ଡ୍ୟୁଟି ବେଳେ ପୋଲିସ କର୍ମଚାରୀଙ୍କ ଜୀବନ ନେଇଗଲା ହାଇୱା

ସମୟ ପାଖାପାଖି ଭୋର ୪.୧୫ । କଟକ ପାରାଦୀପ ମୁଖ୍ୟ ରାଜପଥ ଗତିରାଉତ ପାଟଣା ନିକଟ କେନାଲ ରୋଡ଼ରେ ସିଆରଆରଆଇ ଥାନା ପୋଲିସର ଚାଲିଥିଲା ନାଇଟ ପାଟ୍ରୋଲିଂ। ଆଉ କିଛି ସମୟ ପରେ ସରିଥାନ୍ତା ଡ୍ୟୁଟି । ଘରକୁ ଫେରିଥାନ୍ତେ ଡ୍ରାଇଭର ହୋମଗାର୍ଡ ଜଗବନ୍ଧୁ ମାହାଳି, ଓଏପିଏଫ୍ କର୍ମଚାରୀ ଲୋକନାଥ ଶବର ଓ ପବିତ୍ର ସେଠୀ । କିନ୍ତୁ ଆଖି ପିଛୁଳାକେ ସବୁକିଛି ଓଲଟ ପାଲଟ ହୋଇଗଲା । ଯମରୂପୀ ବାଲି ବୋଝେଇ ହାଇୱା ଆସି ପିସିଆର ଭ୍ୟାନକୁ ସାମ୍ନାପଟୁ ଧକ୍କା ଦେଇଥିଲା। ଏହାପରେ ଉଭୟ ହାଇୱା ଓ ପିସିଆର ଭ୍ୟାନ ରାସ୍ତା ପାଖରେ ଥିବା ଖେଳ ପଡିଆକୁ ଖସି ଯାଇଥିଲେ । ହାଇୱା ତଳେ ସମ୍ପୂର୍ଣ୍ଣ ଭାବରେ ଚାପି ହୋଇ ରହିଗଲା ପିସିସିଆର ।
ଘଟଣାସ୍ଥଳରେ ଜଗବନ୍ଧୁ ମାହାଳି ଓ ଲୋକନାଥ ଶବରଙ୍କ ମୃତ୍ୟ ଘଟିଥିଲା । ଅଳ୍ପକେ ବର୍ତ୍ତି ଯାଇଥିଲେ ପବିତ୍ର ସେଠୀ । ଖବର ପାଇ ଦୁର୍ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଲାଗିଗଲେ ଉଦ୍ଧାର କାମରେ । ଆଉ ଏସସିବି(scb) ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ ଆହତ ଓ ମୃତକଙ୍କୁ ।
ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ପୋଲିସ କର୍ମଚାରୀଙ୍କୁ ମଙ୍ଗଳାବାଗ ଥାନାରେ ଦିଆ ଯାଇଥିଲା ଗାର୍ଡ ଅଫ ଅନର । ପୋଲିସ କମିଶନର, କଟକ ଡିସିପି, ଜିଲ୍ଲାପାଳ ଓ ବରିଷ୍ଠ ପୋଲିସ ଅଧିକାରୀ ସେମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ। ଉପସ୍ଥିତ ଥିଲେ ପରିବାର ଵର୍ଗ। ଘଟଣାକୁ ନେଇ ପୁରା ଅଞ୍ଚଳରେ ଖେଳି ଯାଇଥିଲା ଶୋକାକୁଳ ପରିବେଶ । ଏପଟେ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୃତକଙ୍କ ପରିବାର ପାଇଁ ଦଶ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୃତଦେହକୁ ସମ୍ମାନର ସହ ଘରକୁ ପଠାଇ ଦିଆଯାଇଥିବା କହିଛନ୍ତି ପୋଲିସ କମିଶନର ।
ସେପଟେ ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ବର ସହ ନେଇଛନ୍ତି ପୋଲିସ କମିଶନର ଏସ ଦେବଦତ୍ତ ସିଂ। ରାସ୍ତା ଫାଙ୍କା ଥିଲା ବେଳେ କିଭଳି ଦୁର୍ଘଟଣା ଘଟିଲା ତାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ। ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ତେବେ ଦୁର୍ଘଟଣା ଘଟାଇଥିବା ହାଇୱା ଡ୍ରାଇଭରକୁ ଗିରଫ କରଯାଇଛି ।
also Read:ଟଙ୍କା ବ୍ୟାଗ ଝାମ୍ପି ନେଉଥିବାବେଳେ ଲୁଟେରାକୁ କାବୁ କଲେ ଲୋକେ, ଖାଇଲା ନିର୍ଦ୍ଧୁମ ଛେଚା