୨୧୧ ଫୁଟ୍ ଉଚ୍ଚତା ବିଶିଷ୍ଟ ଦେଶର ସବୁଠୁ ବଡ ରାବଣ, ଦେଖିଲେ ଆଖି ପାଇବନି…

ନୂଆଦିଲ୍ଲୀ: ଆସନ୍ତାକାଲି  ଦୁର୍ଗତୀନାଶିନୀ ମା’ ଦୁର୍ଗାଙ୍କ ଦଶହରା ବା ବିଜୟା ଦଶମୀ । ଗାଁଠୁ ନେଇ ସହର, ସବୁଠି ଦଶଭୂଜାଙ୍କ  ଆରାଧନା । ପବିତ୍ର ବିଜୟା ଦଶମୀରେ ପୀଠ ଓ ମଣ୍ଡପରେ ମା’ଙ୍କର ହେବ ମହାପୂଜା । ଏହି ଅବସରରେ  ବିଭିନ୍ନ ପୂଜା ମଣ୍ଡପରେ ରାବଣ ପୋଡ଼ିର ଆୟୋଜନ ମଧ୍ୟ କରାଯିବ । କାହିଁକିନା ଅସତ୍ୟ ଉପରେ ସତ୍ୟର ବିଜୟର ଉତ୍ସବ ରାବଣ ପୋଡ଼ି । ରାବଣର ଅହଙ୍କାରରେ ଲାଗିବ ନିଆଁ ।

କାହିଁ କେଉଁ କାଳରୁ ଚାଲି ଆସିଛି ଏହି ପରମ୍ପରା । ତେବେ ଦୁର୍ଗାପୂଜାକୁ ନେଇ ଜୋରଦାର ହେଲାଣି ସବୁ ପ୍ରସ୍ତୁତି । ଏହାରି ଭିତରେ ସବୁଠାରୁ ବଡ ଆକର୍ଷଣ ରାବଣ ପୋଡି । ରାବଣ ପୋଡିକୁ ନେଇ ଲୋକଙ୍କ ଭିତରେ ଉତ୍ସାହ କାହିଁରେ କେତେ । ତେବେ ରାବଣ ପୋଡି ପାଇଁ ଏବେ ତିଆରି ହୋଇଛି ଦେଶର ସବୁଠାରୁ ବଡ ରାବଣ । ଯାହାକୁ ଦେଖି ସମସ୍ତଙ୍କୁ ଉଡି ଯିବ ହୋସ୍ । ଏତେ ବଡ ରାବଣକୁ ଦେଖିବାକୁ ଆଖି ପାଇବନି ଆଜ୍ଞା ।

ଦିଲ୍ଲୀର ଦ୍ୱାରକା ସେକ୍ଟର ୧୦ ରେ ଏହି ରାବଣକୁ ଅବସ୍ଥାପିତ କରାଯାଇଛି । ଏହି ରାବଣର ଉଚ୍ଚତା ପ୍ରାୟ ୨୧୧ ଫୁଟ୍ । ଯାହାକି ଭାରତର ସବୁଠାରୁ ଉଚ୍ଚ ରାବଣ ଭାବରେ ପରିଗଣିତ ହୋଇଛି । ଏଥିପାଇଁ ଲାଗିଥିଲେ ପ୍ରାୟ ୪୦ ଜଣ କାରିଗର । ଦିନ ରାତି ଏକ୍ କରି ତିଆରି କରିବାରେ ଲାଗିପଡିଥିଲେ ଏହି ବିରାଟକାୟ ରାବଣର ପ୍ରତିମୂର୍ତ୍ତୀକୁ । ତେବେ ସୂଚନା ଥାଉକି ଏହି ପ୍ରତିମୂର୍ତ୍ତୀକୁ ତିଆରି କରିବାକୁ କାରିଗରମାନଙ୍କୁ ଲାଗିଥିଲା ୪ମାସ ସମୟ । ପ୍ରାୟ ୩୦ଲକ୍ଷ ଟଙ୍କା ବଜେଟ୍ ଲାଗିଛି ଏହି ରାବଣର  ପ୍ରତିମୂର୍ତ୍ତୀକୁ ସଂପୂର୍ଣ୍ଣ କରିବା ପାଇଁ ।

ତେବେ ଦ୍ୱାରକା ଶ୍ରୀ ରାମ ଲୀଲା ସୋସାଇଟିର ସଂଗଠକ ରାଜେଶ ଗେହଲୋତ୍ କହିଛନ୍ତି ଯେ, ଏହି ରାବଣକୁ କାର୍ଯ୍ୟକ୍ଷମ କରିବା ପାଇଁ ଦୀର୍ଘ ଦିନ ସମୟ ଲାଗିଥିବାବେଳେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଛି । ଏଥର ଦ୍ୱାରାକାରେ ସବୁଠାରୁ ଉଚ୍ଚ ଏବଂ ସୁନ୍ଦର ରାବଣର ଚମତ୍କାର ଦେଖିବାକୁ ମିଳିବ । ଏହା ଲୁହାରେ ନିର୍ମିତ । ରାବଣଟିକୁ ଏକ ଭେଲଭେଟ ପୋଷାକରେ ସୁସସୁଜ୍ଜିତ କରାଯାଇଥିବାବେଳେ ଏହା ଏକ ଫାଇବର ଗ୍ଲାସର ମୁକୁଟ ପିନ୍ଧିଛି । ତେବେ ଏହି ରାବଣର ଉଚ୍ଚତା ୯୨ ଫୁଟ୍ ର ଅଯୋଧ୍ୟାର ରାମ ମନ୍ଦିରର ପ୍ରତିକୃତିର ଉଚ୍ଚତାଠାରୁ ବି ଆହୁରୀ ଅଧିକ । ତେବେ ଏହି ରାବଣ ପ୍ରତିମୂର୍ତ୍ତୀର ନିଚ୍ଚ ଭାଗ ବି ୧୦ ଫୁଟ୍ ଗଭୀର ଯାଏ ପୋତି ହୋଇ ରହିଛି ।

ତେବେ ସୂଚନା ଥାଉକି, ଦଶହରା ଦିନ ଏନେଇ ବିଭିନ୍ନ ସ୍ଥାନରେ ରାବଣ ପୋଡି ଦେଖିବାକୁ ମିଳିଥାଏ  । ଏହାକୁ ପାପ ଉପରେ ପୂର୍ଣ୍ଣ୍ୟର ବିଜୟର ପର୍ବ ବୋଲି କୁହାଯାଇଥାଏ । ହେଲେ ଦିଲ୍ଲୀର ଦ୍ୱାରକା ସେକ୍ଟର ୧୦ ରେ ଏଭଳି ଏକ ବିରାଟକାୟ ରାବଣକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏହାକୁ ଦେଖିବାକୁ ପାଇଁ ହଜାର ହଜାର ଲୋକଙ୍କ ଭିଡ ଜମିବାଟା ସ୍ୱଭାବିକ ।