ବଜ୍ରପାତ ନେଲା ମା’ ପୁଅଙ୍କ ଜୀବନ, ସତର୍କ ରୁହନ୍ତୁ ଓ ଜାଣନ୍ତୁ କେମିତି ବର୍ତ୍ତିବେ

ଚାଷ ଜମିକୁ କାମ କରିବା ପାଇଁ ଯିବା ହେଲା କାଳ । ସାଙ୍ଗ ହୋଇ ଘରୁ ବାହାରିଥିଲେ ମା’ ପୁଅ ଓ ଦିଅର । ନିଜ ବିଲ ଜମିରେ କାମ କରୁଥିଲେ । ହେଲେ ହଠାତ୍‌ କେଉଁଠି ଥିଲା କେଜାଣି ଅନ୍ଧକାର କରି ଘୋଟି ଆସିଥିଲା କଳା ବାଦଲ । ଆଉ ଢୋ ଢୋ ଗର୍ଜନ ଚକ୍‌ ଚକ୍‌ ବିଜୁଳିରେ ଫାଟି ପଡ଼ିଥିଲା ପୁରା ପରିବେଶ । ଆଉ ଦୁର୍‌ ଦୁର୍‌ କରି କାଚିଥିଲା ବର୍ଷା । ଏହାରି ଭିତରେ ଘଟିଗଲା ଅଘଟଣ । ଚାଷ ଜମିରେ କାମ କରୁଥିଲେ ହଠାତ୍‌ ବିଲ ମଝିରେ ଟଳି ପଡ଼ିଲେ ମା ପୁଅ । ତାଙ୍କ ସହ ଦିଅର ମଧ୍ୟ ଅଚେତ୍‌ ହୋଇଯାଇଥିଲେ । ତାଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ମେଡିକାଲ୍‌ ନିଆଯାଇଥିଲା । ଏବେ ସେ ମେଡିକାଲ୍‌ ବେଡରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏଭଳି ହୃଦୟ ବିଦାରକ ଘଟଣା ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଚାଉଳବାଞ୍ଜି ଗାଁରେ ଘଟିଛି ।

ସେହି ଗାଁର ସୂର୍ଯ୍ୟକାନ୍ତି ଖରସେଲ, ତାଙ୍କ ୧୮ ବର୍ଷୀୟ ପୁଅ ଦୀପକ ଖରସେଲ ଓ ଦିଅର ପୂରନ୍ଦର ଖରସେଲ ଚାଷ କାମ ପାଇଁ ବିଲକୁ ଯାଇଥିଲେ । ଅପରାହ୍ନରେ କାମ କରୁଥିବା ବେଳେ ବର୍ଷା ସହିତ ଝଡ଼ ତୋଫାନ୍‌ ଓ ବଜ୍ରପାତ ହୋଇଥିଲା । ଆଉ ସେହି ବଜ୍ରପାତରେ ସୂର୍ଯ୍ୟକାନ୍ତି ଖରସେଲ ଓ ତାଙ୍କ ପୁଅ ଦୀପକ ଖରସେଲଙ୍କ ମୃତ୍ୟୁ ଘଟିଥିଲା । ତାଙ୍କ ଦିଅର ପୂରନ୍ଦର ଖରସେଲ ଚେତା ହରାଇ ଚାଷ ଜମିରେ ପଡ଼ିଥିଲେ । ପାଖ ଜମିରେ ଚାଷ କରୁଥିବା ଚାଷୀମାନେ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଖପ୍ରାଖୋଲ ମେଡ଼ିକାଲ୍‌ରେ ଭର୍ତ୍ତି କରିଛନ୍ତି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।

ସେପଟେ ବର୍ଷା ହେବାରୁ ବର ଗଛ ମୂଳରେ ଛିଡ଼ା ହୋଇଥିଲେ ୫ ଜଣ । ହଠାତ୍‌ ବଜ୍ରପାତ ହୋଇଥିଲା ଗଛ ମୂଳରେ ଟଳି ପଡ଼ିଲେ ୩ ଯୁବକ । ଅନ୍ୟ ୨ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଛି । ଏପରି ଦୁଃଖଦ ଘଟଣା ବରଗଡ଼ ଜିଲ୍ଲାରେ ଘଟିଥିଲା । ଆଜି ପ୍ରବଳ ଗରମ ଓ ଗୁଳୁଗୁଳି ହେଉଥିଲା । ତେଣୁ ମଧ୍ୟାହ୍ନରେ ଖାଇସାରି ଗାଁ ମୁଣ୍ଡରେ ଥିବା ବର ଗଛ ମୂଳକୁ ଚାଲି ଯାଇଥିଲେ । ସେଠାରେ ବସି କଥାବାର୍ତ୍ତା ହେଉଥିବା ବେଳେ ହଠାତ୍‌ ସେହି ସମୟ ବଜ୍ରପାତ ହୋଇଥିଲା ।ଏହି ଅଘଟଣ ଘଟିଯାଇଥିଲା ।

ପରିବେଶ ପ୍ରଦୂଷଣ ଯୋଗୁଁ ଏପରି ବଜ୍ରପାତ ହେଉଛି । ଅକାଳରେ ଚାଲି ଯାଉଛି ଅନେକଙ୍କ ଜୀବନ । ଆଜି ମଧ୍ୟ ମା ପୁଅଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ଏକ ସ୍ଥାନରେ ୩ ଜଣଙ୍କ ଜୀବନ ଯାଇଛି । ବାରମ୍ବାର ଏହି ଘଟଣା ଘଟୁଥିଲେ ମଧ୍ୟ ସତର୍କ ହେଉନାହାଁନ୍ତି ଲୋକେ । ବର୍ଷା ସମୟରେ ଗଛମୂଳେ ରହିବା ଆଦୌ ଉଚିତ୍‌ ନୁହେଁ । ସେହିପରି ବିଲରେ କାମ କରୁଥିଲେ ଯଦି ବଜ୍ରପାତ ହେଉଛି ତେବେ ଘରକୁ ତୁରନ୍ତ ଫେରି ଆସିବା ଆବଶ୍ୟକ ।

ତେବେ ବର୍ତ୍ତମାନ ନୂତନ ଅନୁସନ୍ଧାନରେ ବୈଜ୍ଞାନିକମାନେ ବଜ୍ରପାତରୁ ରକ୍ଷା ପାଇବା ପାଇଁ ଏକ ଉପାୟ ବାହାର କରିଛନ୍ତି, ଯାହା ସେମାନଙ୍କ ଅନୁଯାୟୀ ପ୍ରାୟ ୯୦ ପ୍ରତିଶତ ପ୍ରଭାବଶାଳୀ ହେବ । ବଜ୍ରପାତରୁ ରକ୍ଷା ପାଇବା ପାଇଁ ପ୍ରଥମେ ବାହାରକୁ ନ ବାହାରିବା ପାଇଁ ଚେଷ୍ଟା କରନ୍ତୁ । କୌଣସି ସ୍ଥାନରେ ଯାକି ହୋଇ ବସିବା ସହିତ ନିଜ ହାତରେ କାନକୁ ବନ୍ଦ କରିବାକୁ କୁହାଯାଇଛି, ଯେପରି ଭୂମି ସହିତ ଶୀରର ଯେତେ କମ୍ ସ୍ପର୍ଶ କରୁଥିବ । ଏହାସହିତ କଦାପି ଏକାକୀ ଗଛ ତଳେ ଠିଆ ହେବାକୁ ବାରଣ କରାଯାଇଛି ।