ଜାଣନ୍ତୁ କେମିତି ଚିନ୍ହିବେ ବିଷାକ୍ତ ଫଳ, ସଠିକ ଉପାୟରେ କେମିତି କରିବେ ଏହାର ବ୍ୟବହାର

ଆପଣ ସ୍ୱାସ୍ଥ୍ୟ ପକ୍ଷେ ହିତକର ବୋଲି ଫଳ ଓ ପନିପରିବା ଖାଇଥାନ୍ତି । ଆପଣଙ୍କ ଘରକୁ ମଧ୍ୟ ପ୍ରତିଦିନ ଫଳ ପନିପରିବା ଆସୁଥିବ? କିନ୍ତୁ କଣ ଆପଣ ଏହାର ଚିହ୍ନଟ କରିବାର କୌଶଳ ଜାଣିଛନ୍ତି କି ?ଏହା ଦ୍ୱାରା କଣ କଣ କ୍ଷତି ହୋଇଥାଏ କହିପାରିବେ କି? ଆସନ୍ତୁ ଆଜି ସେ ସମ୍ପର୍କିତ କିଛି ଅଧିକ ତଥ୍ୟ ଜାଣିବା ।

କେମିତି ଚିନ୍ହିବେ ମହମ ଦିଆ ଫଳ:

ସାଧାରଣତଃ ମହମ ଆସ୍ତରଣ ଦିଆଯାଇଥିବା କୌଣସି ଫଳ ବା ପନିପରିବା ବହୁ ସଫା ଓ ଚିକ୍କଣ ଦେଖାଯାଇଥାଏ । ଯଦି ଆପଣଙ୍କୁ ସନ୍ଦେହ ହୁଏ ତେବେ ଫଳର ଉପର ସ୍ଥରକୁ ଏକ ଧାରୁଆ ଜିନିଷ ବା ନିଜ ନଖରେ ଘଷି ପାରନ୍ତି । ଫଳରେ ଯଦି ମହମ ଆସ୍ତରଣ ଦିଆ ହୋଇଥିଲେ କିଛି ଧଳା ପାଉଡର ପରି ଜିନିଷ ବାହାରିବ । ମହମ ଆସ୍ତରଣ ଦିଆ କୌଣସି ଫଳ ନିଜ ପାପୁଲିରେ ଘସିଲେ ବି କିଛି ଧଳା ପାଉଡର ବାହାରକୁ ଆସିଥାଏ । ଏହି ଉପାୟରେ ଆପଣ ଫଳ ବା ପନିପରିବା କିଣୁଥିବା ସମୟରେ ବା ତାହାକୁ ଘରକୁ ଆଣିସାରିବା ପରେ ସହଜରେ ପରୀକ୍ଷା କରିପାରିବେ ।

ମହମ ଆସ୍ତରଣ ଦିଆ ଫଳ ଖାଇଲେ କଣ ହୋଇଥାଏ:

ଏହି ଧରଣର ଫଳ ଖାଇବା ଦ୍ୱାରା ବଦ ହଜମି ଭଳି ଅନ୍ୟାନ ପେଟ ସମସ୍ୟା ଦେଖାଦେଇଥାଏ । ଏଥିରେ ଥିବା ମହମ ଶରୀର ମଧ୍ୟକୁ ଯାଇ ଗୋଟେ ପ୍ରକାର ସେଠାରେ ଲାଖି ଯାଇଥାଏ । ପାକସ୍ଥଳୀ କର୍କଟ ଭଳି ଭୟଙ୍କର ରୋଗ ମଧ୍ୟ ଏହାଦ୍ୱାରା ହେବାର ସମ୍ଭାବନା ମଧ୍ୟ ଅଧିକ ।

ରାସାୟନିକ ସିନ୍ଥେଟିକ ରସାୟନ ହୋଇଥାଏ ଅଧିକ କ୍ଷତିକାରକ:

ନିୟମ ଅନୁଯାୟୀ ସେଓ ଭଳି ଅନ୍ୟ କିଛି ପରିବାରେ ପ୍ରାକୃତିକ ମହମର ବ୍ୟବହାର କରାଯାଇପାରିବ । ଏହାକୁ ଖାଇବା ଦ୍ୱାରା ଶରୀରକୁ ସେପରି କୌଣସି ଅସୁବିଧା ହୋଇନଥାଏ । ଏହି ପ୍ରାକୃତିକ ମହମ ମହୁଫେଣାରୁ ମହୁ ବାହାର କରାଯିବା ପରେ ହିଁ ପ୍ରସ୍ତୁତ କରାଯାଇଥାଏ । ଏହି ଧରଣର ମହମକୁ ଗୋଟେରୁ ଦୁଇ ବୁନ୍ଦା ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ । କିନ୍ତୁ ବଜାରରେ ମିଳୁଥିବା ଫଳ ଗୁଡିକରେ ଅଧିକ ପରିମାଣରେ ରାସାୟନିକ ମହମର ବ୍ୟବହାର କରାଯାଇଥାଏ । ଏହା ଛଡା ଏଥିରେ ବର୍ଣ୍ଣିସ ପରି ରାସାୟନିକ ପଦାର୍ଥର ମଧ୍ୟ ବ୍ୟବହାର କରାଯାଇଥାଏ । ଏହି ଫଳ ବା ପରିବା ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ ।

କଣ କହନ୍ତି ବିଶେଷଜ୍ଞ ଦଳ:

ଦେଶରେ ନିୟମିତ ଭାବେ ବଜାରରେ ବିକ୍ରି ହେଉଥିବା ଫଳକୁ ଯାଞ୍ଚ କରାଯାଇନଥାଏ । ବିକଶିତ ଦେଶ ଅପେକ୍ଷା ବିକାଶଶୀଳ ଦେଶ ଗୁଡିକରେ ଏହି ସମସ୍ୟା ବେଶୀ ମାତ୍ରାରେ ଦେଖାହୋଇଥାଏ । ନିଜ ଫଳ ଗୁଡିକୁ ଚିକ୍କଣ ଦେଖାଇ ଅଧିକ ଲାଭ କମାଇବାକୁ ବ୍ୟବସାୟୀ ମାନେ ଏହି ପଦ୍ଧତି ଆପଣେଇଥାନ୍ତି । ଅବଶ୍ୟ ଦେଶରେ ଖାଦ୍ୟ ସଂରକ୍ଷଣ ଓ ମାନକ ପ୍ରାଧିକରଣ ସହ ରାଜ୍ୟ ସ୍ଥରର ବିଭିନ୍ନ ସଂସ୍ଥା ମାନ ମଧ୍ୟ ଏହା ଉପରେ ସତର୍କ ଦୃଷ୍ଟି ପକାଇଥାନ୍ତି ।

ଘରୋଇ ଉପାୟରେ କେମିତି ଛଡାଇବେ ମହମ ଆସ୍ତରଣ:

ଫଳ ବା ପନିପରିବା ଘରକୁ ଆଣିବା ପରେ ଯଦି ଆପଣଙ୍କ ସନ୍ଦେହ ହୁଏ କି ଏଥିରେ ମହମ ଆସ୍ତରଣ ଦିଆହୋଇଛି ବୋଲି । ତେବେ ସେଗୁଡିକୁ ନଖ ଉଷୁମ ପାଣିରେ ଗୋଟେରୁ ଦୁଇ ମିନିଟ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ । ଗରମ ପାଣିରେ ମହମ ତରଳିକି ଅଲଗା ହୋଇଯିବ । ଅଥବା ଭିନେଗାରରେ କପଡା ବୁଡାଇ ତାକୁ ଫଳ ବା ପରିବା ପୋଛି ଦିଅନ୍ତୁ । ପାଣିରେ କିଛି ବେକିଙ୍ଗ ସୋଢା ବା ଲେମ୍ବୁ ପାଣି ପକାଇ ହାତରେ ରଗଡିବା ଦ୍ୱାରା ମହମ ଆସ୍ତରଣ ବାହାରି ଯାଇଥାଏ । ପରେ ଏହାକୁ ସାଧା ପାଣିରେ ଧୋଇ ବ୍ୟବହାର କରିପାରିବେ । ଏସବୁ ବ୍ୟତୀତ ଫଳକୁ ସବୁବେଳେ ଚୋପା ବାହାର କରି ବ୍ୟବହାର କରନ୍ତୁ ।

ଚୋପା ଛଡାଇ ଖାଆନ୍ତୁ ଫଳ ବା ପନିପରିବା :

ସାଧାରଣ ଭାବେ ଜଣା ଥାଏ କି ଫଳ ବା ପନିପରିବାର ଚୋପାରେ ହିଁ ଅଧିକ ପରିମାଣରେ ପୋଷାକ ତତ୍ତ୍ୱ ଥାଏ । ତେଣୁ କରି ପ୍ରାୟ ଲୋକ ଚୋପା ସହ ହିଁ ଫଳ ବ୍ୟବହାର କରିଥାନ୍ତି । କିନ୍ତୁ ଏବେକାର ବୈଜ୍ଞାନିକ ମାନେ କିଛିଟା ଭିନ୍ନ ମତ ଦେଇଛନ୍ତି । ସେମାନଙ୍କ ଅନୁଯାୟୀ ଚୋପା ସହ ଫଳ ଖାଇବା ଦ୍ୱାରା ଅଳସର ପରି ସମସ୍ୟା ଦେଖାଦେଇଥାଏ ।

ଋତୁ ଅନୁଯାୟୀ ଫଳର ବ୍ୟବହାର କରନ୍ତୁ:

ସବୁବେଳେ ଯେଉଁ ଋତୁରେ ଯେଉଁ ଫଳ ମିଳୁଛି ତାର ବ୍ୟବହାର କରିବା ଉଚିତ । ଅଦିନ ଫଳରେ ପୋଷାକ ତତ୍ତ୍ୱ କମ ଥିବାରୁ ସେଗୁଡିକ ସ୍ୱାସ୍ଥ୍ୟ ପକ୍ଷେ ସେତେଟା ଫଳବତୀ ହୋଇନଥାଏ । ତେଣୁ ଅଦିନିଆ ଫଳ ଗୁଡିକର ବ୍ୟବହାର ଯଥା ସମ୍ଭବ କମ କରିବା ଉଚିତ । ଏମିତିରେ ଅଦିନିଆ ଫଳ ବା ପନି ପରିବା ଗୁଡିକରେ ରାସାୟନିକ ପଦାର୍ଥର ବ୍ୟବହାର ଅଧିକ ପରିମାଣରେ ହୋଇଥାଏ ।

 

ଏହା ସହ ପଢନ୍ତୁ:

ଟଙ୍କା ଦେଇ ଆମେ କିଣୁଛେ ବିଷ, ସୁସ୍ଥ ରହିବା ଚକ୍କରରେ କରୁଛେ ଅନେକ ରୋଗକୁ ଆମନ୍ତ୍ରଣ

କାର୍ବାଇଡ ମଧ୍ୟ ହୋଇଥାଏ କ୍ଷତିକାରକ:

ଆହୁରି ମଧ୍ୟ କଦଳୀ ଓ ଅମୃତଭଣ୍ଡା ପରି ଫଳ ମାନଙ୍କୁ ଶୀଘ୍ର ପଚାଇବା ପାଇଁ କାର୍ବାଇଡ ପାଉଡରର ବ୍ୟବହାର ମଧ୍ୟ କରାଯାଇଥାଏ । ଡାକ୍ତର ଙ୍କ କହିବା ଅନୁଯାୟୀ ମହମ ଲଗା ଓ କାର୍ବାଇଡ ଦ୍ୱାରା ପଚା ଯାଇଥିବା ଫଳ ଓ ପନିପରିବା ଖାଇବା ଦ୍ୱାରା ଶରୀରରେ ଟକ୍ସିନର ପରିମାଣ ବଢିଥାଏ । ଏହା ଲିଭର ଓ କିଡ଼ନୀ ପରି ଗୁରୁତ୍ୱପୁର୍ଣ ଅଙ୍ଗ ଗୁଡିକ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ ।
କିନ୍ତୁ ସାଧାରଣ ଜନତା ପ୍ରତିଦିନ ଏହି ପରି ସମସ୍ୟାର ସମ୍ମୁଖୀନ ହେଉଥିଲେ ମଧ୍ୟ କିଛି ହେଲେ ପଦକ୍ଷେପ ନେଇ ପାରିନଥାନ୍ତି । ତାକୁ ଏହା ମଧ୍ୟ ଜଣା ନଥାଏ କି କେଉଁଠାରେ ପ୍ରକୃତରେ ଅଭିଯୋଗ କରାଯାଇପାରିବ । ତେଣୁ ସତର୍କ ହୋଇ ଏ ପ୍ରତି ଖାଦ୍ୟ ପଦାର୍ଥ ଗୁଡିକର ବ୍ୟବହାର କରାଯିବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.