Categories: ସ୍ପେଶାଲ

ଜାଣନ୍ତୁ ପୁରୀର ସର୍ବପୁରାତନ ଐତିହାସିକ ଏମାର ମଠ ବିଷୟରେ କିଛି ଅଜଣା କଥା

ଶ୍ରୀସଂପ୍ରଦାୟ କିମ୍ବା ରାମାନୁଜ ସଂପ୍ରଦାୟର ଆଦି ପ୍ରଚାରକ ତଥା ବିଶିଷ୍ଟ ଅଦୈତ୍ୟାଚାର୍ଯ୍ୟ ଶ୍ରୀରାମାନୁଜ ଖ୍ରୀଷ୍ଟୀୟ ଦ୍ବାଦଶ ଶତାଦ୍ଦୀର ପ୍ରଥମ ଭାଗରେ ପୁରୀ ଆଗମନ କରିଥିବା ଉଲ୍ଲେଖ ରହିଛି। ଐତିହାସିକଙ୍କ ମତରେ ଏହି ମଠ ପ୍ରାୟ ୯୦୦ ବର୍ଷ ତଳର। ଶ୍ରୀରାମାନୁଜ ୧୧୨୨ ମସିହାରୁ ୧୧୩୭ ମସିହା ମଧ୍ୟରେ ପୁରୀ ଆସିଥିଲେ ଏବଂ ରାମାନୁଜ ମଠର ଅୟମାରମ୍ଭ କରିଥିଲେ। ଅବଶ୍ୟ ଏବର ମଠ କଳେବରରେ ଅନେକ ପରିବର୍ତନ ଆସିଛି। ପୁରୀଠାରେ ଶ୍ରୀରାମାନୁଜ ଦୁଇଟି ମଠ ସ୍ଥାପନ କରିଥିଲେ। ଗୋଟିଏ ନିଜ ନାମରେ ଓ ଅନ୍ୟଟି ନିଜ ପ୍ରିୟ ଶିଷ୍ୟ ଗୋବିନ୍ଦଙ୍କ ନାମରେ ନାମିତ ହୋଇଥିଲା। ଏହା ମହାରାଜଙ୍କ ପୃଷ୍ଠପୋଷକତାରେ ହୋଇଥିବା ଜଣାଯାଏ। ପ୍ରଥମଟି ପୁରୀ ବାସେଳିସାହିର ରାମାନୁଜକୋଟ ଓ ଅନ୍ୟଟି ସିଂହଦ୍ବାର ସମ୍ମୁଖରେ ସ୍ଥାପନ କରାଯାଇଥିଲା। ସିଂହଦ୍ବାର ସମ୍ମୁଖ ମଠରେ ଗୋବିନ୍ଦଙ୍କୁ ଅଧିଷ୍ଠିତ କରିଥିଲେ ବୋଲି ଉଲ୍ଲେଖ ରହିଛି। ସିଂହଦ୍ବାର ସମ୍ମୁଖ ଏମାର ମଠକୁ ଶ୍ରୀନିବାସ ରାମାନୁଜ ପ୍ରତିଷ୍ଠା କରିଥିବା କେହି କେହି କହୁଥିବା ବେଳେ ଆଉ କେହି ରାଜଗୋପାଳଚାରି ମଠ ବୋଲି କୁହନ୍ତି। ଏମାର ମଠର ବିଜେସ୍ଥଳୀରେ ଥିବା ମନ୍ଦିରରେ ଶ୍ରୀରଘୁନାଥ ଜିଉ ପୂଜା ପାଉଛନ୍ତି। ସେ ମଠର ମୁଖ୍ୟ ତଥା ଅଧିଷ୍ଠିତ ବିଗ୍ରହ ଅଟନ୍ତି। ଅନ୍ୟ ଦେବାଦେବୀଙ୍କ ମଧ୍ୟରେ ପତିତପାବନ (ଜଗନ୍ନାଥ), ଲକ୍ଷ୍ମଣ, ସୀତା, ହନୁମାନ, ନୃସିଂହ, ଶାଳଗ୍ରାମ ଆଦି ପୂଜା ପାଆନ୍ତି। ଅନ୍ୟ ଏକ କ୍ଷୁଦ୍ର ମନ୍ଦିରରେ ରାମାନୁଜଙ୍କ ମୂର୍ତି ପୂଜା ପାଉଛି। ଏମାର ମଠ ଅଧୀନସ୍ଥ ପ୍ରସିଦ୍ଧ ଦେଉଳି ମଠ କାକଟପୁର ମା’ମଙ୍ଗଳାଙ୍କ ମନ୍ଦିର ନିକଟରେ ରହିଛି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନବକଳେବର ଦାରୁ ଚୟନ ସମୟରେ ଏଠାରେ ବନଜାଗ ନୀତି ସଂପନ୍ନ ହୋଇଥାଏ। ଦଇତାପତିମାନେ ଏଠାରେ ରହି ପୂଜାର୍ଚ୍ଚନା ପରେ ଦାରୁ ଅନ୍ବେଷଣରେ ବାହାରିଥାନ୍ତି।

ଅତୀତରେ ଓଡ଼ିଶାର ସବୁଠୁ ଧନୀ ମଠ ଭାବେ ପରିଚିତ ଏମାର ମଠ। ଏହି ମଠ ବିପତ୍ତି ସମୟରେ ଲୋକଙ୍କ ସହିତ ରହିଥିଲା। ଦୁଃଖୀରଙ୍କିଙ୍କ ପାଇଁ ଦୁଇଟି ଅନ୍ନଛତ୍ର ଖୋଲିଥିଲା, ଯାହା ରୀମା ଛତ୍ର ଓ ଏମାର ଛତ୍ର ନାମରେ ପରିଚିତ। ମହନ୍ତ ଗଦାଧର ରାମାନୁଜ ଦାସଙ୍କ ସମୟରେ ଓଡ଼ିଶାରେ ଦୁର୍ଭିକ୍ଷ ଦେଖା ଦେଇଥିଲା। ସେ ସମୟରେ ମଠରେ ଯେତେ ସବୁ ଧାନଚାଉଳ ଗଚ୍ଛିତ ଥିଲା, ତାହା ଦୁର୍ଭିକ୍ଷ ପ୍ରପୀଡ଼ିତଙ୍କୁ ଦିଆଯାଇଥିଲା। ଅଚଳାଚଳ ସମ୍ପତ୍ତିର ମାଲିକ ଥିଲେ ଏଠାକାର ମହନ୍ତ। ସୁନା ରୁପାର ଅମାର, ବିରାଟ ଧାନକୋଠି ଆଦି ଏଠାରେ ରହିଥିଲା। ଶ୍ରୀମନ୍ଦିର ପରିଚାଳନାରେ ବି ଏହି ମଠର ଅନେକ ଅବଦାନ ରହିଛି। ଅତୀତରେ ଶ୍ରୀମନ୍ଦିରରେ ଆର୍ଥିକ ସଂକଟ ସମୟରେ ସହଯୋଗର ହାତ ବଢ଼ାଇଥିଲା ଏହି ମଠ। ଶ୍ରୀକ୍ଷେତ୍ର ତୀର୍ଥ ପୁଷ୍କରିଣୀର ପୁନରୁଦ୍ଧାର କ୍ଷେତ୍ରରେ ଏହି ମଠ ଅନେକ ସହାୟତା ଦେଇଛି। ଲିଙ୍ଗରାଜ ମନ୍ଦିର ବିନ୍ଦୁସାଗର ପୁଷ୍କରିଣୀର ପୁନରୁଦ୍ଧାର, ଶ୍ରୀମନ୍ଦିର ମରାମତି ଓ ପରିଚାଳନା ପାଇଁ ମଠର ମହନ୍ତ ଗଦାଧର ରାମାନୁଜ ଦାସ ବହୁ ଅର୍ଥ ଦାନ କରିଥିଲେ। ୧୯୨୧ ମସିହାରେ ନରେନ୍ଦ୍ର ପୁଷ୍କରିଣୀ ପାଇଁ ୮୪ ହଜାର, ଶ୍ବେତଗଙ୍ଗା ପୁଷ୍କରିଣୀ ପାଇଁ ୨୫ ହଜାର, ଶ୍ରୀମନ୍ଦିର ପାଇଁ ୧୫ ହଜାର ଟଙ୍କା ସହାୟତା ଦେଇଥିଲେ।

ଗୁରୁଙ୍କ ନାମରେ ନାମିତ ରଘୁନନ୍ଦନ ପାଠାଗାର

ମହନ୍ତ ଗଦାଧର ରାମାନୁଜ ଦାସଙ୍କ ଝାନ୍ସୀର ଏକ ସମ୍ଭ୍ରାନ୍ତ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଗୁରୁ ମହାରାଜ ରଘୁନନ୍ଦନ ରାମାନୁଜ ଦାସ ମହନ୍ତ ଗଦାଧରଙ୍କୁ ପିଲାଟି ଦିନରୁ ଆଣି ପୁରୀ ଏମାର ମଠରେ ରଖିଥିଲେ। ଏଠାରେ ତାଙ୍କ ଶିକ୍ଷାଦାନ ଶେଷ ପରେ ସେ ମହନ୍ତ ମାନ୍ୟତା ପାଇଥିଲେ। ମହନ୍ତ ଗଦାଧର ରାମାନୁଜ ଦାସ ଥିଲେ ରାଜ୍ୟର ଏକ ପରିଚିତ ବ୍ୟକ୍ତିତ୍ବ। ଶ୍ରୀକ୍ଷେତ୍ର ତଥା ମଠ ସଂସ୍କୃତି ସଂସ୍କାରରେ ତାଙ୍କର ଅନେକ ଅବଦାନ ରହିଛି। ଗୁରୁ ରଘୁନନ୍ଦନ ରାମାନୁଜ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ମହନ୍ତ ଗଦାଧର ରଘୁନନ୍ଦନ ପାଠାଗାର ପ୍ରତିଷ୍ଠା କରିଥିଲେ। ଏହା ସହ ଦାତବ୍ୟ ଚିକିତ୍ସାଳୟ ଓ ଅନେକ ଶିକ୍ଷାନୁଷ୍ଠାନ ବି ଏମାର ମଠ ଜରିଆରେ ପ୍ରତିଷ୍ଠା କରାଯାଇଛି।

ଏହାସହ ପଢନ୍ତୁ: କାହିଁକି ଶ୍ରୀ ଗଣେଶଙ୍କୁ ଅର୍ପଣ କରାଯାଇଥାଏ ଦୁବ, ଜାଣନ୍ତୁ ଏହାର ମହତ୍ତ୍ବ

ଶ୍ରୀମନ୍ଦିର ସହ ଜଡିତ ମଠ ପରମ୍ପରା

ଶ୍ରୀମନ୍ଦିରରେ ଚାମର ସେବା ବର୍ଷ ବର୍ଷ ଧରି ତୁଲାଇ ଆସୁଥିଲା ଏମାର ମଠ। ମହାପ୍ରଭୁଙ୍କୁ ପନ୍ତିଭୋଗ ବି ମଠ ଲାଗି କରି ଆସୁଥିଲା। ଏହାସହ ଝୁଲଣ ଯାତ୍ରା ବହୁ ଜାକଜମକରେ ପାଳନ କରାଯାଇଥାଏ। ଶ୍ରୀକ୍ଷେତ୍ରରେ ଯେତେ ସବୁ ମଠ ରହିଛି ତନ୍ମଧ୍ୟରୁ ଏମାର ମଠରେ ଅଧିକ ଆଡ଼ମ୍ବର ସହକାରେ ଝୁଲଣ ଯାତ୍ରା ପାଳିତ ହୋଇଥାଏ। ଏହି ମଠ ମହାପ୍ରଭୁଙ୍କୁ ଚନ୍ଦ୍ରିକା ସହ ଅନ୍ୟାନ୍ୟ ପୂଜା ସାମଗ୍ରୀ କାହିଁ କେଉଁ କାଳରୁ ଯୋଗାଇ ଆସୁଛି।

KNews Bureau

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

2 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

3 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

3 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

3 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

3 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

3 hours ago