ଆଜି ଦିନରେ ଜନ୍ମ ହୋଇଥିଲେ ମହର୍ଷି ବାଲ୍ମିକୀ, ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା

ଆଦିକାବ୍ୟ ରାମାୟଣର ରଚୟତା ଜ୍ଞାନି ମହର୍ଷି ବାଲ୍ମିକୀଙ୍କ ଆଜି ଜନ୍ମଦିନ। ତାଙ୍କ ଜନ୍ମଦିନ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଉତ୍ସବ ପାଳନ କରାଯାଇଥାଏ।ମହର୍ଷି ବାଲ୍ମିକୀ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ଅର୍ଥାତ ଶରଦ ପୁର୍ଣ୍ଣିମାରେ ଜନ୍ମଗ୍ରହଣ କରିଥିଲେ। ତେବେ ବାଲ୍ମିକୀ ମହର୍ଷି ହେବା ପୂର୍ବରୁ ଜଣେ ଦସ୍ୟୁ ବା ଡକାୟତ ଥିଲେ ବୋଲି କୁହାଯାଏ। ପରେ ତାଙ୍କ ଜୀବନରେ ଘଟିଥିବା ଏକ ଘଟଣା ଯୋଗୁଁ ସେ ମହର୍ଷି ହୋଇଥିଲେ।
ମହର୍ଷି ବାଲ୍ମିକୀଙ୍କ ଜନ୍ମ ମହର୍ଷି କଶ୍ୟପ ଏବଂ ଆଦିତିଙ୍କ ନବମ ସନ୍ତାନ ବରୁଣ ଏବଂ ତାଙ୍କ ପତ୍ନୀ ଚର୍ଷଣି ଠାରୁ ହୋଇଥିଲା ବୋଲି କୁହାଯାଏ। ବାଲ୍ୟକାଳରେ ଭିଲ୍ ସମ୍ପ୍ରଦାୟ ଲୋକମାନେ ତାଙ୍କୁ ଚୋରି କରି ନେଇଯାଇଥିଲେ ଏବଂ ତାଙ୍କ ଲାଳନପାଲନ ଭିଳ ସମାଜରେ ହୋଇଥିଲା। ବାଲ୍ମିକୀଙ୍କ ପୂର୍ବ ନାମ ରତ୍ନାକର ଥିଲା ଏବଂ ସେ ଜଙ୍ଗଲ ବାଟ ଦେଇ ଯିବା ଆସିବା କରୁଥିବା ବ୍ୟକ୍ତିଙ୍କ ଠାରୁ ଜିନିଷ ଲୁଟି ନେଇ ତାଙ୍କୁ ବନ୍ଦୀ କରି ରଖୁଥିଲେ।
ଦିନେ ଜଙ୍ଗଲ ବାଟ ଦେଇ ନାରଦ ମୁନି ଯାଉଥିବା ବେଳେ ରତ୍ନାକର ତଙ୍କୁ ମଧ୍ୟ ବନ୍ଦୀ ବନାଇଥିଲା। ସେତେବେଳେ ନାରଦ ମୁନୀ ତାଙ୍କୁ ଏସବୁ ପାପ କରିବାର କାରଣ ପଚାରିବାରୁ ସେ ଉତ୍ତରରେ କହିଥିଲେ ଯେ ସେ ଏସବୁ ତାଙ୍କ ପରିବାର ପାଇଁ କରନ୍ତି। ଏହା ଶୁଣି ନାରଦ ମୁନୀ ରତ୍ନାକରଙ୍କୁ ପୁଣି ପ୍ରଶ୍ନ କଲେ ଯେ ତୁମ ପରିବାର ତୁମର ଏହି ପାପର ଫଳ ଭୋଗିବା ପାଇଁ ପ୍ରସ୍ତୁତ ଅଛନ୍ତି କି? ଏବଂ ସେ ନିଃସଙ୍କୋଚ ହୋଇ ଉତ୍ତରରେ ହଁ କହିଥିଲେ।
ନାରଦ କହିଲେ ଯେ ତରତରରେ ଜବାବ ଦେବା ପୂର୍ବରୁ ଥରେ ନିଜ ପରିବାର ସଦସ୍ୟଙ୍କୁ ପଚାରି ନିଅ। ରତ୍ନାକର ଘରକୁ ଯାଇ ତାଙ୍କ ସମସ୍ତ ସଦସ୍ୟଙ୍କୁ ଏହି କଥା ପଚାରିବାରୁ ସେମାନେ ସମସ୍ତେ ମନା କରିଥିଲେ।ଏହି ଘଟଣା ପରେ ରତ୍ନାକରଙ୍କୁ ଖୁବ ଦୁଃଖ ହୋଇଥିଲା ଓ ସମସ୍ତ ଖରାପ କାମକୁ ଛାଡିବାର ନିଷ୍ପତ୍ତି ନେଇଥିଲେ। ପରେ ସେ ସବୁ ଖରାପ କାମ ଛାଡି ରତ୍ନାକରରୁ ମହର୍ଷି ବାଲ୍ମିକୀରେ ନିଜକୁ ପରିଣତ କରିଥିଲେ।
ଆହୁରି ମଧ୍ୟ କୁହାଯାଏ ଯେ ନାରଦଙ୍କ ସହ ସାକ୍ଷାତ ପରେ ସେ ଘୋର ତପସ୍ୟା କରିଥିଲେ । ଏହି ସମୟରେ ତାଙ୍କ ଉପରେ ଉଈ ହୁଙ୍କା ତିଆରି ହୋଇ ଯାଇଥିଲା । ତେଣୁ ତାଙ୍କ ନାମ ବାଲ୍ମିକୀ ହୋଇଥିଲା ।