କୁନି ଝିଅ ଆଗରେ ଚାଲିଗଲା ବାପା ମାଆଙ୍କ ଜୀବନ, ଅନାଥ ହୋଇଗଲେ ଦୁଇ ଛୁଆ

ରାସ୍ତାରେ ପଡିଛି ସ୍କୁଟି । ଛିଟକି ପଡିଛନ୍ତି ସ୍ୱାମୀ ସ୍ତ୍ରୀ । ଘଟିଛି ଛାତିଥରା ଦୁର୍ଘଟଣା । ଯାହାକୁ ଦେଖିବା ପାଇଁ ଭିଡ଼ ଜମାଇଛନ୍ତି ଲୋକେ । କିନ୍ତୁ ଛୋଟ ଝିଅଟି ବାପା ମାଙ୍କୁ ଖୋଜୁଥାଏ କାନ୍ଦି କାନ୍ଦି । କଥାରେ ଅଛି ଦଣ୍ଡେ ନିମିଷେ ଥିଲେ ପ୍ରାଣ ନେଇ ନ ପାରେ ଜନ୍ତୁ ରାଣ । ଯାହା ଏ କୁନି ଝିଅକୁ ଦେଖି ଆପଣ ଜାଣି ପାରୁଥିବେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଉଭୟ ବାପା ମାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । କିନ୍ତୁ ବଞ୍ଚି ଯାଇଛି କୁନି ଝିଅର ଜୀବନ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୁଢାମ୍ବ ଗ୍ରାମ ହରିଜନ ସାହି ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।

ଗୋଟିଏ ଅଟୋ ସହ ଧକ୍କା ହୋଇଥିଲା ସ୍କୁଟି । ଯେଉଁଥିରେ ଚାଲି ଯାଇଛି ଦୁଇ ଦୁଇ ଜଣକ ଜୀବନ । ସେମାନେ ସ୍ବାମୀ ସ୍ତ୍ରୀ । ଦୁର୍ଘଟଣାରେ ଶାଳବଣ ଗ୍ରାମର କାହ୍ନୁ ବାରିକ ଓ ତାଙ୍କ ପତ୍ନୀ ସ୍ବପ୍ନା ବାରିକଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ବର୍ଷର ଝିଅ ବଞ୍ଚିଯାଇଛି । କାହ୍ନୁ ନିଜ ପତ୍ନୀ ଓ ଝିଅକୁ ସ୍କୁଟିରେ ନେଇ ବୁଢ଼ାମ୍ବ ଅଭିମୁଖେ ଯିବା ସମୟରେ ହରିଜନ ସାହି ନିକଟରେ ଏକ ଅଟୋ ସହ ଧକ୍କା ହୋଇଥିଲା । ଦୁର୍ଘଟଣା ସ୍ଥଳରେ ହିଁ ସ୍ୱପ୍ନାଙ୍କ ମୃତ୍ୟୁ ହୋଇଥିଲା । କାହ୍ନୁଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ଚିକିତ୍ସା ନିମନ୍ତେ କୋଦଳା ମେଡିକାଲରେ ଭର୍ତ୍ତି କରିଥିଲେ ।

କିନ୍ତୁ ସେଠାରେ ଡାକ୍ତର କାହ୍ନୁଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣାରେ କାହ୍ନୁଙ୍କ ତିନି ବର୍ଷର ଝିଅ ସାମାନ୍ୟ ଆହତ ହୋଇଛି । ଖବର ପାଇ କବିସୂର୍ଯ୍ୟନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଆଠ ବର୍ଷ ତଳେ କାହ୍ନୁଙ୍କ ବିବାହ ହୋଇଥିବା ବେଳେ ଉଭୟଙ୍କ ଦୁଇଟି ଝିଅ ଅଛନ୍ତି । ଯାହା ମୁଣ୍ଡରୁ ଏବେ ଉଠି ଯାଇଛି ବାପା ମାଆ ଦୁଇ ଜଣଙ୍କ ହାତ । ସତରେ ଭାରି ହୃଦୟ ବିଦାରକ ଏ ଘଟଣା । ଦୁନିଆ କ’ଣ ଜାଣିବା ଆଗରୁ ଅନାଥ ହୋଇ ଯାଇଛନ୍ତି ଦୁଇଟି ଝିଅ । କ୍ଷଣକରେ ଚୂନା ହୋଇଗଲା ସୁନାର ସଂସାର ।

ଜନ୍ମଜନ୍ମାନ୍ତର ସମ୍ପର୍କ ଭଳି ଏକା ସଙ୍ଗେ ଆରପାରିକୁ ଚାଲିଗଲେ ସ୍ବାମୀ ସ୍ତ୍ରୀ । ହେଲେ ପଛରେ ଛାଡ଼ିଗଲେ ଦୁଇ ଛୁଆଙ୍କୁ । ଅନାଥ ହୋଇଗଲେ ଦୁଇ ନିରୀହ ନିଷ୍ପାପ କୋମଳମତି ଶିଶୁ । ଏବେ ଏତେ ବଡ ଦୁନିଆରେ ଏକା ଏକା କେମିତି ବଞ୍ଚିବେ ଏମାନେ? ତାହାହିଁ ଚିନ୍ତାର ବିଷୟ । ଏକ ଦୁର୍ଘଟଣା ପାଇଁ ଆଜି ଉଚ୍ଛନ୍ନ ହୋଇଯାଇଛି ଗୋଟିଏ ପରିବାର । ସତରେ ଦୁର୍ଘଟଣାରେ ତ ରେକର୍ଡ଼ କରୁଛି ଓଡ଼ିଶା । ଭୁଲ ଯାହାର ବି ଥାଉ ନା କାହିଁକି ଏଥିରେ ଜୀବନ ଯାଉଛି ଆଉ ଭୁଶୁଡ଼ି ଯାଉଛି ପରିବାର । ଭାବିବାକୁ ବାଧ୍ୟ କରୁଛି… କଣ ଏହାର ଅନ୍ତ ନାହିଁ ?

Also read: ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ୍, ୨ ମୃତ, ଜଣେ ଗୁରୁତର