ହାଇଦ୍ରାବାଦ: ସୁପରଫାଷ୍ଟ ସ୍ପୀଡ୍‌ ପାଇଁ Zomato ବୟଙ୍କୁ ପୁରସ୍କାରରେ ମିଳିଲା ବାଇକ୍‌, ଏତେ କମ୍‌ ସମୟ ଭିତରେ ସାଇକେଲରେ ପହଞ୍ଚାଇ ଥିଲେ ଅର୍ଡର

ତେଲେଙ୍ଗାନାର ହାଇଦ୍ରାବାଦରୁ ଆଶ୍ଚର୍ଯ୍ୟ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ଜମାଟୋ ଡେଲିଭରୀ ବୟଙ୍କୁ ବାଇକ୍‌ ଦେବା ପାଇଁ ୭୩ ହଜାର ଟଙ୍କାର ଫଣ୍ଡ ଏକାଠି କରିଥିଲେ ଏବଂ ଏହି ଫଣ୍ଡରେ ତାଙ୍କୁ ଏକ ବାଇକ୍‌ ଉପହାର ଦେଇଛନ୍ତି। ଏହି ମାମଲା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି।

ହାଇଦ୍ରାବାଦର କୋଟି ଅଞ୍ଚଳରେ ରହୁଥିବା ରବିନ ମୁକେଶ ଗତ ଜୁନ୍‌ ୧୪ରେ ଫୁଡ୍‌ ଡେଲିଭରୀ ଆପ୍‌ ଜମାଟୋ ଜରିଆରେ ଏକ ଚା’ ଅର୍ଡର କରିଥିଲେ। ଏହି ଅର୍ଡର ଡେଲିଭରୀ ବୟ ମହମ୍ମଦ ଅକୀଲଙ୍କୁ ମିଳିଥିଲା। ଆଇଟି କମ୍ପାନୀରେ କାମ କରୁଥିବା ରବିନ୍‌ କହିଛନ୍ତି କି, ଏହି ସମୟରେ ସେ ଓ୍ଵାର୍କ ଫ୍ରମ ହୋମ୍‌ କରୁଛନ୍ତି। ରାତି ପାଖାପାଖି ୧୦ଟାରେ ସେ ଏକ ଚା’ ଅର୍ଡର କରିଥିଲେ। ଅର୍ଡର ଦେବାର ୧୫ ମିନିଟ୍‌ ଭିତରେ ହିଁ ତାଙ୍କ ଆପାର୍ଟମେଣ୍ଟ ତଳେ ଡେଲିଭରୀ ବୟ ମହମ୍ମଦ ଅକୀଲ ପହଞ୍ଚି ଯାଇଥିଲେ। ମହମ୍ମଦ ତାଙ୍କୁ କଲ୍‌ କରି କହିଥିଲେ କି, ସାର୍‌, ମୁଁ ପହଞ୍ଚିଗଲି। ତେବେ ରବିନ୍‌, ମହମ୍ମଦଙ୍କର ଅର୍ଡର ଡେଲିଭରୀ କରେଇବାର ସ୍ପୀଡ୍‌ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ରବିନ୍‌ ଆହୁରି କହିଛନ୍ତି କି, ଡେଲିଭରୀ ବୟ ଏକ ସାଇକେଲରେ ଆସିଥିଲେ। ସେହି ସମୟରେ ବର୍ଷା ମଧ୍ୟ ହେଉଥିଲା। କିନ୍ତୁ ବର୍ଷାକୁ ଖାତିର ନ କରି ସେ ୧୫ ମିନିଟ୍‌ ଭିତରେ ହିଁ ମୋ ଅର୍ଡର ଆଣି ପହଞ୍ଚାଇ ଥିଲେ। ଅର୍ଡରକୁ ସମୟ ଭିତରେ ପହଞ୍ଚାଇବା ପାଇଁ ସେ ବହୁତ ଜୋର୍‌ରେ ସାଇକେଲ ଚଲାଇ ଆସିଥିଲେ।

ମହମ୍ମଦ ଅକୀଲ ୧ ବର୍ଷ ହେବ ଡେଲିଭରୀ ବୟ କାମ କରୁଛନ୍ତି। ସେ ନିଜ ସାଇକେଲ ଚଲାଇ ଲୋକଙ୍କ ପାଖରେ ଅର୍ଡର ପହଞ୍ଚାଇ ଥାଆନ୍ତି। ଏହା ଶୁଣିବା ପରେ ରବିନ, ମହମ୍ମଦଙ୍କର ଏକ ଫଟୋ ଉଠାଇ ରଖିଥିଲେ ଏବଂ ଏହାକୁ ଫେସ୍‌ବୁକରେ ଅପଲୋଡ୍‌ କରି ଦେଇଥିଲେ। ସେ ଲୋକଙ୍କୁ ମହମ୍ମଦ ଅକୀଲଙ୍କ ପାଇଁ ଏକ ବାଇକ୍‌ କିଣେଇ ଦେବାକୁ ସାହାଯ୍ୟ ମାଗିଥିଲେ। ଦେଖୁ ଦେଖୁ ୧୨ ଘଣ୍ଟା ଭିତରେ ୭୩ ହଜାର ଟଙ୍କାର ଫଣ୍ଡ ସଂଗ୍ରହ ହୋଇଯାଇଥିଲା। ପରେ ଏହି ପଇସାରେ ରବିନ, ମହମ୍ମଦଙ୍କ ପାଇଁ ଏକ ଟିଭିଏସ୍‌ ଏକ୍ସଏଲ ବାଇକ କିଣିଥିଲେ। ଫଣ୍ଡରୁ ବଳିଥିବା ୫ ହଜାର ଟଙ୍କାକୁ ମଧ୍ୟ ସେ ମହମ୍ମଦଙ୍କୁ ତାଙ୍କ କଲେଜ ଫି’ ଭରିବା ପାଇଁ ଦେଇ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.