‘ମଦର୍ସ ମାର୍କେଟ୍’ : ଏଠାରେ ସବୁ ଦୋକାନରେ ମହିଳା ବ୍ୟବସାୟୀ

ଏକ ଏଭଳି ବଜାର ଯେଉଁଠି ଦେଖିବାକୁ ମିଳନ୍ତି ନି ଜଣେ ବି ପୁରୁଷ ଦୋକାନୀ । ଏକ ମାର୍କେଟ୍ ଯେଉଁଠି ସବୁ ଦୋକାନୀ ଜଣେ ଜଣେ ମହିଳା । ବଜାରର ଏ ମୁଣ୍ଡରୁ ସେ ମୁଣ୍ଡ ଯେଉଁ ଦୋକାନକୁ ଦେଖିଲେ ସବୁଠି ମହିଳା । ମଣିପୁର ଇମ୍ଫାଲରେ ଥିବା ଏହି ମାର୍କେଟର ନାଁ ହେଉଛି ମଦର୍ସ ମାର୍କେଟ୍ । ଏହି ବଜାରକୁ ଆପଣ ଯେବେ ଆସିବେ ଏଠି ପାଖାପାଖି ୪ ହଜାର କୋଦାନ ଦେଖିବେ । ଯେଉଁଠି ଦୋକାନୀମାନେ କେବଳ ମହିଳା । ଏହି ସମସ୍ତ ମହିଳା ଏହି ଦୋକାନରୁ ହିଁ ନିଜ ପରିବାରର ପେଟ ପୋଷନ୍ତି ।
ଇମ୍ଫାଲ ମଦର୍ସ ମାର୍କେଟରେ କୌଣସି ପୁରୁଷ ଦୋକାନ ଖୋଲିବା ମନା । ଏହାକୁ ଏସିଆର ସବୁଠୁ ବଡ ମହିଳା ବଜାର କୁହାଯାଏ । ଯେଉଁଠିକୁ ପ୍ରତ୍ୟୋକ ଦିନ ହଜାର ହଜାର ଲୋକ ପହଞ୍ଚିଥାନ୍ତି ମାର୍କେଟିଂ ପାଇଁ । ଆଉ ନିଜ ମନପସନ୍ଦର ପ୍ରତ୍ୟୋକ ଜିନିଷ ଏଠାରୁ କିଣି ନିଅନ୍ତି । ସେ ପୂଜା ସାମଗ୍ରୀ ହେଉ କି ଘର ପାଇଁ ସଉଦା କି ପନିପରିବା ଯାହା ଏଠି ଆପଣ ଖୋଜିବେ ପାଇଯିବେ । କେବଳ ସେତିକି ନୁହେଁ ଏଠାରେ କପଡ଼ା, ମଣିପୁରୀ ପାରମ୍ପରିକ ଜିନିଷ, ନିତ୍ୟ ବ୍ୟବହାର୍ୟ୍ୟ ଜିନିଷ ବି ଉପଲବ୍ଧ ।
ଏହି ମାର୍କେଟ ଆଜିର ନୁହେଁ, ଏହାର ଇତିହାସ ଖୁବ ପୁରୁଣା । ରାଜା ମହାରାଜ କାଳରୁ ଏହି ବଜାର ଚାଲି ଆସୁଛି । କୁହାଯାଏ ଆଜିକୁ ୫୦୦ ବର୍ଷ ପୂର୍ବରୁ ଏହି ମାର୍କେଟ୍ ଆରମ୍ଭ ହୋଇଥିଲା । ସେବେଠୁ ଏପର୍ୟ୍ୟନ୍ତ ସେହି ଢଙ୍ଗରେ ଏହି ମାର୍କେଟ୍ ଚାଲି ଆସୁଛି।
ବଜାରକୁ ନେଇ ଏଠାକାର ଲୋକଙ୍କ କହିବା କଥା ଆଗରୁ ଏଠାରେ ଲୈଲପ ନାମକ ପରମ୍ପରା ଚାଲୁଥିଲା ।
ଏଥିପାଇଁ ମୈଥି ସମୁଦାୟର ପୁରୁଷଙ୍କୁ ରାଜାଙ୍କ ଦରବାରରେ କାମ କରିବାକୁ ପଡୁଥିଲା । ସେଥିପାଇଁ ଘର ସମ୍ଭାଳିବାର ସବୁ ଦାୟିତ୍ୱ ଆସିଯାଉଥିଲା ଘରର ମହିଳାଙ୍କ ଉପରକୁ । ସେହି ଦିନଠାରୁ ସ୍ଥାନୀୟ ମହିଳା ଏହି କାମ ଗୋଟିଏ ପୀଢିରୁ ଆଉ ଗୋଟିଏ ପୀଢ ପର୍ୟ୍ୟନ୍ତ ଦଶନ୍ଧି ଦଶନ୍ଧି ଧରି କରି ଆସୁଛନ୍ତି । ରାଜା ମହାରାଜ ଆଉ ନାହାନ୍ତି ହେଲେ ବଜାର ଆଜି ବି ପୂର୍ବଭଳି । ଏହି ବଜାରର କିଛି ନିୟମ ବି ରହିଛି । ଯେମିତି କି ଏହି ବଜାରରେ କେବଳ ବିବାହିତ ମହିଳା ହିଁ ଦୋକାନ ଖୋଲି ପାରିବେ । ଏଠାରେ ଦୋକାନ ଖୋଲିଥିବା ମହିଳା ବାର୍ଷିକ ୭୦ ହଜାରରୁ ୨ ଲକ୍ଷ ପର୍ୟ୍ୟନ୍ତ ରୋଜଗାର କରିଥାନ୍ତି।