ମହାକୁମ୍ଭରେ ୧ କୋଟି ୬୦ ଲକ୍ଷ ସାଧୁଙ୍କ ଭିତରେ ବାରି ହୋଇପଡ଼ୁଛନ୍ତି ଏହି ଆଇଆଇଟି ବାବା

ଆହ୍ଲାବାଦ: ମହାକୁମ୍ଭ ଆସ୍ଥା ଏବଂ ବିଶ୍ୱାସର ଏକ ମହାନ ପର୍ବ । ଜାନୁଆରୀ ୧୩ ରୁ ଆରମ୍ଭ ହୋଇଥିବା ଏହି ବିଶ୍ୱର ସର୍ବବୃହତ ମେଳା ଫେବୃଆରୀ ୨୬ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ଦେଶ ବିଦେଶର କୋଟି କୋଟି ଭକ୍ତ ଏହି ମହାକୁମ୍ଭରେ ଅଂଶଗ୍ରହଣ କରିଛନ୍ତି । ତେବେ ୧ କୋଟି ୬୦ ଲକ୍ଷ ବାବାଙ୍କ ଭିତରେ ବାରି ହୋଇପଡ଼ୁଛନ୍ତି ଜଣେ ବାବା ।

ଶାନ୍ତ ସ୍ୱଭାବ ହସ ହସ ମୁହଁ । ପାଟିରେ ଅନର୍ଗଳ ଇଂରାଜୀ ଆଉ ଆଧ୍ୟାତ୍ମିକତାର କଥା । ଯୁବ ବୟସରେ ଏମିତି ଆଧ୍ୟାତ୍ମିକ କଥା କହୁଛନ୍ତି, ଯାହା ଏବେ ମହାକୁମ୍ଭ ମେଳାରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି । ତାଙ୍କର ହୃଦୟସ୍ପର୍ଶୀ କଥା ସମସ୍ତଙ୍କ ମନକୂ ଗଭୀର ଭାବେ ଛୁଇଁ ନେଇଛି । ଯାହାବି ପଚାରିଲେ ମୁରୁକେଇକି ହସି ଦେଇଥାନ୍ତି ବାବା ଆଉ ବଡ ବଡ ସାଧୁ ସନ୍ଥଙ୍କ ଭଳି ଜ୍ଞାନ ବାଣ୍ଟିଥାନ୍ତି ।

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଲକ୍ଷ ଲକ୍ଷ ଭକ୍ତ ଆସି ଏହି ଆଧ୍ୟାତ୍ମିକ ସମାବେଶରେ ଯୋଗ ଦେଇଛନ୍ତି । ବିଶ୍ୱର କୋଣ ଅନୁକୋଣରୁ କେତେ କେତେ ସାଧୁ, ସନ୍ଥ ଏଠାକୁ ଛୁଟି ଆସିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ବାବା କିନ୍ତୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛନ୍ତି । ତାଙ୍କର ପୂର୍ବ ଜୀବନୀର କାହାଣୀ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଜୀବନରେ ଏତେ ସଫଳତା ପାଇବା ପରେ ବି, ଏ ଯୁବ ବୟସରେ ସେ ଭକ୍ତିର ମାର୍ଗକୁ ସର୍ବଶ୍ରେଷ୍ଠ ବୋଲି ଚିନ୍ତା କରିବା ସହ ଏହି ମାର୍ଗରୁ ସବୁଦିନ ପାଇଁ ବାଛି ନେଇଛନ୍ତି ।

ଏହି ବାବା ଜଣକ ହେଉଛନ୍ତି ଜଣେ ଆଇଆଇଟିଆନ୍ । ବମ୍ବେ ଆଇଆଇଟିରୁ ଇଂଜିନିୟରିଂ ପାଠ ପଢ଼ିଛନ୍ତି । ବେଡ ବଡ଼ ଚାକିରି କରି ବିଳାଶପୂର୍ଣ୍ଣ ଜୀବନ ବିତାଇବା ପରିବର୍ତ୍ତେ ସେ କିନ୍ତୁ ସଂସାରର ସବୁ ସୁଖକୁ ପଛରେ ପକାଇ ପାଲଟି ଯାଇଛନ୍ତି ବାବା । ନାଁ ତାଙ୍କର ଅଭୟ ସିଂ । କିନ୍ତୁ ବାବା ହେବା ପରେ ତାଙ୍କ ନାଁକୁ ବଦଳାଇ ସେ ରଖିଛନ୍ତି ମଶାଣି ଗୋରଖ ବାବା । କେହି କେହି ତାଙ୍କୁ ରାଘବ ଓ ଜଗଦୀଶ ବାବା ମଧ୍ୟ ଡାକୁଛନ୍ତି । କିନ୍ତୁ ମହାକୁମ୍ଭରେ ଏହି ଆଇଆଇଟି ବାବା ଭାବେ ବେଶ୍ ପରିଚିତ ହୋଇଯାଇଛନ୍ତି ।

ଏକ ସାକ୍ଷାତକାରରେ ଅଭୟ କହିଛନ୍ତି ଯେ, ସେ କିପରି ତାଙ୍କର ଆଧ୍ୟତ୍ମିକତା ପାଇଁ ତାଙ୍କର ପୂର୍ବ ଜୀବନ ତ୍ୟାଗ କରିଛନ୍ତି । ସେ ଆଇଆଇଟି ବମ୍ବେରୁ ଏରୋସ୍ପେସ୍ ଇଞ୍ଜିନିୟର ଭାବେ ଡିଗ୍ରୀ ହାସଲ କରିବା ସହ କଲେଜରେ ପଢୁଥିବା ବେଳେ ପ୍ଲେସମେଣ୍ଟରେ କର୍ପୋରେଟର ଦୁନିଆରେ ବି ପାଦ ଥାପିଥିଲେ । ଏହାପରେ ସେ ଫଟୋଗ୍ରାଫି ପ୍ରତି ନିଜର ରୁଚି ରଖି ଇଞ୍ଜିନୟର ଜୀବନରୁ ଦୁରେଇ ଯାଇଥିଲେ । ଏହାମଧ୍ୟରେ ସେ ନିଜର ଏକ କୋଚିଂସେଣ୍ଟର ଖୋଲି ପିଲାଙ୍କୁ ଭୌତିକ ବିଜ୍ଞାନ ମଧ୍ୟ ପଢାଇଥିଲେ । ତଥାପି ଜୀବନରେ ସେ ଚାହୁଁଥିବା ପରିପୂର୍ଣ୍ଣତା ପାଇପାରିନଥିଲେ । ହାପରେ ଭକ୍ତି ମାର୍ଗରେ ଆଗେଇଥିଲେ ଅଭୟ ।

ଭଗବାନ ଶିବଙ୍କ ପ୍ରତି ସମର୍ପିତ ବାବା ଅଭୟ ସିଂ । ସେ ବୁଝି ସାରିଛନ୍ତି ମଣିଷ ଯେତେ ପଥ ଅତିକ୍ରାନ୍ତ କଲେ ବି ଶେଷ ପଥ ହେଉଛି ଆଧ୍ୟାତ୍ମିକତାର ପଥ । ତେବେ ଯିଏ ବି ତାଙ୍କର ଏ କାହାଣୀ ଶୁଣୁଛି ସେ ଚକିତ ହୋଇଯାଉଛି । ଏଭଳି ଭାବେ ନିଜ ଜୀବନର ମୋଡକୁ ବଦଳାଇ ଦେଇଛନ୍ତି ଏ ଯୁବକ । ସାଂସାରିକ ଜୀବନରୁ ମୋହ ମାୟା ଛାଡି ବୈରାଗ୍ୟ ଭାବରେ ହିଁ ସେ ଏବେ ସାରା ଜୀବନ କାଟିବେ । ଯାହାକୁ ନେଇ ଏବେ ଚର୍ଚ୍ଚା ସାରା ବିଶ୍ୱରେ ।

You might also like