯାଇଥିଲେ ତାଙ୍କ ସ୍ତ୍ରୀ ଓ ଝିଅ । ଘରେ ରହି ଯାଇଥିଲେ ପତ୍ନୀ ଦଳି ଓ ବାର ବର୍ଷର ଝିଅ ଅର୍ପିତ ପ୍ରିୟଦର୍ଶିନୀ ସାହାଣୀ । ସେବେଠାରୁ ଦୁଃଖ ଛାଡ଼ି ନଥିଲା ଏମାନଙ୍କୁ । ଚଳିବା ପାଇଁ ପଇସା ନଥିଲା । ଦାରିଦ୍ର୍ୟର କଷାଘାତ ସହି ବହୁ କଷ୍ଟରେ ଜୀବନ ଅତିବାହିତ କରୁଥିଲେ ମା ଝିଅ । ଆଗକୁ କେବଳ ଖାଇକି କେମିତି ବଞ୍ଚିବେ ଭାବୁଥିଲେ । ଝିଅର ପାଠ ପଢା କଥା ପୂରାପୂରି ମୁଣ୍ଡରୁ ଲିଭି ଯାଇଥିଲା ।
ହେଲେ ଏହି ବେସାହାରା ପରିବାରର ଅବସ୍ଥା କଥା ଶୁଣିଥିଲେ କନ୍ଧମାଳ ସାଂସଦ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଡାକ୍ତର ଅଚ୍ୟୁତ ସାମନ୍ତ । ଏମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ଦେବଦୂତ ସାଜି ଡ. ସାମନ୍ତ ପ୍ରଭାକର ପରିବାରର ଭରଣ ପୋଷଣ ନିମନ୍ତେ ଆର୍ଥିକ ସହାୟତା ଯୋଗାଇ ଦେଲେ । ପୁଣି ଝିଅର ସମ୍ପୂର୍ଣ୍ଣ ପାଠ ପଢ଼ାର ଦାୟିତ୍ୱ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଲେ । ସେତିକି ନୁହେଁ, ନିଜ ଜନ୍ମ ମାଟି ଆଦର୍ଶ ଗ୍ରାମ କଲରାବଙ୍କରେ ଉଭୟ ମାଆ ଝିଅଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କଲେ । ପୁଣି ଝିଅର ପଢା ବହି ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଆସବାବପତ୍ର ଦେଇ ବ୍ୟାଙ୍କ ଆକାଉଣ୍ଟ୍ ଖୋଲି ଦେଲେ । ପ୍ରତି ମାସରେ ସେହି ଆକାଉଣ୍ଟରେ ଟଙ୍କା ଜମା କରିବ କିସ୍ ଫାଉଣ୍ଡେସନ୍ । ଯିଏକି ଏମିତି ଅନେକ ଅସହାୟଙ୍କ ପାଇଁ ଠିଆ ହୋଇଛି । ଆଉ ଏବେ ଏହି ମା ଝିଅଙ୍କ ଦୁଃଖରେ ପୂର୍ଣ୍ଣଚ୍ଛେଦ ପକାଇବ ।
ସାହସପୁର ଗ୍ରାମବାସୀମାନେ ଡ. ସାମନ୍ତ ତଥା କିସ୍ ଫାଉଣ୍ଡେସନ୍ର ଏଭଳି ପରୋପକାରୀ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଛନ୍ତି । ଆମ ସମାଜରେ ଯଦି ପ୍ରତିଷ୍ଠିତ ଲୋକମାନେ ସାର୍୍ଙ୍କ ଭଳି କେବଳ ଚିନ୍ତା କରନ୍ତା କେହି ଦୁଃଖୀ ରୁହନ୍ତେନି ବୋଲି ଲୋକ କହିଛନ୍ତି ।