ଜେସିବି ମାଡ଼ରେ ହେଲା ନାଗର ମୃତ୍ୟୁ, ମୃତଦେହ ପାଖରେ ଘଣ୍ଟା ଘଣ୍ଟା ଧରି ବସିରହିଲା ନାଗୁଣୀ

ରାସ୍ତା ଉପରେ ଜଗିଛି ନାଗୁଣୀ । ପାଖରେ ପଡ଼ିଛି ନାଗର ମୃତଦେହ । ଦେଖିଲେ ଦେହ ଥରି ଉଠୁଛି । ହେଲେ ଏହା ପଛର କାହାଣୀ ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ । କୁହାଯାଏ ପ୍ରେମର କୌଣସି ସୀମା ନାହିଁ । ପ୍ରେମ ପାଇଁ କିଏ କଣ ନକରେ । ଖାଲି ଯେ ମଣିଷମାନେ ପ୍ରେମ କରିପାରନ୍ତି ତା’ ନୁହେଁ । ଜୀବଜନ୍ତୁଙ୍କ ମଧ୍ୟରେ ବି ଦେଖିବାକୁ ମିଳେ ପ୍ରେମର ପରାକାଷ୍ଠା । ଠିକ୍ ଯେମିତି ଏ ନାଗ ନାଗୁଣୀଙ୍କ ମଧ୍ୟରେ ରହିଛି ।

ମୃତ୍ୟୁ ପରେ ବି ନିଜ ସାଥୀଙ୍କୁ ଛାଡିବାକୁ ନାରାଜ ଏହି ନାଗୁଣୀ । ନିଜେ ଆହତ ହେବା ପରେ ବି ସେମିତି ଚାହିଁ ରହିଛି ନିଜ ସାଥୀର ମୃତ ଶରୀରକୁ । କେମିତି ବା ରହିବ ଦୀର୍ଘ ୧୭ ବର୍ଷ ହେବ ଉଭୟ ଏକାଠି ରହୁଥିଲେ । ହେଲେ ଆଜି ମୃତ୍ୟୁ ଆଗରେ ହାର ମାନିଛି ପ୍ରେମ । ଏ ନିଷ୍ଠୁର ମଣିଷ କେଉଁଠି ଥିଲା କେଜାଣି, ଜେସିବିରେ ନେଇଗଲା ନାଗର ଜୀବନ ଅନ୍ୟପଟେ ନାଗୁଣୀ ମଧ୍ୟ ଆହତ ।

ଏମାନେ ସିନା କିଛି କହି ପାରୁନାହାନ୍ତି, ହେଲେ ମନେ ମନେ ଭାବୁଥିବେ ଆଉ କହୁଥିବେ କାହିଁକି ଆମ ଦୁଇ ଜଣକୁ ଅଲଗା କରିଲ । ହଁ ଆଜ୍ଞା ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରୁ ସାମ୍ନାକୁ ଆସିଛି ଏପରି ଏକ ହୃଦୟସ୍ପର୍ଶୀ ଘଟଣା । ଏକ ନାଗ ନାଗୁଣୀଙ୍କ ପ୍ରେମ ଓ ବିଚ୍ଛେଦର କାହାଣୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ସାଉଁଟୁଛି । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା କ’ଣ…

ମିଳିଥିବା ସୂଚନା ଅନୁଯାୟୀ ଛତ୍ରୀ ଗାଁର ଜଣେ ଚାଷୀଙ୍କ କ୍ଷେତ୍ରରେ ସଫେଇ କାର୍ଯ୍ୟ ଚାଲିଥିଲା । ଏହି କାମ ପାଇଁ JCB ମେସିନ୍ ସ୍ଥାପିତ ହୋଇଥିଲା । ଜେସିବି ମେସିନ୍ ଦ୍ରୁତ ଗତିରେ କାମ କରୁଥିଲା । ଏହି ସମୟରେ, ଏକ ଗାତ ଭିତରେ ଥିବା ନାଗ ନାଗୁଣୀ ଯୋଡି ଜେସିବି ବର୍ଚ୍ଛା ଦ୍ବାରା ଆହତ ହେବା ପରେ ବାହାରକୁ ଆସିଥିଲା । ଦୁର୍ଭାଗ୍ୟବଶତ, ଜେସିବି ଦ୍ବାରା ଆଘାତ ପାଇବା ପରେ ଘଟଣାସ୍ଥଳରେ ହିଁ ନାଗ ମୃତ୍ୟୁ ବରଣ କରିଥିଲା । ଏହି ଘଟଣାରେ ନାଗୁଣୀଟି ମଧ୍ୟ ଗୁରୁତର ଆହତ ହୋଇଥିଲା ।

ଏହି ଘଟଣା ପରେ ମେସିନ୍ ଅପରେଟର କାମ ବନ୍ଦ କରିଦିଆଯାଇଥିଲା । ଏହାପରେ ସାପ ଧରାଳି ସଲମାନ ପଠାନଙ୍କୁ ତୁରନ୍ତ ଡକାଯାଇଥିଲା । ଏହି ଖବର ଛାଡିଆଡେ ପ୍ରସାରିତ ହେବା ପରେ ଘଟଣାସ୍ଥଳରେ ଲୋକମାନେ ଏକତ୍ରିତ ହୋଇଥିଲେ । ଘଟଣାସ୍ଥଳରେ ପହଞ୍ଚିଥିବା ପରେ ସାପ ଧରାଳି ସଲମାନ ପଠାନ ଯେତେ ଚେଷ୍ଟା କରିଥିଲେ ମଧ୍ୟ ନାଗୁଣୀଟି ନଗର ମୃତଦେହ ଛାଡିବାକୁ ପ୍ରସ୍ତୁତ ନଥିଲା । ବହୁତ କଷ୍ଟରେ ସେ ନାଗୁଣୀକୁ ସେହି ସ୍ଥାନରୁ ବାହାର କରି ତାର ଚିକିତ୍ସା କରିଥିଲେ ।

ସଲମାନ ପଠାନ କହିଛନ୍ତି ଯେ ନାଗୁଣୀ ସୁସ୍ଥ ହେବା ମାତ୍ରେ ଏହାକୁ ସୁରକ୍ଷିତ ଭାବରେ ଜଙ୍ଗଲକୁ ଛାଡି ଦିଆଯିବ । ସ୍ଥାନୀୟ ଲୋକଙ୍କ ଅନୁଯାୟୀ ଏହି ନାଗ ନାଗୁଣୀ ଯୋଡି ଦୀର୍ଘ ୧୭ ବର୍ଷ ଧରି ଏକାଠି ରହୁଥିଲେ । ଶୀତ ଋତୁରେ ଏହି ଜୀବମାନଙ୍କ ପାଇଁ ଖୁବ ସାଂଘାତିକ, ସେଥିପାଇଁ ସେମାନେ ଗାତ କିମ୍ବା ଖାଲରେ ବାସ କରନ୍ତି । ତେବେ ନାଗର ମୃତ୍ୟୁ ଏବଂ ନାଗୁଣୀ ଆହତ ଘଟଣାରେ ଖୁବ୍ ମର୍ମାହତ ହୋଇଛନ୍ତି ସ୍ଥାନୀୟ ଲୋକେ ।