ଶୁକଦେବଙ୍କ ଜୀବନ ଗଲା କେମିତି ? ପରିବାର ଲୋକେ ଆଣିଲେ ଅଭିଯୋଗ

ଆନନ୍ଦପୁର: ସବୁଦିନ ସକାଳ ହେବା ଆଗରୁ ଜଳପ୍ରକଳ୍ପ କୋଠରୀ ଏବଂ ବାହାରେ ଜଳୁଥିବା ଲାଇଟ୍ ବନ୍ଦ ହୋଇଥାଏ । କିନ୍ତୁ ଆଜି ସକାଳୁ ସେମିତି କିଛି ଦେଖିବାକୁ ମିଳି ନଥିଲା । ଦେଖିବାକୁ ମିଳିଥିଲା ଟେବୁଲ ଉପରେ ଥୁଆ ହୋଇଥିବା i card ଏବଂ ଟୋପି । ତା’ ପରେ ଖୋଜାପଡ଼ିଥିଲା ଶୁକଦେବଙ୍କୁ । ବହୁ ଖୋଜା ଖୋଜି ପରେ ଶୁକଦେବଙ୍କୁ ପାଇଥିଲେ । ସେ ପୁଣି ମୃତ ଅବସ୍ଥାରେ । ଶୁକଦେବ ହେଉଛନ୍ତି ମେଗା ପାନୀୟ ଜଳ ପ୍ରକଳ୍ପର ସୁରକ୍ଷା କର୍ମୀ ।
ତାଙ୍କ ମୃତଦେହ ଏପରି ଅବସ୍ଥାରେ ଉଦ୍ଧାର ପରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । ଏଇ ଦେଖୁନାହାଁନ୍ତି କିଏ କାନ୍ଦି କାନ୍ଦି ଚେତା ହରାଉଛି ତ ଆଉ କିଏ କାନ୍ଦି କାନ୍ଦି ତଳେ ଗଡ଼ିଯାଉଛି । ପୁରା କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପରିବେଶ କାହାରି ଆଖିରୁ ଶୁଖୁନି ଲୁହ । କେହି ଧୈର୍ଯ୍ୟ ଧରି ରହିପାରୁ ନାହାଁନ୍ତି । ଆଉ ବିଶ୍ବାସ କରିପାରୁ ନାହାଁନ୍ତି ଯେ ରାତିରେ ଭଲ ଲୋକଟା ଡ୍ୟୁଟି କରିବାକୁ ଯାଇଥିବା ବେଳେ ତାଙ୍କ ସହ କଣ ଘଟିଗଲା ।
ଆନନ୍ଦପୁର ପୌରପରିଷଦ ୨ ନମ୍ବର ୱାର୍ଡ ପଦ୍ମପୁର ଗାଁର ଶୁକଦେବ ସାହୁ । ସ୍ଥାନୀୟ ମେଗା ପାନୀୟ ଜଳପ୍ରକଳ୍ପ ରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟରତ ଥିଲେ । ତେବେ ଗତକାଲି ସନ୍ଧ୍ୟାରୁ ସେ ଘରୁ ସାଇକେଲ ଯୋଗେ ଆନନ୍ଦପୁର ବ୍ୟାରେଜ ନିକଟରେ ଥିବା ମେଗା ପାନୀୟଜଳ ପ୍ରକଳ୍ପ କୁ ଡ୍ୟୁଟି କରିବା ପାଇଁ ଆସି ଆଉ ଘରକୁ ଫେରି ନଥିଲେ । ତେବେ ସକାଳୁ ସହକର୍ମୀ ତାଙ୍କ ମୃତ ଦେହକୁ ପଛ ଗେଟ ତଥା ବୈତରଣୀ ନଦୀ କୂଳରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ଘଟଣା ପ୍ରଘଟ ହେଵା ପରେ ପରିବାର ଓ ଗାଁ ଲୋକେ ଘଟଣା ସ୍ଥଳକୁ ଆସି ପାରିପାର୍ଶ୍ଵିକ ସ୍ଥିତିକୁ ଦେଖିବା ପରେ ଏହା ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ।
ଅଭିଯୋଗ ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପରିବାର ଲୋକେ ଶୋକାକୁଳ ଅବସ୍ଥାରେ ଥିବା ବେଳେ ନ୍ୟାୟ ଦାବିରେ ଗ୍ରାମବାସୀ ମାନେ ରାଜ୍ୟ ରାଜପଥ ୫୩ କୁ ଅବରୋଧ କରି ରାସ୍ତା ରୋକ କରିଛନ୍ତି । ଏତେ ବଡ଼ ପ୍ରକଳ୍ପ ରେ ସିସି କ୍ୟାମେରା ନଥିବାରୁ ଘଟଣାର ସତ୍ୟାସତ୍ୟ କିଛି ଜଣା ପଡ଼ିନାହିଁ । ତେବେ ତୁରନ୍ତ ଏହାର ସଠିକ ତଦନ୍ତ କରି ଘଟଣାର ସତ୍ୟାସତ୍ୟ ଉନ୍ମୋଚନ କରିବାକୁ ଦାବି ରଖିଛନ୍ତି ସ୍ଥାନୀୟ ଲୋକେ ।