ଏଭଳି ନିର୍ଭୟା ଘଟଣାରେ ପୁରୁଷ ଉପରୁ ନାରୀର ବିଶ୍ୱାସ ଉଠି ଯିବନିତ ?

ଭାରି ଦୁଃଖ ଲାଗୁଛି । କଷ୍ଟ ହେଉଛି । ମରମକୁ ଏମିତି ବାଧୁଛି ଯେ ନିଜେ କିଛି କରିଦେବାକୁ ଇଚ୍ଛା ହେଉଛି । ମାନେ ମାରିଦେବି କି ମରିଯିବି । ଇଏ ହେଉଛି ସାଧାରଣ ଲୋକଙ୍କର ପ୍ରତିକ୍ରିୟା ତେଲେଙ୍ଗାନାରେ ପଶୁ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ । ଘଟଣାକୁ ଦ୍ୱିତୀୟ ନିର୍ଭୟାର ନାଁ ଦେଇଛି ଗଣମାଧ୍ୟମ । ହେଲେ ଏଭଳି ଘଟଣା ବୋଧହୁଏ ଦୈନିକ ଘଟୁଛି ସାରା ଭାରତରେ । ତେଣୁ ଦ୍ୱିତୀୟ କି ତୃତୀୟ ନୁହେଁ, ଆମେ ଏଭଳି ପରିସ୍ଥିତି ସହ ନିଜକୁ ଯେମିତି ଅଭ୍ୟସ୍ତ କରି ନେଲେଣି । ନଚେତ ଦିନେ ଦୁଇ ଦିନ ଚିକ୍ତାର କରିବା ପରେ ଦାବି ଉଠାଇବା ପରେ ପୁଣି କାହିଁକି ନିଜ କାମରେ ବ୍ୟସ୍ତ ହୋଇଯାଉ ? କାରଣ ଆମର ଧୈର୍ଯ୍ୟ କମ୍‌ । ରାଗକୁ ବା କ୍ରୋଧକୁ ପାଳି ଶିଖିନାହୁଁ । ଯଦି କ୍ରୋଧକୁ ଆମେ ପାଳି ତାକୁ ଠିକଣା ବାଟରେ ଲଗାଇଥାନ୍ତୁ ତେବେ ଏମିତି ପାଷାଣ୍ଡ ସବୁ ଗାତ ଖୋଜନ୍ତେ ନିଜକୁ ନିଜେ କବର ଦେବା ଲାଗି ।

WOMEN-1ଆମେ ଯେତେ କ୍ୟାଣ୍ଡେଲ ରାଲି କଲେ କି ଫୁଲ ଦେଇ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରିୟଙ୍କା ଭଳି ଅନେକ ଜୀବନରେ ଶାନ୍ତି ପାଇବେ ସେକଥା ଆଦୌ ନୁହେଁ । କାରଣ ସେମାନେ ତ ପୀଡ଼ିତା, ନ୍ୟାୟ ପାଇ ନାହାନ୍ତି । ରାମାୟଣ ଅବା ମହାଭାରତ ଯୁଗରେ ଆମେ ରାକ୍ଷାସଙ୍କ କଥା ଓ କାହାଣୀ ପଢ଼ିଛେ । ହେଲେ ଏବେ ତ ସାକ୍ଷାତ ରାକ୍ଷସ ସବୁ ଆମରି ଆଗରେ ବୁଲୁଛନ୍ତି । କୌଣସି ବାପା ମା ତାର ପିଲାକୁ ଜଣେ ଖଳନାୟକ କରିବାକୁ ଚାହେଁ ନାହିଁ । ଭଲ ସଂସ୍କାର ଦେଇପାରୁ ନି ନପାରୁ କେବେ ଜଣେ ଦୁଷ୍କର୍ମକାରୀ ରୂପରେ ତାର ପିଲା ଜନ୍ମ ହେଉ ବୋଲି ଚାହେଁ ନାହିଁ । ଏତେ କଡ଼ା କଟକଣା, ପୋଲିସ୍‌, ଆଇନ୍‌ କାନୁନ ଓ ପରିବାର ଥାଉ ଥାଉ କାହିଁକି ଘଟୁଛି ଏଭଳି ହୃଦୟବିଦାରକ ଘଟଣା ?

WOMEN-4ଦେଶରେ କାଁଭାଁ ଲୋକ ଏଭଳି କାଣ୍ଡ କରି ବସୁଛନ୍ତି ଯାହା ସମାଜ, ମାନବିକତା ଏବଂ ପୁରୁଷତ୍ୱକୁ ଲଜ୍ଜା ଦେଉଛି । ସମାରେ ଅଧିକ ଭଲ ଲୋକ ଥିଲେ ମଧ୍ୟ ଏଭଳି ଘଟୁଛି କାହିଁକି ? ଦିନେ ଆମେ ନିଜକୁ ନିଜେ ପ୍ରଶ୍ନ କରିଛନ୍ତି କି ? ପ୍ରତ୍ୟେକ ନିର୍ବାଚନ ଆସିବା ପୂର୍ବରୁ ନେତାମାନଙ୍କ ନିକଟରେ ଆମେ ଆଞ୍ଚଳିକ ସମସ୍ୟା ସବୁ ଉତ୍‌ଥାପନ କରୁ । ଏହାର ସମାଧାନ ନହେଲେ ଭୋଟ୍‌ ବର୍ଜନ କରିବାକୁ ଚେତାବନୀ ବି ଦେଉ ହେଲେ କେବେ ଦାବି କରିଛୁ କି ଆମ ମା, ଭଉଣୀ ଓ ପତ୍ନୀମାନେ କିଭଳି ସୁରକ୍ଷିତ ରହିବେ ? କିଭଳି ରାତି ଅଧ ହେଲେ ମଧ୍ୟ ସେମାନେ ଡରିବେ ନାହିଁ ? କୌଣସି ଜାଗାକୁ ଯିବା ଲାଗି ପୁରୁଷଙ୍କ ସହାୟତା ଦରକାର ପଡ଼ିବ ନାହିଁ ।

ରାବଣ ତ ମାତା ସୀତାଙ୍କୁ ହରଣ କରିଥିଲା ସତ ହେଲେ ସେ ନାରୀ ଭାବେ କେବେ ଅସମ୍ମାନିତ କରି ନଥିଲା । ବର୍ତ୍ତମାନ ସମାଜରେ ଏମାନେ ରାବଣଠାରୁ ଆହୁରି ହୀନ କାର୍ଯ୍ୟ କରୁଥିବା ଅମଣିଷ । ଏମାନଙ୍କ ପାଇଁ ଯାହା ବି ଦଣ୍ଡବିଧି ଅଛି ତାହା କମ୍‌ । ଖାଲି ପୋଲିସ୍‌ ଜଗାଇଲେ କି ନିର୍ଭୟା ପାଣ୍ଠି କରି ରାଜରାସ୍ତାରେ ଚିଲ୍ଲାଇଲେ ସମାଧାନର ବାଟ ବାହାରିବ ନାହିଁ । ରାଜନୀତିରୁ ଊର୍ଦ୍ଧ୍ୱରେ ରହି ଏଭଳି ପଶୁମାନଙ୍କୁ ଉଚିତ ଦଣ୍ଡ ନଦେଲେ ଏମାନେ ଆଦୌ ସାବାଡ୍‌ ହେବେ ନାହିଁ । କାରଣ ଏଭଳି ରାକ୍ଷାସ କେବଳ ବାହାରେ ନୁହେଁ ଘରେ ଘରେ ଅଛନ୍ତି ।

WOMEN-2ସମାଜରେ ଅଧିକାଂଶ ଭଲ ଲୋକ ଥାଇ ଯଦି ସମାଜ ଭଲ ହୋଇ ପାରିଲା ନାହିଁ । ତାହାହେଲେ ଦୋଷ ତ ଆମର । ଆଉ କାହାକୁ ଦୋଷ ଦେଇ ଆମେ ଖସିଯାଇ ପାରିବା କି ? ଯଦି ଏକବିଂଶ ଶତାବ୍ଦୀରେ ଆମ ମାନସିକତା ବଦଳି ପାରିନାହିଁ ଓ ଆମେ ନାରୀକୁ ଉଚିତ ସମ୍ମାନ ଦେଇ ପାରିନାହୁଁ, ତାହା ହେଲେ ଏସବୁ ବିକାଶର ଅର୍ଥ ନିଶ୍ଚିତ ଭାବେ କେବଳ ବାହସ୍ଫୋଟ । ଇଏ ଏମିତି ଏକ କ୍ଷତ ନୁହେଁ ଯାହା ସମୟ ସହିତ ଭଲ ହୋଇଯିବ । ଏହାକୁ ଅପରେସନ୍‌ କରି ଭଲ କରବାକୁ ହେବ । ନହେଲେ ଦୁଷ୍କର୍ମ ରୂପୀ କ୍ଷତ ଆମକୁ ସବୁବେଳେ ରକ୍ତାକ୍ତ କରୁଥିବ । ଆଉ ସେ ଦିନ ହୁଏତ ବେଶି ଦୂର ନାହିଁ ଯେତେବେଳେ ନାରୀ ନିଜ ସୁରକ୍ଷା ପାଇଁ ଅସ୍ତ୍ର ଧରିବ । ତାହା ପୁଣି କିଛି ପୁରୁଷ ରୂପୀ ପଶୁଙ୍କ ପାଇଁ । ନାରୀର ଦୁର୍ଗା ଓ କାଳୀ ରୂପ ସିନା ଲୋକେ ପୁରାଣରେ ପଢ଼ିଛନ୍ତି କି ସିନେମା ଟେଲିଭିଜନରେ ଦେଖିଛନ୍ତି ହେଲେ ବାସ୍ତବତା ଯେତେବେଳେ ସାମନାକୁ ଆସିବ ତାହା ହୁଏତ ଅତି ଭୟଙ୍କର ହୋଇପାରେ । ବିଶେଷ କରି ପୁରୁଷ ଉପରୁ ଯେଉଁଦିନ ନାରୀର ବିଶ୍ୱାସ ସମ୍ପୂର୍ଣ୍ଣ ଭାବେ ଉଠିଯିବ, ସେଦିନ ଏ ସାରା ବିଶ୍ୱ ବ୍ରହ୍ମାଣ୍ଡ ପାଇଁ ଅନ୍ତିମ ଦିନ ହେବ ।

ହିମାଂଶୁ ପତିମିଶ୍ର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.