ପାର୍ସୀ ଧର୍ମର ଅନ୍ତିମ ସଂସ୍କାର ଉପରେ ଆପତ୍ତି ଉଠାଇଲେ ସରକାର! ସୁପ୍ରିମ୍‌ କୋର୍ଟରେ ପହଞ୍ଚିଲା ମାମଲା; ଜାଣନ୍ତୁ କେଉଁ ଉପାୟରେ ହୋଇଥାଏ ଶବ ସତ୍କାର?

ପ୍ରତ୍ୟେକ ଧର୍ମ, ସମ୍ପ୍ରଦାୟରେ ବିବାହଠାରୁ ଆରମ୍ଭ କରି ଅନ୍ତିମ ସଂସ୍କାର ରୀତିନୀତି ପର୍ଯ୍ୟନ୍ତ, ସବୁଥିରେ ନିଜସ୍ୱ ପଦ୍ଧତି ଏବଂ ନୀତି, ନିୟମ ରହିଛି। ଯେମିତି କି, ହିନ୍ଦୁ ଏବଂ ଶିଖ ଧର୍ମରେ ମୃତ ଶରୀରର ଦାହ ସଂସ୍କାର କରାଯାଏ। କିନ୍ତୁ ମୁସଲମାନ ଏବଂ ଖ୍ରୀଷ୍ଟିଆନମାନେ ମୃତ ଶରୀରକୁ ପୋତି ସମାଧି ଦେଇ ଥାଆନ୍ତି। କିନ୍ନରମାନଙ୍କର ମଧ୍ୟ ଅନ୍ତିମ ସଂସ୍କାର କରିବାର ନିଜସ୍ୱ ଖାସ୍‌ ଉପାୟ ରହିଛି। ସେଠି ପାର୍ସୀ ଧର୍ମର ଲୋକେ ବହୁତ ଅଜବ ଉପାୟରେ ମୃତ ଲୋକର ଅନ୍ତିମ ସଂସ୍କାର କରି ଥାଆନ୍ତି। କରୋନା ମହାମାରୀ ସମୟରେ ସରକାର ପାର୍ସୀ ଧର୍ମାବଲମ୍ବୀମାନଙ୍କର ଏହି ଖାସ୍‌ ତରିକା ଉପରେ ଆପତ୍ତି ଉଠାଇଛନ୍ତି, ଯାହା ଫଳରେ କି, ଏହି ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି।

କ’ଣ କହିଛନ୍ତି ସରକାର

କେନ୍ଦ୍ର ସରକାର କହିଛନ୍ତି ଯେ କୋଭିଡ ରୋଗୀଙ୍କ ମୃତ୍ୟୁ ପରେ ତାଙ୍କ ଅନ୍ତିମ ସଂସ୍କାର ରୀତିନୀତି ଠିକ୍ ଢଙ୍ଗରେ କରାଯିବା ଉଚିତ, ଯେପରି ଏଥରୁ ସଂକ୍ରମଣ ନ ବ୍ୟାପିବ। ଏଥିପାଇଁ ମୃତ ଶରୀରକୁ ପୋଡ଼ି ଦିଆଯିବା ଉଚିତ ନ ହେଲେ ପୋତି ଦିଆଯିବା ଉଚିତ୍। କାହିଁକି ନା, କୋଭିଡ ସଂକ୍ରମିତ ରୋଗୀଙ୍କ ମୃତଦେହ ପରିବେଶ, ପଶୁଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି। ଏହା ଉପରେ ସୁପ୍ରିମକୋର୍ଟ କହିଛନ୍ତି କି, ଅନ୍ତିମ ସଂସ୍କାରର SOP (ପ୍ରୋଟୋକଲ)ରେ ପରିବର୍ତ୍ତନ କରିବା ଉପରେ ପୁଣିଥରେ ବିଚାର କରିବା ପାଇଁ ଆବେଦନକାରୀ ଏବଂ ପାର୍ସୀ ଧର୍ମର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଏକ ବୈଠକ କରାଯିବା ଉଚିତ, ଯେପରି ଧାର୍ମିକ ଭାବନା ଆଘାତପ୍ରାପ୍ତ ହେବ ନାହିଁ ଏବଂ ସାର୍ବଜନିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ କିଛି ପ୍ରଭାବ ପଡ଼ିବ ନାହିଁ।

ପାର୍ସୀ ଧର୍ମର ଅନ୍ତିମ ସଂସ୍କାରର ନିୟମ କ’ଣ

ପାର୍ସୀ ଧର୍ମରେ ‘ଟାୱାର ଅଫ୍ ସାଇଲେନ୍ସ’ରେ ଅନ୍ତିମ ସଂସ୍କାର କରାଯାଇଥାଏ। ଏହାକୁ ‘ଦୋଖମେନାଶିନୀ ବା ଦଖମା’ ବୋଲି କୁହାଯାଏ। ଏହା ଏକ ସ୍ୱତନ୍ତ୍ର ଗୋଲାକାର ସ୍ଥାନ ହୋଇଥାଏ, ଯାହା ଭିତରେ ମୃତଦେହକୁ ଖୋଲା ଆକାଶ ତଳେ ହିଁ ଛାଡ଼ି ଦିଆଯାଇଥାଏ। ଏହାପରେ ଶାଗୁଣାମାନେ ସେହି ଶବକୁ ସେବନ କରି ଥାଆନ୍ତି। ପାର୍ସୀ ଧର୍ମରେ ଅନ୍ତିମ ସଂସ୍କାରର ଏହି ପରମ୍ପରା ୩ ହଜାର ବର୍ଷରୁ ଅଧିକ ପୁରୁଣା ଏବଂ ଏହି ଲୋକମାନେ କୋଭିଡ୍‌ କାଳରେ ମଧ୍ୟ ପରମ୍ପରା ଜରିଆରେ ଅନ୍ତିମ ସଂସ୍କାର କରିବାକୁ ଚାହୁଁଛନ୍ତି। ପାର୍ସୀ ଧର୍ମରେ ପୃଥିବୀ, ଜଳ ଏବଂ ଅଗ୍ନି ତତ୍ତ୍ୱକୁ ବହୁତ ପବିତ୍ର ବୋଲି ବିବେଚନା କରାଯାଏ। ତେଣୁ ମୃତ ଶରୀରକୁ ଜଳାଇବା, ପାଣିରେ ବୁହାଇବା କିମ୍ବା ମାଟିରେ ପୋତି ଦେବା ଦ୍ୱାରା ଏହି ତିନୋଟି ତତ୍ତ୍ୱ ଅଶୁଦ୍ଧ ହୋଇଯାଏ ବୋଲି ସେମାନଙ୍କର ବିଶ୍ୱାସ ରହିଛି। ହେଲେ ଅନ୍ୟପକ୍ଷରେ ଶାଗୁଣାଙ୍କ ସଂଖ୍ୟା ହ୍ରାସ ପାଇବା କାରଣରୁ ଗତ କିଛି ବର୍ଷ ହେବ ଏହି ଧର୍ମର ଲୋକମାନଙ୍କୁ ଅନ୍ତିମ ସଂସ୍କାର କରାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। କହି ରଖୁଛୁ କି, ବିଶ୍ୱରେ ପାର୍ସୀ ଧର୍ମର ମୋଟ ଜନସଂଖ୍ୟା ୧ ଲକ୍ଷ ପାଖାପାଖି ରହିଛି, ଯେଉଁଥିରୁ ୬୦ ହଜାରରୁ ଅଧିକ ପାର୍ସୀ କେବଳ ମୁମ୍ବାଇରେ ରହୁଛନ୍ତି। ଏଠାରେ ମଧ୍ୟ ସାଇଲେନ୍ସ ଅଫ୍‌ ଟାୱାର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.