ବିଷାକ୍ତ ସରୀସୃପଙ୍କ ଠାରୁ ନିଜକୁ ରକ୍ଷା କରିବା ପାଇଁ ପାରମ୍ପରିକ ରୀତିନୀତିରେ ଆଦିବାସୀମାନେ ପାଳନ କଲେ ନାଗବାଚା ଯାତ୍ରା

କଣ୍ଟାମାଳ: ବିଷାକ୍ତ ସରୀସୃପଙ୍କ ଠାରୁ ନିଜକୁ ମୁକ୍ତ କରିବା ସହିତ ସେମାନଙ୍କର ସୁରକ୍ଷା ପାଇଁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଝିକେରପାଲିଠାରେ ଆଦିବାସୀଙ୍କ ପକ୍ଷରୁ ନାଗବାଚା ଯାତ୍ରା ଅନୁଷ୍ଠିତ ହୋଇଛି । ଛତ୍ର, ଢୋଲ ମହୁରୀ ସାଙ୍ଗକୁ ବଳି ଦେଇ ନାଗଦେବତାକୁ ଶାନ୍ତି କଲେ ବିଷାକ୍ତ ସରୀସୃପଙ୍କ କୋପରୁ ମୁକ୍ତି ମିଳିଥାଏ । ଏଭଳି ବିସ୍ୱାସ ନେଇ ଦୀର୍ଘ ବର୍ଷ ଧରି ଆଦିବାସୀ ମାନେ ପାଳନ କରୁଛନ୍ତି ନାଗଦେବତା ପୂଜା ।

ଏହା ହେଉଛି ଆଦିବାସୀଙ୍କ ଏକ ଭିନ୍ନ ପରମ୍ପରା । ପୌଷ ମାସର ସବୁ ସୋମବାର ଦିନ ଗାଁ ଗୁଡିକରେ ନାଗ ଦେବତା ଓ ମହାଦେବଙ୍କୁ ଭିନ୍ନ ଏକ ନିଆରା ପରମ୍ପରାରେ ପୂଜା କରିଥାନ୍ତି । ଶେଷ ସୋମବାର ଦିନ ଭକ୍ତମାନେ ଛତ୍ର, ପତାକା, ଢୋଲ, ମହୁରୀ ଧରି ନାଚି ନାଚି ଗାଁ ନିକଟସ୍ଥ ନାଗଦେବତା ଖଳାକୁ ଆସିଥାନ୍ତି। ସେଠାରେ ଦୀର୍ଘ ମାସ ଧରି ବରୁଆ ମାନେ ର୍ନିଜଲା ଉପବାସ ରହି ଠାକୁରଙ୍କୁ ବୋହି ନେଇଥାନ୍ତି । ନାଗ ଦେବତାଙ୍କୁ ବରୁଆ ମାନେ ନିମନ୍ତ୍ରଣ କରିବା ପରେ ପୂଜାର୍ଚନା ହୋଇଥାଏ ।

puja

ଢୋଲ ମହୁରୀ ଶବ୍ଦରେ ପୂଜାର୍ଚନା ହେବାପରେ ବରୁଆ ମାନଙ୍କ ଦେହରେ ନାଗ ଦେବତା ସବାର ହୋଇଥାନ୍ତି । ନାଗଦେବତା ସବାର ହେବା ପରେ ଛୁଟି ଆସନ୍ତି ଶହଶହ ମାନସିକ ଧାରୀ । ଆଉ ମା ନାଗଦେବତାଙ୍କ ଆଶିଷ ପାଇଲେ ବର୍ଷ ତମାମ ବିଷାକ୍ତ ସରୀସୃପଙ୍କ ଭୟ ନ ଥାଏ ବୋଲି ଭକ୍ତ ମାନଙ୍କ ମଧ୍ୟରେ ବିଶ୍ୱାସ ରହିଛି । ଏ ବିଶ୍ୱାସ ଆଜି କି କାଲିର ନୁହେଁ ଦୀର୍ଘ ବର୍ଷ ହେଲା ରହିଆସିଛି । ନାଗଦେବତାଙ୍କୁ ପୂଜା କରିବା ଦ୍ୱାରା ବିଭିନ୍ନ ପ୍ରଜାତିର ବିଷାକ୍ତ ସରୀସୃପ ଏବଂ ମନୁଷ୍ଯ ଜାତିର କୋଣସି କ୍ଷତି ହୋଇ ନ ଥାଏ ଏଭଳି ବିଶ୍ୱାସ ରହିଥିବାରୁ ଝିକେରପାଲି ଗ୍ରାମବାସି ନାଗଦେବତାଙ୍କୁ ନିଜର ଇଷ୍ଟଦେବୀ ଭାବି ପୂଜାର୍ଚନା କରିଥାନ୍ତି ବୋଲି କହିଛନ୍ତି ।

ଅନ୍ଯପଟେ ଭକ୍ତ ମାନେ ନିଜର ମାନସିକ ମୁତାବକ ନାଗଦେବତାଙ୍କ ପାଖରେ ପଶୁ ବଳି ଦେଇଥାନ୍ତି । ଏପଟେ ଏହି ପରମ୍ପରା କାହିଁ କେଉଁ କାଳରୁ ଲାଗି ରହିଥିବାବେଳେ ଲୋକେ ସାପ କିମ୍ବା ବିଷାକ୍ତ ସରୀସୃପ କାମୁଡ଼ିଲେ ଡାକ୍ତରଖାନା ନ ଯାଇ ବରୁଆ ପାଖକୁ ଆସିଥାନ୍ତି ବୋଲି କହିଛନ୍ତି । ଏହି ଯାତ୍ରା ଦେଖିବା ପାଇଁ ଆଖପାଖ ଅଞ୍ଚଳର ଶହ ଶହ ଭକ୍ତଙ୍କ ଭିଡ଼ ହେଉଥିବାବେଳେ ଅଞ୍ଚଳରେ ଏକ ପ୍ରକାର ଆଧ୍ୟତ୍ମିକ ପରିବେଶ ସୃଷ୍ଟି ହୋଇଥାଏ । ସମଗ୍ର କଂଟାମାଳ ଅଞ୍ଚଳରେ ଏହି ନଗଦେବତାଙ୍କୁ ମାନୁ ଥିବାରୁ ଅଞ୍ଚଳରେ ବିଷାକ୍ତ ସରୀସୃପଙ୍କ ସୁରକ୍ଷା ମଧ୍ୟ ହୋଇଥାଏ ବୋଲି କହିଛନ୍ତି ।

କଣ୍ଟାମାଳରୁ ଭର୍ଜନ କୁମାର ପ୍ରଧାନଙ୍କ ରିପୋର୍ଟ କେନ୍ୟୁଜ, ଓଡିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.