ହନୁମାନ ଥିଲେ ଶ୍ରୀରାମଙ୍କର ହୋଇନଥାନ୍ତା ସ୍ୱର୍ଗାରୋହଣ, ଏଥିପାଇଁ ଶ୍ରୀରାମ କରିଥିଲେ ଏମିତି ଉପାୟ

ଭଗବାନ ଶ୍ରୀରାମ ଶ୍ରୀହରିଙ୍କ ଅବତାର ଥିଲେ । ଧରାପୃଷ୍ଟରେ ଅବତାର ନେବାର କାରଣ ଥିଲା ଦୁଷ୍ଟ ନିବାରଣ । ଶ୍ରୀରାମଙ୍କ ବନବାସ ଥିଲା ଭଗବାନଙ୍କର ଇଚ୍ଛାକୃତ । କାରଣ ରାବଣ ବିନାଶ କରିବା ଥିଲା ଏହାର କାରଣ । ଶ୍ରୀରାମଙ୍କୁ ସହଯୋଗ କରିବା ପାଇଁ ହନୁମାନଙ୍କର ମଧ୍ୟ ଧରାପୃଷ୍ଟକୁ ଥିଲା ଆଗମନ । ଶ୍ରୀରାମଙ୍କ ସହ ପ୍ରତିଟି କ୍ଷେତ୍ରର ସହାୟକ କରିବା ଥିଲା ତାଙ୍କର ଧର୍ମ । ସେଥିପାଇଁ ସେ ଶ୍ରୀରାମଙ୍କ ପାଖେ ପାଖେ ରହୁଥିଲେ । ରାବଣଙ୍କୁ ବଦ୍ଧ କରିବା ପରେ ଶ୍ରୀରାମ ସ୍ୱର୍ଗାରୋହଣ କରିବା ଥିଲା ବିଧି ନିର୍ଘଣ୍ଟ ।

ଏଥିପାଇଁ କାଳଦେବ ଅଯୋଧ୍ୟାକୁ ଆସି ଶ୍ରୀରାମଙ୍କୁ ବୈକୁଣ୍ଠ ଫେରିଯିବାକୁ ମନେ ପକାଇ ଦେଇଥିଲେ । ହେଲେ ହନୁମାନ ଥିବା ଯାଏ କାଳଦେବ ଶ୍ରୀରାମଙ୍କ ପାଖକୁ ପଶିବା ଅସମ୍ଭବ ଥିଲା । ତେଣୁ ଶ୍ରୀରାମ ମାୟା କରି ହନୁମାନଙ୍କୁ ମୁଖ୍ୟ ଦ୍ୱାରରୁ (ନିଜ ଠାରୁ) ଦୂରକୁ ପଠାଇବାର ଯୋଜନା କଲେ । ତେଣୁ ଶ୍ରୀରାମ ନିଜର ମୁଦ୍ରିକାକୁ ମହଲର ଏକ କୋଣରେ ଥିବା ଫାଟ ମଧ୍ୟରେ ପକାଇ ଦେଲେ ଓ ଏହାକୁ ବାହର କରିବାକୁ ହନୁମାନଙ୍କୁ ନିର୍ଦ୍ଦେଶ ଦେଲେ । ହନୁମାନ ପ୍ରଭୁଙ୍କ ଆଦେଶ ପାଇ ମୁଦ୍ରିକା ଖୋଜିବା ପାଇଁ ନିଜର ଛୋଟ ରୂପ ଧାରଣ କରି ଉକ୍ତ ଫାଟ ମଧ୍ୟରେ ପ୍ରବେଶ କଲେ । ହେଲେ ଉକ୍ତ ଫାଟ ଭିତରକୁ ଯାଇ ଯାଇ ଶେଷରେ ପାତାଳପୁରରେ ପହଞ୍ଚିଥିଲେ ।

ବାସୁକୀ ଦେଲେ ହନୁମାନଙ୍କୁ ଜ୍ଞାନ :

ପାତାଳପୁରରେ ପହଞ୍ଚି ରାଜା ବାସୁକୀଙ୍କୁ ଭେଟି ତାଙ୍କ ଆସିବାର କାରଣ କହିବା ପରେ ରାଜା ବାସୁକୀ ତାଙ୍କୁ ଏକ ମୁଦ୍ରିକାର ପାହାଡ଼ ନିକଟରେ ପହଞ୍ଚାଇଦେଲେ । ହନୁମାନ ଏହା ଦେଖି ଦ୍ୱନ୍ଦ୍ୱରେ ପଡ଼ିଲେ ଯେ ଏଥିରୁ ପ୍ରଭୁଙ୍କ ମୁଦ୍ରିକା କିପରି ଖୋଜିବେ । ତେବେ ସେ ଯେମିତି ସେଠାରୁ ଗୋଟିଏ ମୁଦ୍ରିକା ଉଠାଇଛନ୍ତି ତାହା ଶ୍ରୀରାମଙ୍କ ନାମ ଥିବା ଦେଖିବାକୁ ପାଇଲେ । ଏହାପରେ ପୁଣି ଏକ ମୁଦ୍ରିକା ଉଠାଇଲେ ତାହା ମଧ୍ୟ ଶ୍ରୀରାମଙ୍କର ଥିଲା । ହନୁମାନଙ୍କ ଏପରି ଦ୍ୱନ୍ଦ୍ୱ ଦେଖି ବାସୁକୀ ତାଙ୍କୁ ଜ୍ଞାନ ଦେଇଥିଲେ ।

ବାସୁକୀ କହିଲେ ଯେ ଯିଏ ପୃଥିବୀ ପୃଷ୍ଟକୁ ଆସିଥାନ୍ତି ତାଙ୍କୁ ଦିନେ ଫେରିଯିବାକୁ ପଡ଼ିଥାଏ । ତେଣୁ ପୃଥିଲୋକ ଛାଡ଼ି ଦିନେ ବିଷ୍ଣୁଙ୍କୁ ମଧ୍ୟ ବୈକୁଣ୍ଠ ଯିବାକୁ ପଡ଼ିବ । ବାସୁକୀଙ୍କ ଏହି କଥା ଶୁଣି ହନୁମାନଙ୍କର ଚେତା ପଶିଲା । ସେ ଜାଣିଲେ ଯେ ପ୍ରଭୁ ଶ୍ରୀରାମଙ୍କର ଏହା ବୁଝି ବିଚାରି କାର୍ଯ୍ୟକ୍ରମ । ଶ୍ରୀରାମ ଜାଣିକରି ତାଙ୍କୁ ନାଗ ଲୋକ ପଠାଇଛନ୍ତି । ସେ ଯେପରି ସୁରୁଖୁରରେ ସ୍ୱର୍ଗ ଲୋକ ଯାଇପାରିବେ । କାରଣ ହନୁମାନ ଥିଲେ ପ୍ରଭୁ ଶ୍ରୀରାମଙ୍କୁ ଯିବାକୁ ଦେଇନଥାନ୍ତେ । ପ୍ରଭୁ ଶ୍ରୀରାମ ଜାଣିକରି ତାଙ୍କୁ ନିଜ ପାଖରୁ ହଟାଇଛନ୍ତି । ହନୁମାନ ବୁଝିଗଲେ ଯେ ସେ ନାଗଲୋକରୁ ଫେରିବା ପରେ ଶ୍ରୀରାମ ଆଉ ଅଯୋଧ୍ୟାରେ ନଥିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.