ଆଜି ଅନ୍ତରାଷ୍ଟ୍ରୀୟ ବୃଦ୍ଧ ଦିବସ, ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବରେ ଅଲୋଡ଼ା ହୋଇଯାଉଛନ୍ତି କି ଘରର ବୟସ୍କ

ଭୁବନେଶ୍ୱର ବରମୁଣ୍ଡା ଅଂଚଳର ବିଡିଏ କଲୋନୀ ଘର ନଂ ବି – ୨୩୨ । ଦୁଇ ମହଲାର ଏହି ଘରେ ରୁହନ୍ତି ଏକ ବୃଦ୍ଧ ଦମ୍ପତି । ଦୁହିଁଙ୍କ ବୟସ ୮୦ରୁ ଉର୍ଦ୍ଧ୍ବ ହେବ । ଅଶୀତିପର ବୟସରେ ବି ପାଖରେ ସାହାଭରସା ବୋଲି କେହି ନାହାନ୍ତି । ବୃଦ୍ଧ ଦମ୍ପତିଙ୍କର ପାଞ୍ଚ ସନ୍ତାନଙ୍କ ଭିତରେ ତିନି ପୁଅ ଓ ଦୁଇ ଝିଅ । ଦୁଇ ଝିଅ ବାହାହୋଇ ନିଜ ଶାଶୁ ଘରେ ଥିବା ବେଳେ ତିନି ପୁଅ ବି ଓଡିଶା ବାହାରେ ହିଁ ରୁହନ୍ତି । ଘରକୁ କାମ କରିବାକୁ ଆସୁଥିବା କାମବାଲୀ ଓ ଅନ୍ୟ କିଛି ବୋଲକରାଙ୍କ ସାହାରାରେ ହିଁ ଚଳନ୍ତି ଏହି ଦମ୍ପତି । ବର୍ଷକୁ ମୁସ୍କିଲରେ ଥରେ ଅଧେ ପୁଅ ଝିଅଙ୍କ ଦର୍ଶନ ମିଳେ । ତାହା ପୁଣି ନିଜ ସୁବିଧା ସୁଯୋଗ ଦେଖି ଆସନ୍ତି ସେମାନେ । ଥରେ ଭାବନ୍ତୁ ତ ଆଜି ଯଦି କିଛି ଅଘଟଣ ଘଟିଯାଏ, ତେବେ ଆହା ପଦେ କହିବାକୁ ପ୍ରଥମେ କିଏ ଦୌଡ଼ି ଆସିବ । କିଏ ଆସି ଛିଡ଼ା ହେବ ଏମାନଙ୍କ ପାଖରେ । ବିଦେଶରୁ ପୁଅ ଓ ଶାଶୁ ଘରୁ ଝିଅ ଆସିବା ବାଟ ଚାହିଁ ଆଖି ବୁଜିଦେବେନିତ ଏମାନେ । ଅକାଳରେ ବାପା ମା’ ଙ୍କୁ ହରାଇବା କାରଣରୁ ପରେ ପଶ୍ଚାତାପର ଶିକାର ହେବେ ନି ତ ସେମାନଙ୍କ ସେହି ବିଦେଶାଗତ ସନ୍ତାନ ମାନେ । ଏଥିରେ ଭୁଲ କାହାର । ଅଧିକ ରୋଜଗାର କରିବା ଲାଳସାରେ ପୁଅକୁ ବିଦେଶକୁ ପଠାଇଥିବା ବାପା, ମା’ଙ୍କର ନା ନିଜ ଦାୟିତ୍ୱ ଦାୟିତ୍ୱକୁ ଅଣଦେଖା କରି ଚାଲିଯାଇଥିବା ପୁଅ ଝିଅଙ୍କର ।
ପ୍ରତିବର୍ଷ ଅକ୍ଟୋବର ମାସ ୧ ତାରିଖକୁ “ଅନ୍ତରାଷ୍ଟ୍ରୀୟ ବୃଦ୍ଧ ଦିବସ” ରୂପେ ପାଳନ କରାଯାଇଥାଏ । ଭାରତୀୟ ପରମ୍ପରାରେ ଘରର ବୟସ୍କ ବ୍ୟକ୍ତି ମାନଙ୍କୁ ସମ୍ମାନ କରାଯିବାର ପରମ୍ପରା ରହିଛି । କିନ୍ତୁ କିଛି ବର୍ଷ ହେବ ପାଶ୍ଚାତ୍ୟ ସଂସ୍କୃତିରେ ପ୍ରଭାବିତ ହେବା କାରଣରୁ ପରମ୍ପରାରେ କିଛିଟା ପରିବର୍ତ୍ତନ ଆସିଛି । ଘରର ବୟସ୍କ ମାନେ ଏକ ଅଲୋଡା ବ୍ୟକ୍ତି ଭାବରେ ଗଣା ହେଉଛନ୍ତି । ବର୍ତ୍ତମାନ ସମୟରେ କର୍ମବ୍ୟସ୍ଥତା ପାଇଁ ହେଉ ଅବା ସ୍ଵାର୍ଥପରତା ପାଇଁ ହେଉ ଭାରତରେ ସଂଯୁକ୍ତ ପରିବାର ପରମ୍ପରା ଦିନକୁ ଦିନ ଲୋପ ହେବାରେ ଲାଗିଛି । ଘରର ପିଲାମାନେ ଜେଜେ, ଜେଜେ ମା’ଙ୍କ ସ୍ନେହ ପାଇବାରୁ ବଂଚିତ ହେଉଛନ୍ତି । ଆମେ ସମସ୍ତେ ମନେ ରଖିବା ଉଚିତ, ହୁଏତ ନିଜ ପରିଶ୍ରମ, କର୍ମତତ୍ପରତା ବଳରେ ଆମେ ଖୁବ ଧନଦୌଲତ କମାଇ ପାରୁ । କିନ୍ତୁ ଅନୁଭବ ଆମକୁ ଘରର ବୟସ୍କଙ୍କ ଠାରୁ ହିଁ ମିଳିଥାଏ ।
ଏହି ଦିଗ ପ୍ରତି ଅଧିକ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଅକ୍ଟୋବର ପହିଲାକୁ “ଅନ୍ତରାଷ୍ଟ୍ରୀୟ ବୃଦ୍ଧ ଦିବସ” ରୂପେ ପାଳନ କରାଯାଏ । “ହେଲ୍ପ ଏଜ ଇଂଟନ୍ୟାସନାଲ ନେଟୱର୍କ ଅଫ ଚାରିଟିଜ” ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ, ବର୍ତ୍ତମାନ ସମୟରେ ପ୍ରାୟ ୪୪ ପ୍ରତିଶତରୁ ଅଧିକ ବୟସ୍କ ବ୍ୟକ୍ତି ତାଙ୍କ ସହ ସାର୍ବଜନିକ ସ୍ଥାନ ମାନଙ୍କରେ ଦୁର୍ବ୍ୟବହାର କରାଯାଉଥିବା ନେଇ ମତ ରଖିଛନ୍ତି । ଯେବେକି ୫୩ ପ୍ରତିଶତ ବୟସ୍କଙ୍କ କହିବା ଅନୁଯାୟୀ, ସମାଜ ତାଙ୍କ ସହ ଭେଦଭାବ କରୁଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ବୟସ୍କଙ୍କୁ ନେଇ କରାଯାଇଥିବା ବିଶ୍ଵସ୍ଥରୀୟ ରାକିଙ୍ଗରେ ସ୍ଵିଜରଲ୍ୟାଣ୍ଡର ସ୍ଥାନ ସର୍ବୋଚ୍ଚରେ ଥିବା ବେଳେ ଭାରତର ସ୍ଥାନ କିନ୍ତୁ ଖରାପ ସ୍ଥିତିରେ ରହିଛି । ୯୬ ଦେଶଙ୍କୁ ନେଇ ଗ୍ଲୋବାଲ ଏଜ ୱାଚ ଇଣ୍ଡେକ୍ସରେ ଭାରତର ସ୍ଥାନ ୭୧
ତମ ରେ ରହିଛି ।
ଯାହାକି ଖୁବ ଚିନ୍ତାଜନକ ବିଷୟ । ଯେତେ ପୂଜାପାଠ କରି ଈଶ୍ୱରଙ୍କୁ ଭକ୍ତି କଲେ ମଧ୍ୟ ଯଦି ଘରର ବୟସ୍କଙ୍କୁ ହିଁ ଅସମ୍ମାନ କରାଯାଏ । ତେବେ ତାହାର ମୂଲ୍ୟ କିଛି ନଥାଏ । ଆଉ ଏକ ଦିଗରୁ ଦେଖିଲେ ଆମେ ଯେମିତି ବ୍ୟବହାର କରିବା, ଆମ ପିଲା ମାନେ ବି ଆମଠାରୁ ତାହାହିଁ ଶିଖିବେ । ସମୟ ଗଡ଼ିବା ସହିତ ଆମେ ବି ଦୁର୍ବ୍ୟବହାରର ହିଁ ଶିକାର ହେବା । ଆଉ ମଧ୍ୟ ଦେଖାଯାଉଛିଯେ, ନିଜ କାନ୍ଧରୁ ବୋଝ ହଟାଇବା ପାଇଁ ଘରର ବୟସ୍କ ମାନଙ୍କୁ ଅନେକ ଲୋକ ଵୃଦ୍ଧାଶ୍ରମରେ ଛାଡି ଦେଉଛନ୍ତି । ଏହି ଵୃଦ୍ଧାଶ୍ରମର ଆବଶ୍ୟକତା ଯେବେ କମିବ ସମାଜରେ ସୁଧାର ଆସିବ ।