ଭାରତୀୟ ଯୁବକ କରିଦେଲେ କମାଲ! ଉଦ୍ଭାବନ କଲେ ୬ ସିଟର ଇଲେକ୍ଟ୍ରିକ୍‌ ବାଇକ୍‌; ଆନନ୍ଦ ମହିନ୍ଦ୍ରା ଭିଡିଓ ସେୟାର କରି କଲେ ପ୍ରଶଂସା

କୁହନ୍ତି, ‘ଆବଶ୍ୟକତା ହିଁ ଆବିଷ୍କାରର ଜନନୀ’। ଯଦି କାହା ପାଖରେ କୌଣସି ଆବଶ୍ୟକତା ଥାଏ, କିନ୍ତୁ ସମ୍ବଳ ନ ଥାଏ, ତା’ ହେଲେ ସେ ଏମିତି କିଛି ଆବିଷ୍କାର କରି ଦିଅନ୍ତି, ଯାହାକୁ ଦୁନିଆ ଦେଖି ଆଶ୍ଚର୍ଯ୍ୟ ହୋଇଯାଏ। ଠିକ୍‌ ଏମିତି ହିଁ ଏକ ଆବିଷ୍କାର କରି ଦୁନିଆବାସୀଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି ଜଣେ ଭାରତୀୟ ଯୁବକ ଏବଂ ତାଙ୍କର ସାଥୀ। ବର୍ତ୍ତମାନ ଯୁବକଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଯୁବକ ଜଣକ ଏକ ନିଆରା ଇଲେକ୍ଟ୍ରିକ୍‌ ବାଇକ୍‌ ତିଆରି କରିଛନ୍ତି, ଯାହା ଉପରେ ଏକାବେଳେ ଛଅ ଛଅଜଣ ଲୋକ ବସି ଯାତ୍ରା କରି ପାରିବେ।

ଉଦ୍ଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ଭାରତୀୟ ପ୍ରତିଭାକୁ ସବୁବେଳେ ପ୍ରୋତ୍ସାହନ ଦିଅନ୍ତି ଏବଂ ସାଧାରଣ ଲୋକଙ୍କ ସହ ଜଡ଼ିତ ପୋଷ୍ଟଗୁଡ଼ିକୁ ସୋସିଆଲ ମିଡିଆରେ ସେୟାର କରନ୍ତି। ନିକଟରେ ଆନନ୍ଦ ମହିନ୍ଦ୍ରା ଜଣେ ଯୁବକଙ୍କର ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଏକ ଖାସ୍‌ ପ୍ରକାରର ଗାଡ଼ି ଚଲାଉଥିବାର ଦେଖିବାକୁ ମିଳୁଛି। ଆପଣ ଏହି ଗାଡ଼ିକୁ ଇଲେକ୍ଟିକ୍‌ ବାଇକ୍‌ କିମ୍ବା ଅଟୋ ରିକ୍ସା ମଧ୍ୟ କହି ପାରିବେ। କାହିଁକି ନା, ଏହା ଉପରେ ଏକାଠି ୬ ଜଣ ଯାତ୍ରୀ ବସି ପାରିବେ।

ଆନନ୍ଦ ମହିନ୍ଦ୍ରା ଭିଡିଓ ସେୟାର କରି ଲେଖିଛନ୍ତି, ‘ଛୋଟମୋଟ ପରିବର୍ତ୍ତନ ପରେ ଏହି ଗାଡ଼ିକୁ ଗ୍ଲୋବାଲ ସ୍ତରରେ କାମରେ ଅଣାଯାଇ ପାରିବ। ୟୁରୋପର ଭିଡ଼ ରହୁଥିବା ପର୍ଯ୍ୟଟନସ୍ଥଳୀରେ ଗାଡ଼ିକୁ ଟୁର୍‌ ବସ୍‌ ଭଳି ବ୍ୟବହାର କରାଯାଇ ପାରିବ। ମୁଁ ସବୁବେଳେ ଗ୍ରାମୀଣ ଅଞ୍ଚଳରେ ଟ୍ରାନ୍ସପୋର୍ଟ ଆବିଷ୍କାରଗୁଡ଼ିକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛି’।

ଭିଡିଓରେ ଜଣେ ଯୁବକ ଗାଁରେ ଏକ ନିଆରା ବାଇକ୍‌ ଚଲାଉଥିବାର ଦେଖାଯାଉଛନ୍ତି। ବାଇକ୍‌ରେ ସେ ସବୁଠାରୁ ଆଗରେ ବସିଛନ୍ତି ଏବଂ ତାଙ୍କ ପଛରେ ୫ଟି ସିଟ୍‌ରେ ଅନ୍ୟ ୫ ଜଣ ବସିଛନ୍ତି। ଗାଡ଼ି ଆଗରେ ଏକ ଟାୟାର ଏବଂ ପଛରେ ଆଉ ଏକ ଟାୟାର ରହିଛି। ବାଇକ୍‌ ସାମ୍ନାରେ ଏଲ୍‌ଇଡି ଲାଇଟ୍‌ ମଧ୍ୟ ଲାଗିଛି। ଯୁବକ କହୁଛନ୍ତି କି, ବାଇକ୍‌କୁ ସେ ତିଆରି କରିଛନ୍ତି ଏବଂ ଏହାର ଦାମ୍‌ ରହିଛି ୧୨ ହଜାର ଟଙ୍କା। ଏହାକୁ ଚାର୍ଜ କଲେ ମାତ୍ର ୧୦ ଟଙ୍କା ଖର୍ଚ୍ଚ ହୋଇଥାଏ, ଯେତେବେଳେ କି, ସିଙ୍ଗଲ ଚାର୍ଜରେ ବାଇକ୍‌ ୧୫୦ କିଲୋମିଟର ପର୍ଯ୍ୟନ୍ତ ଚାଲିପାରିଥାଏ।

କିଛି ଲୋକ ଯୁବକଙ୍କର ନିଆରା ଆଇଡିଆକୁ ପ୍ରଶଂସା କରିଥିବା ବେଳେ ଆଉ କିଛି ଲୋକ ଏଥିରେ ଭୁଲ୍‌ ମଧ୍ୟ ବାହାର କରିଛନ୍ତି। ଜଣେ ବ୍ୟକ୍ତି କହିଛନ୍ତି, ଚିଡ଼ିଆଖାନା, ପାର୍କ, କର୍ପୋରେଟ୍‌ କମ୍ପ୍ଲେକ୍ସ ଭଳି ଜାଗାରେ ଏହି ଗାଡ଼ି ବହୁତ କାମରେ ଆସିପାରିବ। କିନ୍ତୁ ଭିଡ଼ ରାସ୍ତାରେ ଏହାକୁ ଚଲାଇବା ସୁରକ୍ଷିତ ନୁହେଁ। ଏହାର କାରଣ ହେଲା, ‘ଟର୍ଣ୍ଣିଂ ରେଡିୟସ୍‌, ବୁଲାଇବା ସମୟରେ ସେଣ୍ଟି୍ରଫ୍ୟୁଗଲ ସନ୍ତୁଳନ, ଖରାପ ରାସ୍ତାରେ ସସ୍‌ପେନସନ, ଜିନିଷ ରଖିବା ପାଇଁ ଜାଗାର ଅଭାବ ଏବଂ ଅଧିକ ଲୋଡ୍‌ରେ ବ୍ୟାଟେରୀର କମ୍‌ କ୍ଷମତା’। କହି ରଖୁଛୁ, ଏହି ଭିଡିଓକୁ ଏ ପର୍ଯ୍ୟନ୍ତ ୫ ଲକ୍ଷରୁ ଅଧିକ ଭ୍ୟୁଜ୍‌ ମିଳିସାରିଲାଣି ଏବଂ ଅନେକ ଲୋକ ଏଥିରେ ନିଜର ପ୍ରତିକ୍ରିୟା ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.