ଆସୁଛି ସ୍ୱାଧୀନତା ଦିବସ, ତ୍ରିରଙ୍ଗା ପତାକା ସିଲେଇରେ ଲାଗିଛନ୍ତି ମିଶନ ଶକ୍ତି ମହିଳା

ଆଉ ଦିନ କେଇଟା ପରେ ସ୍ୱାଧୀନତା ଦିବସ । ଏନେଇ ଆଜାଦୀ କା ଅମୃତ ମହୋତ୍ସବ ଅଧିନରେ ସାରା ରାଜ୍ୟ ବ୍ୟାପୀ ହର ଘର ତ୍ରିରଙ୍ଗା ଅଭିଯାନ ଅନୁଷ୍ଠିତ ହେବ । ଦେଶ ସ୍ୱାଧିନତାର ୭୮ ବର୍ଷ ପାଳନ ଅବସରରେ ଅଗଷ୍ଟ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଘରେ ତ୍ରିରଙ୍ଗା ପତାକା ଉଡାଇ ଭାରତର ସ୍ୱାଧିନତା ଦିବସ ପାଳିବାକୁ ଉତ୍ସାହିତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ।

ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡିଠାରେ ମିଶନ ଶକ୍ତିର ମହିଳାମାନଙ୍କ ଦ୍ୱାରା ସିଲେଇ କରାଯାଉଛି ତ୍ରିରଙ୍ଗା ପତାକା । ଚମାଖଣ୍ଡି ପଞ୍ଚାୟତର ଧରିତ୍ରୀ ଉତ୍ପାଦକ ଗୋଷ୍ଠୀର ମହିଳାମାନଙ୍କ ଦ୍ୱାରା ସିଲେଇ ଚାଲିଛି ତ୍ରିରଙ୍ଗା ପତାକା । ଗୋଷ୍ଠୀର ୩୦ ଜଣ ମହିଳା ଲାଗି ପଡିଛନ୍ତି ଏହି କାମରେ । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାୟ ୨୪ଟି ବ୍ଲକ ସ୍ତରୀୟ ମହାସଂଘ ଓ ଗୋଟିଏ ଜିଲ୍ଲା ସ୍ତରୀୟ ମହାସଂଘ ର ୧୦୦ ଟେଲରିଂ ୟୁନିଟକୁ ୪ ଲକ୍ଷ ୫୦ ହଜାର ତ୍ରିରଙ୍ଗା ପତାକା ସିଲେଇ କରିବା ପାଇଁ ଦିଆଯାଇଛି ।

ତେଣୁ ଛତ୍ରପୁର ବ୍ଲକର ମୋଟ ୪ଟି ପିଜି ଗ୍ରୁପର ୪ଟି ଟେଲରିଂ ୟୁନିଟର ସଦସ୍ୟା ମାନେ ୧୬ ହଜାର ୬୬୭ ଟି ତ୍ରିରଙ୍ଗା ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି । ଚମାଖଣ୍ଡି ଠାରେ ଥିବା ଧରିତ୍ରୀ ଉତ୍ପାଦକ ଗୋଷ୍ଠୀର ୩୦ ଜଣ ମହିଳା ଏହି କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଆସନ୍ତା ୧୨ ତାରିଖ ସୁଦ୍ଧା ସେମାନେ ପ୍ରାୟ ୪ ହଜାର ତ୍ରୀରଙ୍ଗା ସିଲେଇ କରିବା ପାଇଁ ଲକ୍ଷ ରଖିଛନ୍ତି ।

ପୂର୍ବରୁ ଅଙ୍ଗନବାଡି ପିଲାଙ୍କ ପାଇଁ ୟୁନିଫର୍ମ ସିଲେଇ କରୁଥିବା ବେଳେ ସାରା ରାଜ୍ୟରେ ହେବାକୁ ଥିବା ଏହି ହର ଘର ତ୍ରିରଙ୍ଗା ଅଭିଯାନ ପାଇଁ ଜାତୀୟ ପତାକାକୁ ସିଲେଇ କରିବା ପାଇଁ ସେମାନେ ସୁଯୋଗ ପାଇଥିବାରୁ ରାଜ୍ୟ ସରକାର, ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଛତ୍ରପୁର ବ୍ଲକ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ମିଶନ ଶକ୍ତିର ସଦସ୍ୟାମାନେ । ଏହା ସହିତ ସେମାନଙ୍କୁ ବ୍ଲକ ସ୍ତରୀୟ ମହାସଂଘର ସଭାପତି ଓ ସମ୍ପାଦିକାମାନେ ସେମାନଙ୍କୁ ସହ ଯୋଗ କରୁଥିବାରୁ ସେମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ମହିଳା ମାନେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.