‘ଅପରେସନ ସିନ୍ଦୂର’ ଜରିଆରେ ଭାରତ ନେଲା ପହଲଗାମ୍ ପ୍ରତିଶୋଧ

ପହଲଗାମ୍ ପ୍ରତିଶୋଧ ପରେ ନୂଆ ସକାଳ ଦେଖିଲା ଭାରତ । ମଝି ରାତିରେ ପାକିସ୍ତାନୀ ଆତଙ୍କୀଙ୍କୁ ଖୋଜି ଖୋଜି ମାରିଛନ୍ତି ଭାରତୀୟ ସେନା । ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ୍ କରି ଶିବିର ଉଡାଇ ଦେଇଛନ୍ତି ଭାରତୀୟ ଯବାନ । ଆଉ ଏଥିସହ ଭାରତ ନେଇଛି ପହଲଗାମ୍ ହମଲାର ପ୍ରତିଶୋଧ । ଭାରତ ନେଲା ବଡ଼ ବଦଲା । ଅପରେସନ ସିନ୍ଦୂର । ଯାହା କେବଳ ଶତ୍ରୁ ପାଇଁ ଏକ ଚେତାବନୀ ନୁହେଁ ବରଂ ଭାରତୀୟ ମହିଳାଙ୍କ ବୀରତ୍ୱ, ତ୍ୟାଗ ଓ ଯନ୍ତ୍ରଣାର ପ୍ରତୀକ ।

ପହଲଗାମ ଆକ୍ରମଣରେ ଅନେକ ନବବିବାହିତଙ୍କ ସିନ୍ଦୂର ପୋଛିହୋଇ ଯାଇଥିଲା । ଯାହାର ଜବାବରେ ଲୁହ ଓ ଯନ୍ତ୍ରଣାର ପ୍ରତିଧ୍ୱନି ପାଲଟିଛି- ଅପରେସନ ସିନ୍ଦୂର । ୧୯୭୧ ଯୁଦ୍ଧ ପରେ ପାକିସ୍ତାନରେ ପ୍ରଥମ ଥର ପାଇଁ ୩ ଭାରତୀୟ ସେନାର ମିଳିତ ହମଲା । ୯ ଆତଙ୍କୀ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ । ଭାରତର ପରାକ୍ରମୀ ସେନା ପାକିସ୍ତାନର ୪ ଓ ପିଓକେର ୫ ଆତଙ୍କୀ ଠିକଣାକୁ ଟାର୍ଗେଟ କରିଛି । ଏୟାର ଷ୍ଟ୍ରାଇକରେ ଆତଙ୍କବାଦୀଙ୍କ ଆଡ୍ଡା ଛାରଖାର ।

୯ ଆଡ୍ଡାରେ ଆଟାକରେ ୯୦ ଆତଙ୍କବାଦୀଙ୍କ ମୃତ୍ୟୁ । ବହୁ ଆହତ ହୋଇଛନ୍ତି । ରାତି ପ୍ରାୟ ଗୋଟାଏ ୪୪ରେ ଆତଙ୍କବାଦୀ ବିରୋଧରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ଭାରତୀୟ ସେନା । ମୁରିଦକେ, ବାହାଲୱାପୁର, ଚକ ଅମ୍ରୁ, ଭିମ୍ବରେ, ଗୁଲପୁର, ସିଆଲକୋଟ ଓ ମୁଜାଫରବାଦର ଦୁଇଟି ସ୍ଥାନରେ ଏୟାର ଷ୍ଟ୍ରାଇକ କରିଥିଲା ଭାରତୀୟ ବାୟୁସେନା । ପାକିସ୍ତାନରେ ପ୍ରାୟ ଶହେ କିଲୋମିଟର ଭିତରେ ପଶି ଆଟାକ କରାଯାଇଛି । ବାହାଲପୁର ଅନ୍ତର୍ଜାତୀୟ ସୀମାରେଖା ଠାରୁ ପ୍ରାୟ ଶହେ କିମି ଦୂରରେ ।

ଏଠାରେ ଆତଙ୍କବାଦୀ ସଂଗଠନ ଜୈସ ଏ ମହମ୍ମଦର ମୁଖ୍ୟାଳୟ ରହିଛି । ଯାହାକି ମାସୁଦ ଆଝାର ଦ୍ବାରା ପରିଚାଳିତ । ସେହପିର ମୁରିଦକେରେ ଆତଙ୍କବାଦୀ ସଂଗଠନ ଲସକର-ଏ-ତୋଇବାର ମୁଖ୍ୟାଳୟ ରହିଛି । ଏହା ହାଫିଜ ସୟିଦ ଦ୍ବାରା ପରିଚାଳିତ । ଅପରେସନ ସିନ୍ଦୂରରେ ଭାରତ ପାକିସ୍ତାନ ଓ ପାକ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିଥିଲା । ଏଠାରେ ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପ୍ଲାନ କରାଯାଇଥିବାରୁ ଆଡ୍ଡାକୁ ଧ୍ବଂସ କରାଯାଇଛି ।

ଯାହାର ଅପରେସନ ସିନ୍ଦୂରର ମନିଟରିଂ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀରେ ରହି ପାକିସ୍ତାନ ଓ ପିଓକେରେ ଭାରତୀୟ ସେନାର ଅପରେସନ ସିନ୍ଦୂର ମନିଟରିଂ କରିଥିଲେ ପ୍ରଧାନମନ୍ତ୍ରୀ । ସିଡିଏସ, ବରିଷ୍ଠ ଗୁଇନ୍ଦା ଅଫିସର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ତାଙ୍କୁ ବାରମ୍ବାର ସ୍ଥିତି ସଂପର୍କରେ ଅବଗତ କରାଇଥିଲେ । ସ୍ଥଳ ସେନା, ବାୟୁସେନା ଓ ନୌସେନା ମୁଖ୍ୟଙ୍କ ସହ ଅପରେସନ ସିନ୍ଦୂର ନେଇ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ।

ଗତକାଲି ସଂଧ୍ୟାରୁ ବିଳମ୍ବିତ ରାତି ଯାଏ ସ୍ଥିତି ଉପରେ ନଜର ରଖାଯାଇଥିଲା । ଆଟାକରେ ଭାରତୀୟ ସେନା କାମିକାଜ ଡ୍ରୋନ ବ୍ୟବହାର କରିଥିଲେ । ସେପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ କହିଛନ୍ତି, ଭାରତ ପକ୍ଷରୁ ମିଲିଟାରୀ ଆଟାକ କରାଯାଇଛି । ପାକିସ୍ତାନ ଏହାର କଡ଼ା ଜବାବ ଦେବ । ଗତ ଏପ୍ରିଲ ୨୨ରେ ପହଲଗାମରେ ଆତଙ୍କୀ ହମଲାରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା । ଏହାର ପ୍ରାୟ ୨ ସପ୍ତାହ ପରେ ଅପେରସନ ସିନ୍ଦୂରରେ ଭାରତର ହମଲାର ପ୍ରତିଶୋଧ ନେଇଛି ।

Also read: ପାକିସ୍ତାନ ଛାତିରେ ଭାରତର ବଡ଼ ଏୟାରଷ୍ଟ୍ରାଇକ୍ , ୯ଟି ଆତଙ୍କୀ ଆଡ୍ଡାକୁ ଧ୍ବଂସ କଲା ‘ବ୍ରହ୍ମୋସ’