ଇଭିଏମରେ କେମିତି ହୁଏ ମତଗଣନା, ଶେଷ ରାଉଣ୍ଡ ମତଗଣନା କେମିତି ଜାରୀ ହୁଏ
ଚାଲିଛି ଗଣନା । ଆଜି ହେବ ନେତାଙ୍କ ଭାଗ୍ୟ ପରୀକ୍ଷା । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା ପରେ ଘୋଷଣା ହେବ ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ । କିଏ ଗଢିବ ସରକାର ତାହାକୁ ନେଇ ସବୁ ସ୍ପଷ୍ଟ ହେବ ଆଜି । ନିର୍ବାଚନ ଫଳାଫଳକୁ ନେଇ ବିଭିନ୍ନ ରାଜନୈତିକ ଦଳ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳିଛି । କିନ୍ତୁ ଆପଣ କେବେ ଭାବିଛନ୍ତି ଭୋଟ ଗଣତି କିପରି ହୋଇଥାଏ ? ଗଣନା ଦିନ ଷ୍ଟ୍ରଙ୍ଗରୁମ୍ ଚାବି କିଏ ଖୋଲିଥାଆନ୍ତି ? କିଏ କିଏ ଭୋଟ ଗଣତି କେନ୍ଦ୍ର ଭିତରକୁ ଯାଇପାରିବେ ଏବଂ ଭୋଟ ଗଣତି ପରେ ଇଭିଏମ୍ କଣ ହୁଏ ? ଇଭିଏମରେ କେମିତି ହୁଏ ମତଗଣନା, ଏଥିରେ ଭୋଟ ଗଣିବାକୁ କେତେ ସମୟ ଲାଗିଥାଏ, କିଏ କରିଥାଏ ମତଗଣନା ଏବଂ ଏହାବ୍ୟତୀତ ଶେଷ ରାଉଣ୍ଡ ମତଗଣନା କେମିତି ଜାରୀ ହୁଏ? କଣ ଏସବୁ ପ୍ରଶ୍ନର ଉତ୍ତର ଆପଣ ଜାଣିଛନ୍ତି ।ଆଜି ମତଗଣନା କାର୍ଯ୍ୟକ୍ରମ ଭିତରେ ଜାଣିବା ଇଭିଏମରେ ଭୋଟ ଗଣିବାରେ କେତେ ସମୟ ଲାଗିଥାଏ ଏବଂ ଏଜେଣ୍ଟ ମାନଙ୍କୁ କିଏ ଚୟନ କରିଥାନ୍ତି ଏମିତି ଅନେକ କିଛି ।
ପ୍ରଥମେ ଜାଣିବା କିଏ ଖୋଲିଥାଏ ଷ୍ଟ୍ରଙ୍ଗରୁମ୍ ଚାବି ?
ଭୋଟ ଗଣତି ଦିନ ସକାଳ ପ୍ରାୟ ୭ଟା ପାଖାପାଖି ପ୍ରତ୍ୟେକ ଦଳର ପ୍ରାର୍ଥୀ କିମ୍ବା ସେମାନଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ଷ୍ଟ୍ରଙ୍ଗରୁମ୍ ଚାବି ଖୋଲାଯାଏ । ଏହି ସମୟରେ ନିର୍ବାଚନ ଆୟୋଗଙ୍କ ରିଟର୍ଣ୍ଣିଂ ଅଫିସର ତଥା ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଉପସ୍ଥିତ ରହିଥାନ୍ତି । ସିସିଟିଭି ନଜରରେ ମଧ୍ୟ ପୁରା ଷ୍ଟ୍ରଙ୍ଗରୁମ୍ ରହିଥାଏ ଏବଂ ଏହି ସମସ୍ତ ପ୍ରକ୍ରିୟାର ଭିଡ଼ିଓଗ୍ରାଫି କରାଯାଇଥାଏ । । ଇଭିଏମକୁ ଟେବୁଲ ଉପରେ ରଖିବା ପରେ କଣ୍ଟ୍ରୋଲ ୟୁନିଟ୍ ସହିତ ୟୁନିଟ୍ ଆଇଡିର ସିଲ୍ ମିଶାଯାଇଥାଏ ଯାହା ପ୍ରତ୍ୟେକ ପ୍ରାର୍ଥୀଙ୍କ ପୋଲିଂ ଏଜେଣ୍ଟଙ୍କୁ ମଧ୍ୟ ଦେଖାଯାଇଥାଏ । ଏହାବାଦ କଣ୍ଟ୍ରୋଲ ୟୁନିଟ୍ ବଟନ୍ ଦବାଇବା ପରେ ପ୍ରତ୍ୟେକ ପ୍ରାର୍ଥୀଙ୍କ ଭୋଟ୍ ଇଭିଏମରେ ତାଙ୍କ ନାମ ପାଖରେ ଦେଖାଯିବା ପରେ ଗଣତି ଆରମ୍ଭ ହୋଇଥାଏ ।
ଯେକୌଣସି ଗଣନା କେନ୍ଦ୍ରର ଗୋଟିଏ ହଲରେ ସମୁଦାୟ ୧୫ଟି ଟେବୁଲର ବ୍ୟବସ୍ଥା କରାଯାଏ । ଗଣନା ପାଇଁ ୧୪ଟି ଏବଂ ରିଟର୍ଣ୍ଣିଂ ଅଫିସରଙ୍କ ପାଇଁ ଗୋଟିଏ ଟେବୁଲ ରହିଥାଏ । କେଉଁ କର୍ମଚାରୀ କେଉଁ ଟେବୁଲରେ ଗଣତି କରିବେ ତାହା ଗୁପ୍ତ ରଖାଯାଏ । ଗଣନା ଦିନ ସକାଳ ୫ଟାରୁ ୬ଟା ମଧ୍ୟରେ ପ୍ରତ୍ୟେକ ଜିଲାର ନିର୍ବାଚନ ଅଧିକାରୀମାନେ କର୍ମଚାରୀମାନଙ୍କୁ ହଲ ଏବଂ ଟେବୁଲ ବଣ୍ଟନ କରିଥାନ୍ତି ।
କେତେବେଳେ ଆରମ୍ଭ ହୋଇଥାଏ ଭୋଟ ଗଣତି ?
ସାଧାରଣତଃ ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଥାଏ । କୌଣସି ପରିସ୍ଥିତିରେ ସମୟରେ ପରିବର୍ତ୍ତନ କରିବାର କ୍ଷମତା କେବଳ ରିଟର୍ଣ୍ଣିଂ ଅଫିସର ପାଖରେ ରହିଛି । ସର୍ବପ୍ରଥମେ ପୋଷ୍ଟାଲ ବାଲାଟ୍ ଏବଂ ଇଲେକ୍ଟ୍ରୋନିକ୍ ପୋଷ୍ଟାଲ ବାଲାଟ୍ ଗଣତି ହୋଇଥାଏ । ଏଥିରେ ପ୍ରାୟ ୩୦ମିନିଟ୍ ସମୟ ଲାଗିଥାଏ । ପୋଷ୍ଟାଲ୍ ବାଲାଟ୍ ଗଣତି ପରେ ଇଭିଏମ୍ ଭୋଟ ଗଣତି କରାଯାଏ ଯାହା ସକାଳ ୯ଟାରେ ଆରମ୍ଭ ହୁଏ ।
ଗଣତି କେନ୍ଦ୍ରରେ କେତେଜଣ ଏଜେଣ୍ଟ ଉପସ୍ଥିତ ଥାଆନ୍ତି ?
ନିର୍ବାଚନ ଆୟୋଗର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ଗଣନା ସେଣ୍ଟରର ପ୍ରତ୍ୟେକ ଟେବୁଲରେ ପ୍ରାର୍ଥୀଙ୍କ ପକ୍ଷରୁ ଜଣେ ଲେଖାଏଁ ଏଜେଣ୍ଟ ଉପସ୍ଥିତ ରହିପାରିବେ । କୌଣସି ହଲରେ ୧୫ରୁ ଅଧିକ ଏଜେଣ୍ଟ ରହିପାରିବେ ନାହିଁ ।
କିଏ ଚୟନ କରିଥାଏ ଏଜେଣ୍ଟ ?
ପ୍ରତ୍ୟେକ ପ୍ରାର୍ଥୀ ନିଜର ଏଜେଣ୍ଟ ଚୟନ କରିଥାନ୍ତି । ଜିଲା ଅଧିକାରୀଙ୍କୁ ସେମାନଙ୍କ ନାଁ, ଫଟୋ ଭଳି ଅନ୍ୟାନ୍ୟ ସୂଚନା ପ୍ରଦାନ କରିଥାନ୍ତି । ଗଣନା ତାରିଖର ଗୋଟିଏ ଦିନ ପୂର୍ବରୁ ଜିଲ୍ଲା ନିର୍ବାଚନ ଅଧିକାରୀ ତାଙ୍କ ଫଟୋ ସହିତ ପ୍ରତ୍ୟେକ ପ୍ରାର୍ଥୀଙ୍କ ଏଜେଣ୍ଟଙ୍କ ନାମ ପ୍ରକାଶ କରନ୍ତି।
ଗଣତି କେନ୍ଦ୍ର ଭିତରକୁ କିଏ କିଏ ଯାଇପାରିବେ ?
ଗଣତି କେନ୍ଦ୍ର ଭିତରକୁ କେବଳ ଗଣନାକାରୀ କର୍ମଚାରୀ, ରିଟର୍ଣ୍ଣିଂ ଅଫିସର, ସୁରକ୍ଷାକର୍ମୀ ଏବଂ ଏଜେଣ୍ଟଙ୍କୁ ଯିବାର ଅନୁମତି ରହିଛି । ଗଣନା କାର୍ଯ୍ୟ ଶେଷ ନହେବା ପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ଏଜେଣ୍ଟମାନେ କେହି ବି ବାହାରକୁ ଯିବାକୁ ଅନୁମତି ମିଳିନଥାଏ । ଗଣନା କେନ୍ଦ୍ରରେ ସୁରକ୍ଷାକର୍ମୀ ଏବଂ ଅଧିକାରୀଙ୍କ ବ୍ୟତୀତ କାହାକୁ ମୋବାଇଲ ନେବାର ଅନୁମତି ନାହିଁ ।