କୁନି କାନ୍ଧରେ ପାଣି ଭାର: ୫କି.ମି ବାଟ ଚାଲି ବାବା ଲୋକନାଥଙ୍କ ଉପରେ ଜଳଲାଗି କଲେ ଶୁଭସ୍ମିତା

ପୁରୀ: କୁନି କାନ୍ଧରେ ପାଣି ଭାର । ଖାଲି ପାଦରେ ଆଗେଇ ଚାଲିଛି କୁନି ଝିଅଟି । ପିଚୁ ରାସ୍ତାର ତାତିକୁ ଖାତିର୍ ନକରି ଭକ୍ତି ଭାବରେ ଛୁଟିଛି ମହାଦେବଙ୍କ ପାଖକୁ । ସତରେ ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି । ସେ ନିରାକାର ସେ ନିରାମୟ । ତାଙ୍କ ବିଷୟରେ ଜାଣିବା ଏତେଟା ସହଜ ନୁହେଁ । ସେ କେତେବେଳେ କେଉଁ ରୁପରେ କେଉଁ ରଙ୍ଗରେ ଆର୍ବିଭାବ ହୁଅନ୍ତି ତାହା ତାଙ୍କୁ ହିଁ ଜଣା । ସେଥିପାଇଁ ତ ସେ ଦେବଙ୍କର ଦେବ ମହାଦେବ । ଭକ୍ତି ଚିତ୍ତରେ ଶଙ୍କରଙ୍କ ପୂଜାର୍ଚ୍ଚନା କେଲ ମନବାଞ୍ଛା ପୂରଣ ହୁଏ । ତେବେ ଇଶ୍ୱର ବିଶ୍ୱାସୀ ଏଇ ମଣିଷ । ବିଶ୍ୱାସ ଥାଏ ଯେ ପ୍ରଭୁଙ୍କୁ ମନ ଦେଇ ପୂଜା କରି ନିଜ କଷ୍ଟ ବଖାଣିଲେ ପ୍ରଭୁ ସବୁ ସମସ୍ୟାକୁ ଦୂର କରି ସମସ୍ତ ମନୋକାମନା ପୂର୍ଣ୍ଣ କରିଥାନ୍ତି । ଯେଉଁ ବିଶ୍ୱାସକୁ ଅନୁଭବ କରିଛନ୍ତି କୁନି ଝିଅଟି । ସେଥିପାଇଁ ତ କୁନି କାନ୍ଧରେ ମହାଦେବଙ୍କୁ ଜଳାଭିଷେକ କରିବାକୁ ବାହାରିପଡିଥିଲେ ।

ଶ୍ରାବଣ ମାସର ତୃତୀୟ ସୋମବାର । ଏଇ ଅବସରରେ କୁନି କୁନି ପାଦରେ ୫ କିଲୋମିଟର ଚାଲି ପାଣି ଢାଳିଛନ୍ତି କୁନି କାଉଡିଆ । ପୁରୀ ବଳିଆପଣ୍ଡାର କୁନି ଝିଅ ଶୁଭସ୍ମିତା ଦାସ । ପାଖ ଏକ ସ୍କୁଲ୍ ର ୟୁକେଜିର ଛାତ୍ରୀ । ବୟସ ୪ବର୍ଷ ହେବ । ଶୁଭସ୍ମିତାଙ୍କୁ ମିଶାଇ ଦୁଇ ଉଭଣୀ, ଗୋଟେ ଭାଇ । ସବୁଠୁ ସାନ ଶୁଭସ୍ମିତା । ସାନ ସିନା ହେଲେ ଭଗବାନଙ୍କ ପ୍ରତି ଭଲପାଇବା, ଭକ୍ତି କିନ୍ତୁ ତାଙ୍କର ଢେର ଅଧିକ । ପିଲାଟି ବେଳୁ ସେ ଟିଭି ଏବଂ ମୋବାଇଲରେ ଶ୍ରାବଣ ମାସରେ କାଉଡିଆମାନଙ୍କୁ ପାଣି ଭାର ନେଇକି ଯାଉଥିବାର ଦେଖିଥାନ୍ତି ଏବଂ ବାପା ମାଆଙ୍କୁ ଏନେଇ ପଚାରିଥାନ୍ତି । ଆଉ ନିଜେ ଏଭଳି ପାଣି ଭାର ନେଇ ଯିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି ।

କୁନି ପିଲାଟିର ବା କେତେ ବୁଦ୍ଧି । ଭଗବାନଙ୍କ ମହିମା ବିଷୟରେ ସେ ବା କଣ ଜାଣିଥିବ । ତଥାପି କାଉଡିଆଙ୍କୁ ଦେଖି ସେ ବି ମହାଦେବଙ୍କ ଉପରେ ପାଣି ଢାଳିବା ପାଇଁ ମନ କରିଥିଲେ । ତେବେ ଗତ ୫ମାସ ତଳେ ଏକ ବାଇକ୍ ଦୁର୍ଘଟଣାରେ ଶୁଭସ୍ମିତାଙ୍କ ହାତ ଭାଙ୍ଗି ଯାଇଥିଲା । ଖୁବ୍ ଅସୁସ୍ଥ ହୋଇପଡିଥିଲେ । ସେହି ସମୟରେ ମାଆ ନିକିତା ଦାସ ତାଙ୍କୁ ପ୍ରତିଶୃତି ଦେଇଥିଲେ । ହାତ ଭଲ ହେଇଗଲେ ଏଥର ପାଣି ଭାର ନେଇ ଶୁଭସ୍ମିତା ଯିବେ ବୋଲି । ମହାଦେବଙ୍କ ଆର୍ଶୀବାଦରୁ କୁନି ଝିଅର ହାତ ଭଲ ହୋଇଯିବାରୁ ଆଜି ପାଣି ଭାର ଉଠାଇ ସେ ଭକ୍ତଭାବର ସହ ମହାଦେବଙ୍କ ଉପରେ ଜଳାଭିଷେକ କରିଥିବା ଦେଖିବାକୁ ମିଳିଛି ।

ଯାହା ସୂଚନା ମିଳିଛି କି, କୁନି ଝିଅ ଶୁଭସ୍ମିତା ଶ୍ଵେତଗଙ୍ଗ ଠାରେ ରୀତି ନୀତି ମୁତାବକ ପୂଜାପାଠ କରିବା ପରେ, ବୁଡ ପକାଇ ପାଣି ଭାର ଉଠାଇଥିଲେ । ଏହାପରେ ଦୀର୍ଘ ୫ କିମି ବାଟ ଚାଲି ଚାଲି ପହଁଚି ଥିଲେ ବାବା ଲୋକନାଥ ପାଖରେ । ଧାଡିରେ ଠିଆ ହୋଇ ମହାଦେବଙ୍କ ଉପରେ ଜଳାଭିଷେକ କରିଥିଲେ ଶୁଭସ୍ମିତା । ତାଙ୍କ ସାଙ୍ଗରେ ବାପା ଶୁସାନ୍ତ କୁମାର, ମାଆ ନିକିତା ଏବଂ ବଡ ଭାଇ ଆସିଥିବା ଦେଖିବାକୁ ମିଳିଥିଲା । ତେବେ ମହାଦେବଙ୍କର ଇଏ କୁନି ଭକ୍ତ, ମନରେ ଅପାର ଶ୍ରଦ୍ଧା । ଭକ୍ତି ଭାବରେ ହର ହର ମହାଦେବଙ୍କ ନା ଜପି ଜପି, ଖାଲି ପାଦରେ ଚାଲି ଚାଲି ଶେଷରେ ଜଳାଭିଷେକ କରି ମହାଦେବଙ୍କ କୃପା ଭିକ୍ଷା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.