ଶ୍ରୀକ୍ଷେତ୍ର ସାହିଯାତରେ ଆଦ୍ୟ ହେଉଛନ୍ତି ଶ୍ରୀ ଜଗନ୍ନାଥ, ଜାଣନ୍ତୁ ପୁରୀର ନିଆରା ପରମ୍ପରା ସାହିଯାତ ବିଷୟରେ

ମହାପ୍ରଭୁ ଶ୍ରୀଜଗନ୍ନାଥ ହିଁ ଆରମ୍ଭ, ପୁଣି ଶେଷ। ସେ ଏକ ବିରାଟ ବିସ୍ମୟ ପୁଣି ମହାନନ୍ଦର ଶେଷବିନ୍ଦୁ, ମହାଶୂନ୍ୟରେ ସେ ମହାପୂର୍ଣ୍ଣ ପୂର୍ଣ୍ଣବ୍ରହ୍ମ, ସତ୍‌ ଚିତ୍‌ ଆନନ୍ଦର ଏକଭୂତ ରୂପ। ଏ ବ୍ରହ୍ମଙ୍କୁ ଯେ ଧାରଣ କରେ ସେ ପବିତ୍ର ଓ ଭାଗ୍ୟବାନ। ସେ ସାମାନ୍ୟ ନିମଦାରୁ ହୁଅନ୍ତୁ ଅଥବା ଆପଣ ମାନଙ୍କ ହୃଦୟ, ଥରେ ସେ ପରଂବ୍ରହ୍ମଙ୍କୁ ପୂର୍ଣ୍ଣ ହୃଦୟରେ ସ୍ଥାନ ଦେବା ଅର୍ଥାତ୍‌ ବ୍ରହ୍ମଧାମ ସଦୃଶ ପରମାନନ୍ଦ ଦିବ୍ୟସ୍ଥାନ ପାଲଟି ଯିବା ସହ ସମାନ।

ମହାପ୍ରଭୁ ଶ୍ରୀଜଗନ୍ନାଥ ହିଁ ଆରମ୍ଭ, ପୁଣି ଶେଷ। ସେ ଏକ ବିରାଟ ବିସ୍ମୟ ପୁଣି ମହାନନ୍ଦର ଶେଷବିନ୍ଦୁ, ମହାଶୂନ୍ୟରେ ସେ ମହାପୂର୍ଣ୍ଣ ପୂର୍ଣ୍ଣବ୍ରହ୍ମ, ସତ୍‌ ଚିତ୍‌ ଆନନ୍ଦର ଏକଭୂତ ରୂପ। ଏ ବ୍ରହ୍ମଙ୍କୁ ଯେ ଧାରଣ କରେ ସେ ପବିତ୍ର ଓ ଭାଗ୍ୟବାନ। ସେ ସାମାନ୍ୟ ନିମଦାରୁ ହୁଅନ୍ତୁ ଅଥବା ଆପଣ ମାନଙ୍କ ହୃଦୟ, ଥରେ ସେ ପରଂବ୍ରହ୍ମଙ୍କୁ ପୂର୍ଣ୍ଣ ହୃଦୟରେ ସ୍ଥାନ ଦେବା ଅର୍ଥାତ୍‌ ବ୍ରହ୍ମଧାମ ସଦୃଶ ପରମାନନ୍ଦ ଦିବ୍ୟସ୍ଥାନ ପାଲଟି ଯିବା ସହ ସମାନ। ତେଣୁ ଶ୍ରୀକ୍ଷେତ୍ର ଧାମର କୋଳ ମଣ୍ଡନ କରି ଲୀଳାମୟ ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜ ଲୀଳାଖେଳା ଦ୍ୱାରା ଏଇ କ୍ଷେତ୍ରକୁ ପ୍ରାଣବନ୍ତ କରିଛନ୍ତି। ଉତ୍କଳୀୟ ସଂସ୍କୃତିର ସମଗ୍ର ଶାଖା ପ୍ରଶାଖାର ମୂଳ ହେଲା ଶ୍ରୀମନ୍ଦିର। ନୃତ୍ୟ, ସଂଗୀତ, ବୀରତ୍ୱ ପ୍ରସଙ୍ଗ ଅଥବା ଶାରୀରିକ କୌଶଳ ଏ ସବୁର ଆଦ୍ୟ ହେଲେ ମହାପ୍ରଭୁ ନିଜେ। ଶ୍ରୀକ୍ଷେତ୍ରର ସାହିଯାତ ଏ ସବୁ କଳାର ଏକ ପ୍ରଧାନ ଅଙ୍ଗ, ଯାହାକି ଆରମ୍ଭ ହୁଏ ପବିତ୍ର ଶ୍ରୀରାମ ନବମୀ ଠାରୁ। ଏହି ଏକାଦଶ ଦିନାତ୍ମକ ପର୍ବ ଚୈତ୍ର ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ଠାରୁ ବୈଶାଖ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ପର୍ଯ୍ୟନ୍ତ ପାଳିତ ହୁଏ।

ସାହିଯାତର ପ୍ରଥମ ଦିନ ଅର୍ଥାତ୍‌ ରାମନବମୀ ଦିନ ଶ୍ରୀକ୍ଷେତ୍ରର କାଳିକାଦେବୀ ସାହିଠାରୁ ଯାତର ଅୟମାରମ୍ଭ ହୁଏ। ଏହି ଦିନ ଉକ୍ତ ସାହିର ଛୋଟ ବାଳୁତ ପିଲା ଚାରି ଜଣଙ୍କୁ ଶ୍ରୀରାମ, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନ ରୂପେ ଏବଂ ଆଉ ଜଣେ ଯୁବକ ଅଥବା ବୟସ୍କ ବ୍ୟକ୍ତି ଋଷିବରଙ୍କ ରୂପେ ସଜ୍ଜିତ ହୋଇ କାଳିକାଦେବୀ ସାହିର ଇଷ୍ଟ ଦେବୀ ମା’ ଦକ୍ଷିଣକାଳୀଙ୍କ ଦର୍ଶନ କରି ଶ୍ରୀମନ୍ଦିର ଅଭିମୁଖେ ବାହାରି ଥାନ୍ତି ମହାପ୍ରଭୁଙ୍କ ଦର୍ଶନ ପାଇଁ।

ହେ ମହାବାହୁ, ହେ ନୀଳଗିରି ପତି, ତୁମେ ସକଳ ରୂପ ଧାରଣ କରିପାର, ହେ ଜଗତର ନାଥ, ସର୍ବଦୁଃଖ ହାରୀ, ତୁମକୁ କୋଟି କୋଟି ପ୍ରଣାମ। ଏଥିପାଇଁ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ପାଳନ ନିମନ୍ତେ ରାବଣ ପ୍ରଭୃତିଙ୍କୁ ବିନାଶ କରିଥିବା ରାମଚନ୍ଦ୍ରଙ୍କ ପ୍ରତିମାକୁ ଆଜ୍ଞା ଦେବା ହୁଅନ୍ତୁ।

Sahijata

ମହାପ୍ରଭୁଙ୍କୁ ଏହିପରି ପ୍ରାର୍ଥନା କରି ଆଜ୍ଞାମାଳ ଆଣି ଶ୍ରୀରାମ ଦେବଙ୍କୁ ପ୍ରଦାନ କରାଯାଏ। ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ, ଶ୍ରୀ ରାମଦେବଙ୍କ ପ୍ରତିମାଙ୍କୁ ଧଣ୍ଡି ପ୍ରସାଦ ଦିଆଯାଇ ଓଲାଗି ପରେ ଆଜ୍ଞାମାଳ ଦିଆଯାଇଥାଏ। ତେଣୁ ଏଠାରେ ଧଣ୍ଡି ପ୍ରସାଦ ମଧ୍ୟ ମହାପ୍ରଭୁଙ୍କ ଆଜ୍ଞା ସଦୃଶ। ଶ୍ରୀରାମ ଜନ୍ମ ଠାରୁ ରାବଣ ବଦ୍ଧ ପର୍ଯ୍ୟନ୍ତ ବିଭିନ୍ନ ଯାତ୍ରା ଅନୁଷ୍ଠାନ ପାଇଁ ପାରମ୍ପରିକ ରୀତିରେ ସାହିର ସାହିନାୟକମାନଙ୍କୁ ମହାପ୍ରଭୁଙ୍କର ଶ୍ରୀଅଙ୍ଗ ଲାଗି କନା ଖଣ୍ଡ ଅର୍ଥାତ୍‌ (ରେଖା ସୁନ୍ଦରୀ) ପ୍ରଦାନ କରାଯାଏ। ଏଥିରୁ ଆପଣମାନେ ଅନୁଭବ କରିପାରୁଥିବେ ଯେ ସବୁର ମୂଳରେ ଶ୍ରୀଜଗନ୍ନାଥ। ଶ୍ରୀ ରାମ ଜନ୍ମ ନୀତିରେ ମାତା କୌଶଲ୍ୟା ଓ ଶ୍ରୀ ଦଶରଥ ବେଶ ଧାରୀ ପଶୁପାଳକ ନିଜ ମୁଣ୍ଡରେ (ନାରୀ ରୂପୀ -କଳା, ନାଲି ) (ପୁରୁଷ ରୂପୀ -ଧଳା ) ରଙ୍ଗର ରେଖା ସୁନ୍ଦରୀ ବାନ୍ଧିଥାନ୍ତି।

ଉଗ୍ରତାରା ଶୁଳପାଣି ସୁଭଦ୍ରା ଭୁବନେଶ୍ୱରୀ
ନୀଳାଦ୍ରୌ ତୁ ଜଗନ୍ନାଥ ସାକ୍ଷାତ ଦକ୍ଷିଣକାଳିକା।

ମା’ ଦକ୍ଷିଣକାଳୀ ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ଏକ ଅଭିନ୍ନ। ତେଣୁ ସାହି ନାୟକମାନେ ରେଖାସୁନ୍ଦରୀ ପାଇବା ପରେ ନିଜ ନିଜ ଆଖଡ଼ା ପକ୍ଷରୁ ଯାତ୍ରା ବାହାରିବା ପୂର୍ବ ଦିନ ବିଭିନ୍ନ ଜାଗାରୁ ମେଳ ବାହାରି ମା’ ଦକ୍ଷିଣକାଳୀଙ୍କ ମନ୍ଦିରକୁ ଯାଇ ମା’ଙ୍କ ମାଜଣା କରିଥାନ୍ତି। ମା’ ହେଲେ ଇଚ୍ଛା ଶକ୍ତିର ପ୍ରତୀକ। ମା’ର ଇଚ୍ଛା ହେଲେ ହିଁ ସବୁ କିଛି ସମ୍ଭବ ହେଇପାରେ। ଏହିଦିନ ଶ୍ରୀମନ୍ଦିର ମଧ୍ୟରେ ରାମଜନ୍ମ ନୀତି ଶେଷ ହେବା ପରେ ମହାସୁଆର ଜୟ ବିଜୟ ଦୁଆର ନିକଟରେ ଚଳୁ ଅନ୍ନ ମଣୋହି କରନ୍ତି। ଯେଉଁ ଚଳୁ ଅନ୍ନକୁ କାଳିକାଦେବୀ ସାହିର ମେଳ ଗ୍ରହଣ କଳା ପରେ ଯାଇ ସାହିଯାତର ରାମନବମୀ ନୀତି ଆରମ୍ଭ ହୁଏ। ଶ୍ରୀକ୍ଷେତ୍ର ସାହିଯାତର ପ୍ରମୁଖ ଲୀଳାଗୁଡ଼ିକ ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ (ନନ୍ଦୀଗ୍ରାମ) ଜଗନ୍ନାଥ ବଲ୍ଲଭ ମଠ ପରିସର ମଧ୍ୟରେ ସମ୍ପାଦନ ହୋଇଥାଏ। ଯେପରିକି ଯଜ୍ଞ ରକ୍ଷା, ଶିବ ଧନୁ ଭଗ୍ନ, ସୀତା ବିବାହ, ପର୍ଶୁରାମ କଳା ହରଣ ନୀତି, ବନବାସ ଲୀଳା, ମାୟାମୃଗ ଲୀଳା, ସେତୁବନ୍ଧ, ଲଙ୍କା ପୋଡ଼ି, ରାବଣ ବଦ୍ଧ ଓ ରାମଭିଷେକ

ଚୈତ୍ର ଶୁକ୍ଳ ଦଶମୀ ଅର୍ଥାତ୍‌ ଯଜ୍ଞରକ୍ଷା ନୀତି ଦିନ ସନ୍ଧ୍ୟା ଧୂପ ବଢ଼ିବା ଉତ୍ତାରେ ଦକ୍ଷିଣ ଘର ଭୋଗ ସାରିବା ପରେ ମହଜନେ ଶ୍ରୀରାମ ସରିଆ ଲକ୍ଷ୍ମଣଙ୍କୁ ହାତରେ ନେଇ ସିଂହାସନ ଉପରେ ବିଜେ କରାଇବା ପରେ ପୂଜାପଣ୍ଡା ଆଜ୍ଞାମାଳ ଦିଅନ୍ତି। ପରେ ବଟବୃକ୍ଷ ପାଖରେ ଥିବା ପାଲିଙ୍କିରେ ଶ୍ରୀରାମ-ଲକ୍ଷ୍ମଣ ବିଜେ ହୋଇ ଜଗନ୍ନାଥ ବଲ୍ଲଭ ମଠ ପରିସର ମଧ୍ୟକୁ ଗମନ କରନ୍ତି। ସେଠାରେ ଯଜ୍ଞ ରକ୍ଷା ନୀତିର ଅନ୍ୟାନ୍ୟ ଭାଗ ସମ୍ପାଦନା ହୋଇଥାଏ। ତେଣୁ ଏଠାରେ ମଧ୍ୟ ପରିଲକ୍ଷିତ ଯେ,

‘କରି କରାଉ ଥାଏ ସେହି
ତା ବିନୁ ଅନ୍ୟ ଗତି ନାହିଁ’

ମହାପ୍ରଭୁ ଶ୍ରୀଜଗନ୍ନାଥ ହେଲେ ଅବତାରି ଏବଂ ତାଙ୍କ ଠାରୁ ହିଁ ସମସ୍ତ ଅବତାର ସୃଷ୍ଟି। ସେଇ ପରଂବ୍ରହ୍ମଙ୍କୁ ଅନନ୍ତ କୋଟି ପ୍ରଣାମ। ଏହା ପରର ନୀତି ଚୈତ୍ର ଶୁକ୍ଳ ଏକାଦଶୀ ଅର୍ଥାତ୍‌ ସୀତା ବିବାହ ନୀତି। ଏହି ଦିନ ମହାପ୍ରଭୁ ତିନି ଖଣ୍ଡ ଆଜ୍ଞା ମାଳ ଲାଗି ହୋଇଥାନ୍ତି। ଶ୍ରୀ ରାମଦେବ, ଶ୍ରୀ ଲକ୍ଷ୍ମଣ ଏବଂ ମାତା ସୀତାଙ୍କୁ ଏହି ଆଜ୍ଞା ମାଳ ପ୍ରଦାନ କରାଯିବା ପରେ ବିମାନବଡ଼ୁମାନେ ଘଣ୍ଟ, ଛତା, କାହାଳୀ ସହ ଜଗନ୍ନାଥ ବଲ୍ଲଭ ମଠ ମଧ୍ୟକୁ ବିଜେ କରାଇ ମହାଡାଭୁଙ୍କର ଧର୍ମସଂସ୍ଥାପନା ଭିତ୍ତିକ ଲୀଳା ସମ୍ପାଦନ କରାଇଥାନ୍ତି। ଏହିଦିନ ହରଚଣ୍ଡୀ ସାହି ଆଖଡ଼ା ପକ୍ଷରୁ (ମୁଦୁଲି ଜାଗା) ଦୁଇ ଜଣ ବ୍ୟକ୍ତି ପର୍ଶୁରାମ ରୂପରେ ସଜ୍ଜିତ ହୋଇ ନୃତ୍ୟ ପ୍ରଦର୍ଶନ କରନ୍ତି। ଏହି ଲୀଳାକୁ ପର୍ଶୁରାମ କଳା ହରଣ ନୀତି ମଧ୍ୟ କୁହାଯାଏ। ମହାପ୍ରଭୁ ସ୍ୱୟଂ ଶ୍ରୀରାମ ଅବତାରରେ ପର୍ଶୁରାମଙ୍କର କଳା ହରଣ କରିଥିଲେ। ପର୍ଶୁରାମ ଥିଲେ ବିଷ୍ଣୁ ଅଂଶୀ ଏବଂ ପ୍ରଭୁଙ୍କର ପରମ ଭକ୍ତ ମଧ୍ୟ। କିନ୍ତୁ ବେଳେ ବେଳେ ଭକ୍ତ ନିଜ ଅହଂର ବଶବର୍ତ୍ତୀ ହୋଇ ସମ୍ମୁଖରେ ନିଜ ପ୍ରଭୁଙ୍କୁ ମଧ୍ୟ ଚିହ୍ନି ପାରିନଥାଏ। ପର୍ଶୁରାମ ମଧ୍ୟ ସମାନ ଅହଂର ବଶବର୍ତ୍ତୀ ହୋଇ ନିଜ ପ୍ରଭୁ ନାରାୟଣଙ୍କର ଅବତାର ଶ୍ରୀ ରାମଚନ୍ଦ୍ରଙ୍କୁ ହେୟ ଜ୍ଞାନ କରିଥିଲେ। କିନ୍ତୁ ପ୍ରଭୁ ସବୁବେଳେ ନିଜ ଭକ୍ତଙ୍କୁ ଉଦ୍ଧାର କରିଥାନ୍ତି।

ମହର୍ଷି ଜମଦଗ୍ନୀଙ୍କ ପୁତ୍ର ପର୍ଶୁରାମ ଥିଲେ ପ୍ରବଳ ପ୍ରତାପୀ। ବୀର ହାତରେ ଧନୁ, ଅନ୍ୟ ହାତରେ ଅକ୍ଷ ମାଳା, କାନ୍ଧରେ ନଅ ଖିଅ ପଇତା, ମୁଣ୍ଡରେ ବଡ଼ ବଡ଼ ଜଟା, ଦେହରେ ଗୈରିକ ବସ୍ତ୍ର। ଯେବେ ଶିବ ଧନୁ ଭାଙ୍ଗିବାର ଖବର ପାଇ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରୁଥିବା ଶ୍ରୀରାମଚନ୍ଦ୍ରଙ୍କ ସହ ତାଙ୍କର ଭେଟ ହୋଇଥିଲା, ସେତେବେଳେ ସେ ଏପରି ଦୃଶ୍ୟମାନ ହେଉଥିଲେ ଯେପରି ଦୂରରୁ ତ୍ରିପୁର ବିନାଶକ ସ୍ୱୟଂ ମହାଦେବ ଆସୁଛନ୍ତି। ପ୍ରତିଶୋଧପରାୟଣ ହୋଇ ଅତି ଗର୍ବରେ ପର୍ଶୁରାମ ଶ୍ରୀରାମଙ୍କୁ ସାରଙ୍ଗ ଧନୁ (ବିଷ୍ଣୁଙ୍କ ଧନୁ)ରେ ଶର ସନ୍ଧାନ କରିବାକୁ ଆହ୍ଵାନ ଦେଇଥିଲେ। ଶ୍ରୀରାମଚନ୍ଦ୍ର ଆହ୍ଵାନ ରକ୍ଷା କରି ବାଣ ନିକ୍ଷେପ କରି ପର୍ଶୁରାମଙ୍କର ସମସ୍ତ କ୍ରୋଧ, ଅହଂକାର ଓ କୀର୍ତ୍ତିକୁ ସଂହାର କଲେ। ଶ୍ରୀରାମଙ୍କ ଶୌର୍ଯ୍ୟରେ ସ୍ତବ୍ଧ ହୋଇ ସେ ବିଷ୍ଣୁଙ୍କ ଅଂଶ ବୋଲି ଜାଣିପାରି ଶ୍ରୀରାମଙ୍କୁ ଆଲିଙ୍ଗନ କରିଥିଲେ। ଫଳରେ ପର୍ଶୁରାମଙ୍କ ଠାରେ ଥିବା ବୈଷ୍ଣବ ତେଜର ଅବଶେଷ ଶ୍ରୀରାମଙ୍କ ଶରୀରରେ ଲୀନ ହୋଇଥିଲା।
ପୁଣିଥରେ ହୃଦୟଙ୍ଗମ କରନ୍ତୁ ସେଇ ପରଂବ୍ରହ୍ମ ଯେ ସବୁ କଳାର ଅଧିକାରୀ, ସେ ନିଜ ଇଚ୍ଛାରେ କଳା ପ୍ରଦାନ କରନ୍ତି ଏବଂ ନିଜ ଇଚ୍ଛା ତାକୁ ହରଣ ମଧ୍ୟ କରିଥାନ୍ତି। ସବୁକିଛି ତାଙ୍କ ଠାରୁ ସୃଷ୍ଟି ପୁଣି ତାଙ୍କ ଠାରେ ହିଁ ବିଲୟ। ତେଣୁ ମୁଁ ଅଥବା ମୋର ପଣକୁ ତ୍ୟାଗ କରି ନିଜକୁ ସମ୍ପୂର୍ଣ୍ଣ ରୂପେ ସେ ଚକାଡୋଳାଙ୍କ ଠାରେ ସମର୍ପଣ ହିଁ ପୂର୍ଣ୍ଣତାର ପ୍ରାପ୍ତି।

ସର୍ବ ମଙ୍ଗଳ ଜଗନ୍ନାଥ
ତୋ ପାଦେ ହେଲି ସମର୍ପିତ

ତା’ ପରର ନୀତି ଚୈତ୍ର ଶୁକ୍ଳ ଦ୍ୱାଦଶୀ ଅର୍ଥାତ୍‌ ବନବାସ, କନ୍ଦର୍ପ ଅଧିବାସ ନୀତି। ଏହି ଦିନ ମଧ୍ୟ ପ୍ରଭୁ ତିନୋଟି ଆଜ୍ଞା ମାଳ ଲାଗି ହୁଅନ୍ତି। ମାର୍କଣ୍ଡେଶ୍ୱର ସାହିର ଲୋକମାନେ ବନବାସ ଲୀଳା କରନ୍ତି। ଭିତର ଚନ୍ଦନ ଲାଗି ବଢ଼ିବା ପରେ ଦକ୍ଷିଣ ଘରେ ଚିତ୍ରକର ଦେଇଥିବା କନ୍ଦର୍ପ ପଟି (କାମଦେବଙ୍କ ଚିତ୍ରପଟ) ଅଧିବାସ ହୁଏ। ପୂଜାପଣ୍ଡା ଏହାକୁ ମହାସ୍ନାନ କରାନ୍ତି। ଯାହାକି ଏହାର ପରଦିନ ଅର୍ଥାତ୍‌ ତ୍ରୟୋଦଶୀ ଦିନ ଜଗନ୍ନାଥ ବଲ୍ଲଭ ମଠ ପରିସର ମଧ୍ୟରେ ବିସର୍ଜନ କରାଯାଏ। ଏହିଦିନ ଦମନକ ଚୋରି ବା ଦୟଣା ଚୋରି ନୀତି ମଧ୍ୟ ସମ୍ପାଦନ ହୋଇଥାଏ। ଆଶା ଓ ବାସନା ମନୁଷ୍ୟର ସମସ୍ତ ଦୁଃଖର ମୂଳ ବୀଜ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସନ୍ତାନ ଜୀବର ଏହି ଦୁଃଖରେ ଅଭିଭୂତ ହୋଇ କରୁଣା ପ୍ରକାଶ ପୂର୍ବକ ଜୀବାତ୍ମାକୁ ଅପହରଣ କରିଥିବା ପାଞ୍ଚ ଜ୍ଞାନେନ୍ଦ୍ରିୟ ଓ ମନ ଏହିପରି ଛଅ ଗୋଟି ବସ୍ତୁକୁ ଦୟଣାର ପ୍ରତୀକ ଭାବରେ ବନ୍ଦୀ କରନ୍ତି। ଚୈତ୍ର ମାସ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ମାୟାମୃଗ ପ୍ରସ୍ତାବ ଏବଂ ସୀତାଚୋରି ନୀତି କୁଣ୍ଢେଇବେଣ୍ଟ ସାହି (ପଥର ଆଖେଡା) ପକ୍ଷରୁ ଅନୁଷ୍ଠିତ ହୋଇଥାଏ। ଏହି ନୀତି ମଧ୍ୟ ମହାପ୍ରଭୁ ହେଲେ ଆଜ୍ଞାମାଳ ଦାତା ଓ ଶ୍ରୀରାମଦେବ, ଲକ୍ଷ୍ମଣ ଦେବ ଓ଼ ମାତା ସୀତା ଆଜ୍ଞାମାଳ ଗ୍ରହୀତା। ଏହି ଦିନ ଏକା ବ୍ୟକ୍ତି ମାୟା ରାବଣ ରୂପେ ବାହାରିଥାଏ। ଶ୍ରୀଜଗନ୍ନାଥ ବଲ୍ଲଭ ମଠ ପରିସରରେ ଏହି ନୀତି ସମ୍ପାଦନ ହୁଏ। ସେଠାରେ ଏକ ମୃଗ ପଟ୍ଟଚିତ୍ରର ସମ୍ମୁଖରେ ବିରାଦ୍ୟର ତାଳେ ତାଳେ ରାବଣ ନୃତ୍ୟ କରେ ଏବଂ ଏକ ବାଳୁତ କନ୍ୟା (ସୀତା ବେଶରେ) କୁ ଅପହରଣ କରିବାର ଅଭିନୟ କରାଯାଇ ସୀତାଚୋରି ନୀତି ଅନୁଷ୍ଠିତ ହୁଏ। ଏହାପରେ ଚୈତ୍ର ମାସ ପୂର୍ଣ୍ଣିମା ଅର୍ଥାତ୍‌ ଲଙ୍କାପୋଡ଼ି ନୀତି ହୁଏ। ଏହିଦିନ ମଧ୍ୟ ମହାପ୍ରଭୁଙ୍କ ଆଜ୍ଞା ମାଳ ଶ୍ରୀରାମ ଓ ଶ୍ରୀ ଲକ୍ଷ୍ମଣଙ୍କୁ ପ୍ରଦାନ କରାଯାଏ। ଦୋଳମଣ୍ଡପ ସାହି ପକ୍ଷରୁ ଏକା ବ୍ୟକ୍ତି ହନୁମାନ ରୂପରେ ସାହିଯାତରେ ବାହାରେ। ମାତ୍ର ଏବେ ଏକ ରାବଣ ମଧ୍ୟ ବାହାର କରାଯାଉଛି। ଶ୍ରୀରାମ ଲୀଳାରେ ଶ୍ରୀହନୁମାନଙ୍କ ଦ୍ୱାରା ଏହା ଏକ ପୁରୁଷାର୍ଥ ପ୍ରଦର୍ଶନ ଲୀଳା। ଜଗନ୍ନାଥ ବଲ୍ଲଭ ମଠ ପରିସର ମଧ୍ୟରେ ହନୁମାନ ମୁଖା ଲଗାଇ ନୃତ୍ୟ କରୁଥିବା ବ୍ୟକ୍ତି କିଛି କୁଟାକୁ ଏକତ୍ରିତ କରି ସେଥିରେ ଅଗ୍ନି ସଂଯୋଜନା କରନ୍ତି ଏବଂ ତା ଚତୁର୍ପାଶ୍ୱେ ବାଦ୍ୟର ତାଳେ ତାଳେ ନୃତ୍ୟ କରନ୍ତି।

sahijaat2

ଏକ ପ୍ରକୃତ ପୁରୁଷ କଦାପି ଏକ ନାରୀର ଇଚ୍ଛା ବିନା ତାକୁ ହରଣ କରେ ନାହିଁ। ଏକ ପ୍ରକୃତ ପୁରୁଷ ହିଁ ନାରୀ ଭିତରେ ମା’ ଭଗବତୀଙ୍କୁ ଦର୍ଶନ କରିଥାଏ। ମାତ୍ର ଏଠାରେ ରାବଣ ନିଜ ପୁରୁଷାର୍ଥକୁ ନିଜ କୁବୁଦ୍ଧି ଓ ଗର୍ବର ପ୍ରହେଳିକା ମଧ୍ୟରେ ନଷ୍ଟ କରିଦେଲା। ମହାପ୍ରଭୁ ଜଗନ୍ନାଥ ସଂସାରର ମଙ୍ଗଳ ପାଇଁ ଆଜ୍ଞା ମାଳ ପ୍ରଦାନ କରି ଲଙ୍କା ସଦୃଶ ସମସ୍ତ ଅହଂକୁ, ଦୁଷ୍କର୍ମକୁ ଜାଳି ପୋଡ଼ି ପାଉଁଶ କରି ଦିଅନ୍ତି। ଏହା ମହାବାହୁଙ୍କ ମହାଲୀଳା।

ତା’ପରର ନୀତି ବୈଶାଖ କୃଷ୍ଣ ପ୍ରତିପଦା ଯେଉଁଦିନ କି ସେତୁବନ୍ଧା ଲୀଳା ସମ୍ପାଦନ କରାଯାଏ। ଏହିଦିନ ମଧ୍ୟ ଶ୍ରୀରାମ ଓ଼ ଶ୍ରୀଲକ୍ଷ୍ମଣ ଆଜ୍ଞାମାଳ ପାଇଁ ଜଗନ୍ନାଥ ବଲ୍ଲଭକୁ ବିଜେ ହୁଅନ୍ତି ଏବଂ ଆଉ ଏକ ମାଳ ମଠ ପରିସରରେ ଥିବା ଶ୍ରୀହନୁମାନ ବିଗ୍ରହଙ୍କୁ ପ୍ରଦାନ କରାଯାଏ। ବାଲିସାହିରୁ ଜଣେ ବ୍ୟକ୍ତି ରାବଣ ରୂପରେ ନିଜକୁ ସଜାଇ ଶ୍ରୀଜମେଶ୍ୱରଙ୍କ ନିକଟକୁ ଯାଇ ସେଠାରେ ନିକୁମ୍ଭୀଲା ବୃକ୍ଷ କଳ୍ପନାରେ ଯଜ୍ଞ କରନ୍ତି। ମା’ ଭଗବତୀଙ୍କ ରୂପ ମା’ ନିକୁମ୍ଭୀଲା ହେଲେ ଲଙ୍କାର ଅଧିଶ୍ଵରୀ ଯାହାଙ୍କୁ ରାବଣ ନର ମାଂସ ଓ ସୁରା ଅର୍ପଣ କରେ ବୋଲି ଉଲ୍ଲେଖ ଅଛି। ଭଗବତୀଙ୍କ ଇଚ୍ଛା ଦ୍ୱାରା ବା ମା’ର ଆଶୀର୍ବାଦ କାମନା କରି ରାବଣ ରୂପୀ ବ୍ୟକ୍ତି ଜଗନ୍ନାଥ ବଲ୍ଲଭ ନିମନ୍ତେ ପ୍ରସ୍ଥାନ କରନ୍ତି। ସେଠାରେ ରାମଦେବ ଓ ଲକ୍ଷ୍ମଣଙ୍କୁ ପ୍ରଣାମ ପୂର୍ବକ ସେତୁବନ୍ଧ ନୀତି ସମ୍ପାଦନ କରାଯାଏ। ଦୁଇପଟେ ଆମ୍ବ ଡାଳ ମାନ ରଖାଯାଇ ମଧ୍ୟ ଭାଗରେ ଇଟା ଦ୍ୱାରା ସେତୁ ନିର୍ମାଣ କରାଯାଏ ଓ ରାବଣ ବେଶ ଧାରୀ ସେ ସେତୁ ଉପରେ ନୃତ୍ୟ ପ୍ରଦର୍ଶନ କରିଥାନ୍ତି।
ଏହା ପରର ରାବଣ ବଦ୍ଧ ନୀତିରେ ଅର୍ଥାତ୍‌ ରାବଣର ମୁକ୍ତିର ଦିନରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ମାଳ ପ୍ରଦାନ କରାଯାଇ ରତ୍ନସିଂହାସନ ଛୁଆଁ ମାଳ ପ୍ରଦାନ କରାଯାଏ। ସମଗ୍ର ଭାରତ ବର୍ଷରେ ଦଶହରା ସମୟରେ ରାବଣ ପୋଡ଼ିି ଉତ୍ସବ କରାଯାଉଥିବା ବେଳେ ଶ୍ରୀମନ୍ଦିରରେ ଏଥିରେ ବ୍ୟତିକ୍ରମ ପରିଲକ୍ଷିତ ହୁଏ। ଏଠାରେ ଶ୍ରୀରାମ ଏବଂ ରାବଣଙ୍କୁ ସମାନ ମର୍ଯ୍ୟାଦା ଦିଆଯାଏ। କିନ୍ତୁ ଏହି କ୍ଷେତ୍ରରେ ମହାପ୍ରଭୁ ମନୁଷ୍ୟରୂପୀ ରାବଣକୁ ନିଜ ଅଙ୍ଗଲାଗି ଆଜ୍ଞାମାଳ ନ ଦେଇ ବ୍ରହ୍ମାଙ୍କୁ ଧାରଣ କରିଥିବା ରତ୍ନସିଂହାସନ ଛୁଆଁ ମାଳ ଦେବା ଅତ୍ୟନ୍ତ ତାତ୍ପର୍ଯ୍ୟ ପୂର୍ଣ୍ଣ।

ପ୍ରଭୁଙ୍କ ସେବାରେ ପୌଷ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ଅଭିଷେକ ସମୟରେ ଭିତରଚ୍ଛ ମହାପାତ୍ର ଶ୍ରୀଲକ୍ଷ୍ମଣ ଭାବେ ଓ ମେକପ ସେବକ ହନୁମାନ ରୂପେ ରତ୍ନସିଂହାସନ ରହି ସେବା କରିଥାନ୍ତି।
ଥରେ ଭାବିଲେ ଦେଖି ପ୍ରଭୁଙ୍କର କରୁଣା ଓ ସ୍ୱୀକୃତି ନ ହେଲେ କେହି ସାଧାରଣ ମନୁଷ୍ୟ କ’ଣ ପ୍ରଭୁଙ୍କ ଲୀଳାରେ ନିଜକୁ ଅନ୍ତର୍ଭୁକ୍ତ କରାଇପାରିବ!

ଧନ୍ୟ ପ୍ରଭୁ ଧନ୍ୟ ତୁମର ସେବକ ଅନୁଗ୍ରହ ଲୀଳା।

ପଲ୍ଲବୀ ପ୍ରିୟଦର୍ଶିନୀ ଖୁଣ୍ଟିଆ
ମଣିକର୍ଣ୍ଣିକା ସାହି, ପୁରୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.