ଏଡ୍‌ସ : ପ୍ରକୋପ କମିଛି, ଲୋକେ ସତର୍କ ହୋଇଛନ୍ତି ହେଲେ ଆହୁରି ସଚେତନତା ଲୋଡ଼ା

ଭଞ୍ଜନଗର (ରତ୍ନାକର ସାହୁ, କେନ୍ୟୁଜ୍‌) : ମଣିଷର ଜୀବନ ଶୈଳୀ ଭିତରକୁ, ଅନେକ ଭୂତାଣୁ ଆସିଛି ଏବଂ ଯାଇଛି। ଏମିତି ବି କିଛି ଭୂତାଣୁ ଆସିଛି ଯିଏ ଯିବାର ନାଁ ଆଉ ଧରିନି। ଭୂତାଣୁ ସଂକ୍ରମଣକୁ ବହୁ ମାତ୍ରାରେ ରୋକାଯାଇଛି ସତ କିନ୍ତୁ ଦେହ ଭିତରେ ବସା-ବାନ୍ଧିଥିବା ଭୂତାଣୁ ସଂକ୍ରମିତ ମଣିଷକୁ ପ୍ରତି ମୁହୂର୍ତ୍ତରେ ଅନୁତାପ କରିବାକୁ ବାଧ୍ୟ କରୁଛି। ଏଇ ଯେମିତି ମାରାତ୍ମକ ଏଡସ୍‌। ଡିସେମ୍ବର ୧ ହେଉଛି ବିଶ୍ଵ ଏଡ଼ସ୍‌ ଦିବସା ଏହି ଦିବସରେ ଗଞ୍ଜାମ ଜିଲ୍ଲାର ଏମିତି କିଛି ତଥ୍ୟକୁ ନେଇ ଆମର ଅନୁସନ୍ଧାନମୂଳକ ରିପୋର୍ଟ ।

ପ୍ରାୟ ତିନି ଦଶନ୍ଧି ପୂର୍ବରୁ ଅତି ଗୋପନରେ ମଣିଷ ଦେହକୁ ଆସିଥିଲା ଏହି ଭୂତାଣୁ। ନିରବରେ କାୟା ବିସ୍ତାର କଲା। ଦହଗଞ୍ଜ କଲା ଗୋଟିଏ ପରେ ଗୋଟିଏ ଦେହକୁ। କିଏ ଖିଆଲ ମନରେ ତ ଆଉ କିଏ ଅଜାଣତରେ। କିଏ ଅନ୍ୟର କଲା କର୍ମର ଫଳକୁ ମୁଣ୍ତପାତି ସହି ନେଲା ତ’ ଆଉ କିଏ ଗଣ୍ଡେ ଦାନା ପାଇଁ ନିଜ ଦେହକୁ ଆମଦାନୀ କଲା ଭୂତାଣୁ। ଆମେ କହୁଛୁ ଗଞ୍ଜାମ ଜିଲ୍ଲାରେ ଚିନ୍ତାର କାରଣ ପାଲଟିଥିବା ଏଡସ୍‌ ସଂକ୍ରମଣ କଥା। ନବେ ଦଶକ ପରେ ପରେ ଜିଲ୍ଲାରେ ସମ୍ବେଦନଶୀଳ ପରିସ୍ଥିତି ସୃଷ୍ଟି କଲା ଏହି ଭୂତାଣୁ ଓ ଏହା ଜନିତ ସଂକ୍ରମଣ।
କୁହାଯାଏ ଗଂଜାମରେ ଏଡ଼ସ୍‌ ସଂକ୍ରମଣ ପଛରେ ରହିଥିବା ଅନେକ କାରଣ ମଧ୍ୟରୁ ଦାଦନ ଶ୍ରମିକ ଏକ ପ୍ରମୁଖ କାରଣ। ତଥ୍ୟ ଅନୁଯାୟୀ ସଂକ୍ରମିତ ଦାଦନ ଶ୍ରମିକ ଏବଂ ପରବର୍ତ୍ତୀ ସମୟରେ ତାଙ୍କ ପରିବାରର ସ୍ତ୍ରୀ ଓ ପିଲାଛୁଆଙ୍କ ଦେହକୁ ଡିଆଁ ମାରିଲା ଏହି ଭୂତାଣୁ। ଭୟାବହତାର କାରଣ ବୁଝିବା ପୂର୍ବରୁ , ନେଡ଼ି ଗୁଡ, କହୁଣୀକୁ ବହି ଯାଇଥିଲା। ବେଶ୍‌ କିଛି ଆକ୍ରାନ୍ତଙ୍କ ଜୀବନ ଗଲା। ବେସାହାରା ହେଲେ ମୃତକଙ୍କ ପରିବାର। ଜିଲ୍ଲାର ଲୋକଙ୍କ ଭିତରେ ରହିଥିବା ସୁସ୍ଥ ମାନସିକତା ସନ୍ଦେହର ସୂତାଖିଅରେ ଗୁଡ଼େଇ ହେବା ଆରମ୍ଭ ହେଲା। ପ୍ରଶାସନ ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ସଚେତନ କରାଗଲା। ଫଳରେ ଆଗକୁ ବଢିଲା ନାହିଁ ସଂକ୍ରମଣ। ଯାହା ସଂକ୍ରମିତ ହୋଇ ସାରିଥିଲା, ରକ୍ତ ପରୀକ୍ଷା ପରେ ଧୀରେ ଧୀରେ ଆକ୍ରାନ୍ତଙ୍କ ତାଲିକା ଲମ୍ବିଲା। ସଂକ୍ରମଣର ଭୟାବହତା, ଜୀବନକୁ କେମିତି ଭାବେ କଲବଲ କରିଛି, ତାର ଘଟଣାକ୍ରମକୁ ଆମ ଆଗରେ କହିଥିଲେ କିଛି ସଂକ୍ରମିତ ଏବଂ ତାଙ୍କ ସମ୍ପର୍କୀୟ ।

ଏଡ଼ସ୍‌ ଭୂତାଣୁର ଜାଲରେ ବିଭିନ୍ନ ବର୍ଗର ପୁରୁଷ, ମହିଳା ଏବଂ ତାଙ୍କର ସନ୍ତାନମାନେ ସଂକ୍ରମିତ ଥିବାର ତଥ୍ୟ କହୁଛି। ଖାଲି ସେତିକି ନୁହେଁ, କିଛି କିନ୍ନର ମଧ୍ୟ ଏଥିରେ ଆକ୍ରାନ୍ତ ହେବା ଘଟଣା ପଦାକୁ ଆସିଲା । ଏମିତି ଜଣେ ଆକ୍ରାନ୍ତ କିନ୍ନର ନିଜର ଅସ୍ୱାଭାବିକ ଜୀବନଶୈଳୀର ଘଟଣାକୁ ଆମ ଆଗରେ କହିଥିଲେ।..

AIDS-2

ଏଡ଼ସ୍‌ ସଂକ୍ରମଣକୁ ରୋକିବା, ଆକ୍ରାନ୍ତ ରୋଗୀମାନଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ଏବଂ ସରକାରଙ୍କ ପକ୍ଷରୁ ମାଗଣା ଔଷଧ ଯୋଗାଇଦେବା ପାଇଁ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଏବଂ ଭଞ୍ଜନଗର ଠାରେ ରହିଛି ଏଆରଟି ସେଣ୍ଟର। ସେହି ଅନୁସାରେ ଭଂଜନଗର ଏଆରଟି ସେଣ୍ଟରରେ ଏବର୍ଷ ସେପ୍ଟେମ୍ବର ସୁଦ୍ଧା ଚିହ୍ନଟ ହୋଇଛନ୍ତି ୧୬୧୯ ଜଣ ଆକ୍ରାନ୍ତ। ବେଲଗୁଣ୍ଠା ବ୍ଳକରେ ସର୍ବାଧିକ ୩୯୭ ଜଣ ଚିହ୍ନଟ ହୋଇଛନ୍ତି। ସାନଖେମୁଣ୍ଡି ବ୍ଳକରୁ ସର୍ବନିମ୍ନ ଜଣେ ଆକ୍ରାନ୍ତ ପଞ୍ଜୀକୃତ ହୋଇଛନ୍ତି। ଏହା ସହ ଆସିକା ବ୍ଳକରେ ୯୭, ଭଞ୍ଜନଗର – ୩୧୭, ବୁଗୁଡ଼ା -୧୨୭, ଛତ୍ରପୁର -୩, ଧରାକୋଟ – ୩୯, ହିଞ୍ଜିଳି -୨, ଜଗନ୍ନାଥପ୍ରସାଦ -୧୮୮, ଖଲିକୋଟ -୧, କବିସୂର୍ଯ୍ୟନଗର – ୪, ପୋଲସରା – ୧୫, ପୁରୁଷୋତ୍ତମପୁର -୩, ଶେରଗଡ଼ – ୧୯, ସୋରଡା – ୧୭୭ ଏବଂ ରଙ୍ଗେଇଲୁଣ୍ଡା ବ୍ଳକରେ ୩ ଜଣ ଆକ୍ରାନ୍ତଙ୍କ ପଞ୍ଜୀକୃତ ହୋଇଛି। ଏହା ବ୍ୟତୀତ ଭଞ୍ଜନଗର ଏଆରଟି ସେଣ୍ଟରରେ କନ୍ଧମାଳ ଜିଲ୍ଲାର ୧୯୩ ଜଣ, କଟକରୁ ୩ , ନୟାଗଡ଼ରୁ ୬ ଜଣ ଏବଂ ଝାରସୁଗୁଡ଼ା, ଖୋର୍ଦ୍ଧା, ଗଜପତି ଓ କଳାହାଣ୍ଡି ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ପଞ୍ଜୀକୃତ ହୋଇଛନ୍ତି। ଭଞ୍ଜନଗର ଏଆରଟି ସେଣ୍ଟରର ତଥ୍ୟ କହୁଛି ଯେ ଆକ୍ରାନ୍ତଙ୍କ ମଧ୍ୟରେ ପୁରୁଷ – ୭୮୭, ମହିଳା – ୭୪୦, ଶିଶୁ – ୯୨, ଗର୍ଭବତୀ – ୧୪୯, କିନ୍ନର – ୨୪, ମହିଳା ଯୈାନକର୍ମୀ – ୩୨ ଏବଂ ଜେଲ୍‌ରେ ବନ୍ଦୀ ଥିବା ୧୨ ଜଣ ଏଡ଼ସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସମସ୍ତ ସଂକ୍ରମିତଙ୍କ ଭିତରେ ୫୫୯ ଜଣ ଦାଦନ ଶ୍ରମିକ ରହିଛନ୍ତି। ଏହି ମାରାତ୍ମକ ଭୂତାଣୁ ୨୨୭ ଜଣଙ୍କ ଜୀବନ ନେଇଛି।

ଏହାର ଭୟାବହତାକୁ ଲୋକେ ବୁଝି ସାରିଲେଣି। ସତର୍କ ମଧ୍ୟ ରହିବା ଆରମ୍ଭ କରିଛନ୍ତି। ବ୍ୟାପକ ସଚେତନ ଓ ସଭାସମିତି ଆୟୋଜନର ପ୍ରଭାବ ମଧ୍ୟ ପ୍ରତିଫଳିତ ହୋଇଛି। ଏବେ ଲୋକେ ରୋଗକୁ ଘୃଣା କରୁଛନ୍ତି, କିନ୍ତୁ ରୋଗୀଙ୍କୁ ନୁହେଁ। ଏହା ବି ଏକ ସକାରାତ୍ମକ ପ୍ରଭାବ ସୃଷ୍ଟି କରିଛି। ତେଣୁ କିଛି ଏଡ଼ସ ଆକ୍ରାନ୍ତ ନିଜେ ସମସ୍ତଙ୍କ ଆଗକୁ ଆସି ଲୋକଙ୍କୁ ସଚେତନ କରୁଛନ୍ତି। ଅତୀତରେ ଘର, ପରିବାର ଓ ସମାଜର ଲୋକଲଜ୍ଜା ଭୟରେ ମୁହଁ ଘୋଡାଇ ହୋଇ ରହୁଥିବା ଆକ୍ରାନ୍ତ ମଣିଷମାନେ ମୁହଁ ଉପରୁ ପରଦା ହଟାଇବା ଆରମ୍ଭ କଲେଣି। ଯାହା ଏକ ଶୁଭ ସୂଚନା । ହେଲେ ସମ୍ପୂର୍ଣ୍ଣ ସୁସ୍ଥ ହେଉନଥିବା ଏହି ରୋଗ ଠାରୁ ନିଜେ ଚାହିଁଲେ ହିଁ ମଣିଷ ଦୂରରେ ରହି ପାରିବ । ଆଉ ସତର୍କ ରହିବା ସବୁଠାରୁ ଜରୁରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.