ଐତିହାସିକ କାଳୀମେଘା ମେଳଣ, ଏଠାକାର ସ୍ୱତନ୍ତ୍ରତା କାଦୁଅ ଖେଳ

ମୋଗଲ ଶାସନ କାଳରୁ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ଚାଲିଛି ଐତିହାସିକ କାଳୀମେଘା ମେଳଣ। ରଙ୍ଗରୁ ଆରମ୍ଭ ହୋଇ କାଦୁଅ ଖେଳରେ ସାରିଥାଏ ଏହି ମେଳଣ।

ଚାନ୍ଦବାଲି(କେନ୍ୟୁଜ): ରଙ୍ଗ ଓ କାଦୁଅ ହୋଲିର ନିଆରା ପରମ୍ପରା ହେଉଛି କାଳୀମେଘା ମେଳଣ। ଏହି ଐତିହାସିକ କାଳୀମେଘା ମେଳଣକୁ ଉପଭୋଗ କରିବାକୁ ହଜାର ହଜାର ଦର୍ଶକଙ୍କ ଭିଡ଼ ଜମିଥାଏ । ଏଠି ରଙ୍ଗରୁ ଆରମ୍ଭ ହୋଇ କାଦୁଅ ଖେଳରେ ସାରିଥାଏ ମେଳଣ ।

ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧିନସ୍ଥ ମୁକୁନ୍ଦପୁର ପଞ୍ଚାୟତର କାଳୀମେଘା ଗାଁ । ଏହି ଗାଁରେ ଅନୁଷ୍ଠିତ ହୋଇଥାଏ ଐତିହାସିକ କାଳୀମେଘା ମେଳଣ । ଏହି ମେଳଣରେ ଜାତି, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏଥିରେ ସାମିଲ ହୋଇଥାନ୍ତି । ଏହି ମେଳଣ ୧୭୦୨ ମସିହାରେ ମୋଗଲ ଶାସନ କାଳରୁ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ଚାଲିଛି। ଏହି ମେଳଣ ଦେଖିବା ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରୁ ଲୋକମାନଙ୍କ ଭିଡ଼ ଦେଖିବାକୁ ମିଳିଛି ।

ଦୋଳ ପୂର୍ଣ୍ଣିମା ସନ୍ଧ୍ୟାରୁ ଏହି ମେଳଣ ପଡିଆରେ ବିଭିନ୍ନ ଗ୍ରାମରୁ ବିମାନରେ ରାଧାକୃଷ୍ଣ ଙ୍କ ଯୁଗଳ ମୂର୍ତ୍ତି ଏଠାରେ ଆସି ପହଞ୍ଚିଥାନ୍ତି। ଦୁଇ ବର୍ଷ କରୋନା କଟକଣା ଭିତରେ ଏହି ମେଳଣ ପାଳନ ହୋଇଥିବା ବେଳେ ଚଳିତ ବର୍ଷ ବେଶ ଧୂମଧାମରେ ପାଳନ କରାଯାଉଛି।ଏହି ଐତିହାସିକ କାଳୀମେଘା ମେଳଣ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଯେପରି ବାହାରୁ ଆସିଥିବା ଭକ୍ତ ମାନେ ଶାନ୍ତି, ଶୃଙ୍ଖଳା ସହ ଦର୍ଶନ କରିଛନ୍ତି।

ଏହି ମେଳଣରେ ପାଖାପାଖି ୬୦ ରୁ ଊର୍ଧ୍ୱ ବିମାନ ମେଳଣ ପଡିଆରେ ବିରାଜମାନ କରିଥିଲେ। ଭକ୍ତମାନେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତିକୁ ଦର୍ଶନ କରିବା ସହ ଅବିର ଲଗାଇଥିଲେ।ତେବେ ଏହି କାଳୀମେଘା ମେଳଣ ଦୁଇ ବର୍ଷ ପରେ ହେଉଥିବାରୁ ଲୋକମାନଙ୍କ ଭିତରେ ବେଶ ଉତ୍ସହ ଦେଖା ଦେଇଥିଲା।