ପାହାଡ଼ ଉପରକୁ ଚରିବାକୁ ଯାଇ ଆହତ ହେଲେ ଗାଈ, ହେଲିକପ୍ଟର ଯୋଗେ ଚାଷୀ କଲେ ଏୟାରଲିଫ୍ଟ

ଚାଷୀଙ୍କ ହୃଦୟ ନିଜ ଗାଈଙ୍କ ପାଇଁ କେତେ ନରମ ହୋଇଥାଏ, ତାହାର ଏକ ବଢ଼ିଆ ଉଦାହରଣ ସ୍ୱିଟ୍‌ଜରଲ୍ୟାଣ୍ଡରେ ଦେଖିବାକୁ ମିଳିଛି। ଏଠାରେ କିଛି ଗାଈଙ୍କୁ ଏୟାରଲିଫ୍ଟ କରି ପାହାଡ଼ ଉପରୁ ତଳକୁ ଅଣାଯାଇଛି, ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଗାଈମାନଙ୍କୁ ଏହି ଏୟାରଲିଫ୍ଟ ଖୋଦ୍‌ ଚାଷୀ ହିଁ କରେଇଛନ୍ତି। ତେବେ ଏହା ପଛର କାରଣ ଜାଣିଲେ ଆପଣ ବି ଭାବୁକ ହୋଇଯିବେ। ଏହି ଗାଈମାନଙ୍କୁ ହେଲିକପ୍ଟର ଯୋଗେ ପାହାଡ଼ ଉପରୁ ଏୟାରଲିଫ୍ଟ କରି ଘାସ ପଡ଼ିଆକୁ ଅଣାଯାଇଛି।

ରିପୋର୍ଟ ମୁତାବକ, ଏହି ଗାଈମାନେ ଖରାଦିନେ ପାହାଡ଼ ଉପରକୁ ଚରିବା ପାଇଁ ଯାଇଥାଆନ୍ତି ଏବଂ ଥଣ୍ଡା ଦିନେ ସେମାନଙ୍କୁ ତଳେ ଘାସ ପଡ଼ିଆକୁ ଅଣାଯାଇଥାଏ। ଏବେ କିଛି ଗାଈ ପାହାଡ଼ ଉପରେ ଅସୁସ୍ଥ ହୋଇପଡ଼ିବା ସହ ଆଉ କିଛି ଗାଈ ଆହତ ହୋଇଛନ୍ତି। ପାହାଡ଼ରେ ରାସ୍ତା ଏତେ ସରଳ ନ ଥିଲା କି, କୌଣସି ଗାଡ଼ି ଯୋଗେ ସେମାନଙ୍କୁ ଅଣାଯାଇ ପାରିଥାଆନ୍ତା। ତେଣୁ ଚାଷୀମାନେ ଗାଈମାନଙ୍କୁ ଏୟାରଲିଫ୍ଟ କରେଇବାକୁ ନିଷ୍ପତ୍ତି ନେଇଥିଲେ, ଯେପରି ଗାଈଙ୍କୁ କୌଣସି ସମସ୍ୟା ହେବ ନାହିଁ କି ଯନ୍ତ୍ରଣା ହେବ ନାହିଁ।

ଚାଷୀ ଜୋନାସ୍‌ ଅର୍ନିଲ୍ଡ କହିଛନ୍ତି, ଏହା ଏକ ଶାନ୍ତ ଏବଂ ଛୋଟ ଉଡ଼ାଣ ଥିଲା। ମାତ୍ର ଅଳ୍ପ ସମୟ ଭିତରେ ଏହି ପ୍ରକ୍ରିୟା ପୂରା ହୋଇଯାଇଥିଲା। ତେବେ କିଛି ସୁସ୍ଥ ଗାଈ ନିଜେ ହିଁ ଚାଲି ଚାଲି ପାହାଡ଼ରୁ ତଳକୁ ଆସିଥିଲେ। ଦଳରେ ପାଖାପାଖି ୧ ହଜାର ଗାଈ ଥିଲେ, ସେମାନଙ୍କ ଭିତରୁ ୧୦ଟି ଗାଈଙ୍କୁ ଏୟାରଲିଫ୍ଟ କରି ତଳକୁ ଅଣାଯାଇଥିଲା।

Leave A Reply

Your email address will not be published.