ଆଜି ଅନ୍ତର୍ଜାତୀୟ ମହିଳା ଦିବସ, ଚଳିତ ବର୍ଷର ଥିମ ରହିଛି ‘ ଆକ୍ସିଲିରେଟ ଆକ୍ସନ’

ନାରୀ ସ୍ରଷ୍ଟାଙ୍କର ଏକ ଚମତ୍କାର ସୃଷ୍ଟି । ତାଙ୍କର ଏକ ଅବର୍ଣ୍ଣନୀୟ ସୃଜନଶୀଳତା । ନାରୀ ବିନା ସୃଷ୍ଟିର ପ୍ରତିଟି ଦିଗ ଯେପରି ଅସମ୍ପୂର୍ଣ୍ଣ । ନାରୀ, ତୁମେ ଅନନ୍ୟା, ଅନନ୍ଦିତା । ନାରୀ କେବେ ମା’ର ପଣତ କାନି ତ କେବେ ଭାଇ ହାତର ରାକ୍ଷୀ । କେବେ ପୁରୁଷର ଧର୍ମ ସଙ୍ଗିନୀ, ପୁଣି ତା’ର ସୁଖ ଦୁଃଖର ସାଥୀ । ନାରୀ ଘରର ଘରଣୀ, ପୁଣି ବୟସ ନିର୍ବିଶେଷରେ ଜନନୀ । ନାରୀ ସ୍ନେହମୟୀ, ସର୍ବଂସହା….

ମାର୍ଚ୍ଚ ୮କୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଏ । ମହିଳା ସଶକ୍ତୀକରଣ ବାର୍ତ୍ତା ବିଶ୍ୱର କୋଣ ଅନୁକୋଣରେ ପ୍ରତିଧ୍ୱନିତ ହୋଇଚାଲିଛି । ସମାଜର ପ୍ରତିକ୍ଷେତ୍ରରେ ନାରୀର ଉପସ୍ଥାପନା ପୂର୍ବ ଅପେକ୍ଷା ବଢି ଚାଲିଛି । ଦୁନିଆର ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ପ୍ରତି ସମ୍ମାନ, ପ୍ରଶଂସା ଏବଂ ଭଲପାଇବାକୁ ପ୍ରକଟ କରିବା ଉଦ୍ଦେଶ୍ୟରେ ପାଳନ କରାଯାଏ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ।

କେବଳ ଏତିକି ନୁହେଁ ନାରୀ ଆଜି ସବୁ କ୍ଷେତ୍ରରେ ଆଗୁଆ । ଭୂମିରୁ ଭୂମାଯାଏଁ ତା’ର ଯାତ୍ରା ସଫଳ ହୋଇଛି । ଘରର ପ୍ରତିଟି ପାଇଟିକୁ ସୁଚାରୁ ରୁପେ କରିବା ଠାରୁ ଆରମ୍ଭ କରି ମହାକାଶରେ ବୁଲି ଆସିଲାଣି ନାରୀ । ନୃତ୍ୟ , ସଙ୍ଗୀତ, ସାହିତ୍ୟଠାରୁ ଆରମ୍ଭ କରି ସେବା ଓ ସେନାରେ ମଧ୍ୟ ନିଜର ଦକ୍ଷତା ଦେଖାଇପାରିଛି ନାରୀ । ନାରୀ କେବେ ସ୍ନେହମୟୀ କେବେ ପୁଣି ଶତ୍ରୁ ପାଇଁ ସଂହାରିଣୀ ।

ତଥାପି ବିଶ୍ବରେ ନାରୀ ଓ ପୁରୁଷଙ୍କୁ ନେଇ ଲିଙ୍ଗଗତ ବିଭେଦତା ବ୍ୟବଧାନ ଅଧିକ ରହିଛି । ବର୍ତ୍ତମାନ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଯେଉଁ ବ୍ୟବଧାନ ରହିଛି ତାହା ସମାନତା ହେବାକୁ ୨୧୫୮ ପର୍ଯ୍ୟନ୍ତ ଲାଗିପାରେ । ଅର୍ଥାତ ଆହୁରି ପାଞ୍ଚ ପିଢ଼ି ପରେ ଲିଙ୍ଗଗତ ସମାନତା ଆସିବ । ୱାର୍ଲଡ ଇକୋନୋମିକ ଫୋରମର ଡାଟାରୁ ଏହା ସ୍ପଷ୍ଟ ହୋଇଛି । ଲିଙ୍ଗଗତ ସମାନତାକୁ ଅଗ୍ରାଧିକାର ଦେଇ ଚଳିତ ବର୍ଷର ଥିମ ରହିଛି ‘ ଆକ୍ସିଲିରେଟ ଆକ୍ସନ’। ଅର୍ଥାତ ପଦକ୍ଷେପ ତ୍ବରାନ୍ବିତ କର । ପୁରୁଷ ଓ ମହିଳାଙ୍କ ମଧ୍ୟରେ ସମାନତା ରକ୍ଷା ପାଇଁ ଏବେଠୁ ହିଁ ପଦକ୍ଷେପ ତ୍ବରାନ୍ବତ କରିବାକୁ ପରାମର୍ଶ ଦିଆଯାଇଛି । ଲିଙ୍ଗଗତ ସମାନତା ରକ୍ଷା କରିବାକୁ ତ୍ବରିତ ଓ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି ।

ମହିଳାଙ୍କ ଆଗରେ ବ୍ୟକ୍ତିଗତ ଓ ବୃତ୍ତିଗତ କ୍ଷେତ୍ରରେ ଆସୁଥିବା ବିଭିନ୍ନ ବାଧା ଓ ମହିଳାଙ୍କ ବିକାଶର ଗତିକୁ ଦୂର କରିବାରେ ତତ୍ପରତା ବୃଦ୍ଧି କରିବା ଉପରେ ଫୋକସ କରିବାକୁ ପରାମର୍ଶ ଦିଆଯାଇଛି। .ପ୍ରତିବର୍ଷ ମାର୍ଚ୍ଚ ୮ରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇ ଆସୁଛି । ୧୯୧୧ ମାର୍ଚ୍ଚ୮ ତାରିଖରେ ଏହା ପ୍ରଥମ ଥର ପାଳନ କରାଯାଇଥିଲା। ୧୯୭୫ରେ ଜାତିସଂଘ ଅନ୍ତର୍ଜାତୀୟ ମହିଳା ଦିବସ ମାନ୍ୟତା ପ୍ରଦାନ କରିଥିଲା । ସମାଜରେ ମହିଳାଙ୍କୁ ସମାନ ଅଧିକାର,ନ୍ୟାୟ ପ୍ରଦାନ ଓ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏହି ଦିବସ ପାଳିତ ହୋଇଥାଏ ।

 

ଆହୁରି ପଢ଼ନ୍ତୁ : ଟ୍ରେନିଂ ବେଳେ ବାୟୁସେନାର ଜାଗୁଆର ବିମାନ କ୍ରାସ୍, ପାଇଲଟ୍ ସୁରକ୍ଷିତ